ମିଳିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି

0

ପୁରୀ: ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଚାବି ହଜି ଯାଇଥିଲା । ଏହାକୁ ନେଇ ଅନେକ ତୁମ୍ଭୀ ତୋଫନ ହୋଇଥିଲା । ହେଲେ ଏହି ଚାବି ମିଳିଥିବା କଥା ଜିଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି । ଜିଲା ରେକର୍ଡରୁମର ଲକରରେ ଥିବା ଏକ ଲଫାପାରୁ ଏହି ଚାବି ମିଳିଥିବା କଥା ବୁଧବାର ସନ୍ଧ୍ୟାରେ  ଜିଲାପାଳ ସୂଚନା ଦେଇଛନ୍ତି । ଏକ ୨ଟି ୩ଜଣିଆ ଦଳ ଗତ ୫ ଦିନ ଧରି ଏହି ଚାବିକୁ ଖୋଜୁଥିଲେ । ରେକର୍ଡ ରୁମ୍‌ର ଏକ ଲଫାଫାରୁ ଏହି ଚାବି ମିଳିଥିବା କଥା ସେ ପ୍ରକାଶ କରିଛନ୍ତି ।ଏହି ଲଫାଫାରେ ୨ଟି ଚାବି ଭିତର ଭଣ୍ଡାରର ନକଲ ଚାବି ବୋଲି  ଲେଖା ଅଛି ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ମରାମତି ଦୃଷ୍ଟିରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ବାହାର ଓ ଭିତର ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଆଦେଶରେ ୧୬ ଜଣିଆ କମିଟି ଭିତରକୁ ଯିବା ପାଇଁ ଅନୁମତି ଦେଇଥିଲେ। ଏହି କମିଟ ବାହାର ରତ୍ନ ଭଣ୍ଡାର ନିରିକ୍ଷଣ କଲେ କିନ୍ତୁ ଭିତର ରତ୍ନ ଭଣ୍ଡାର ବିଷୟରେ ବାହାରପଟ ତାର ଜାଲି ଦେଇ ଅନୁଧ୍ୟାନ କରିଥିଲେ। ବଡ଼ ବଡ଼ ଳୁହା ତାଲା ପଡିଥିବାରୁ ଭିତରକୁ ଯାଇପାରି ନ ଥିଲେ। ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଟ୍ରେଜେରିରୁ ଚାବି ଆଣିବାକୁ କୁହାଗଲା ତ ସେ ମନା କରି ଦେଇଥିଲେ କି ଟ୍ରେଜେରୀରେ ଚାବି ନାହିଁ ଏବଂ ଟ୍ରେଜେରିରେ ଚାବି ରହୁଥିବା ସଂପର୍କରେ ତାଙ୍କ ପାଖରେ କୌଣସି ନକଲ ନାହିଁ ବୋଲି କହିଥିଲେ। ଏହା ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏହା ହେଉଛି ଅପ୍ରେଲ ୪ ତାରିଖର ଘଟଣା।
ବାହାର ରତ୍ନ ଭଣ୍ଡାରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ରଙ୍କ ପ୍ରତିଦିନ ବେଶର ଅଳଙ୍କାର ରଖା ଯାଇଥାଏ। ତେବେ ଭିତର ଭଣ୍ଡାରରେ ଦ୍ୱାଦଶ ଶତାବ୍ଦୀଠାରୁ ବହୁତ ପରିମାଣର ହୀରା, ଲୀଳା, ଗହଣା, ସୁନା, ଚାନ୍ଦି, ମାଣିକ ବହୁତ ମୂଲ୍ୟବାନ ଅଳଙ୍କାର ଆଦି ରଖା ଯାଇଥିଲା। ୧୯୮୫ରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିବା ନେଇ ପୁରୀର ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ ସୂଚନା ଦିଅନ୍ତି। ସେତେବେଳେ ମହାପ୍ରଭୁଙ୍କ ହୀରା ଖଚିତ ମୁକୁଟ ମରାମତି ପାଇଁ ଦିଆଯାଇଥିଲା ତ, ଭିତର ରତ୍ନ ଭଣ୍ଡାର ଖୋଲାଯାଇ ଅନ୍ୟ ଏକ ମୁକୁଟ ବାହାର କରାଯାଇ ମହାପ୍ରଭୁଙ୍କୁ ପିନ୍ଧା ଯାଇଥିଲା।
ମନ୍ଦିର ଆଇନ ଅନୁସାରେ ଭିତର ରତ୍ନ ଭଣ୍ଡାରର ଚାବି ଟ୍ରେଜେରି ରେ ରଖାଯାଇଥାଏ। ସରକାରଙ୍କ ଆଦେଶ ଅନୁସାରେ ତାକୁ ଖୋଲା ଯାଇଥାଏ। ମୁଖ୍ୟମନ୍ତ୍ରୀ ବାସ୍ତବିକତା ଜାଣିବା ପାଇଁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଠାଇଥିଲେ। ଶ୍ରୀ ଜେନାଙ୍କ ରିପୋର୍ଟ ଆଧାରରେ ଜୁନ ୪ ତାରିଖରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଆଦେଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ ବିଚାର ବିଭାଗୀୟ ତଦନ୍ତ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ କରି ତାଙ୍କୁ ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ପୁରୀର ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଥିଲେ। ବିରୋଧୀ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅବହେଳାକୁ ନିନ୍ଦା କରିବା ସହିତ ତୀବ୍ର ସମାଲୋଚନା କରିଥିଲେ । ପୁଣି ଥରେ ଚାବି ଥିବା ସମ୍ବନ୍ଧୀୟ ଫାଇଲ ଏବଂ ଟ୍ରେଜେରି ଖୋଜିବା ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖା ଯାଇଥିଲା ।

ଶ୍ରୀ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଶ୍ରୀ ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି , ୧୯୬୦ ମସିହା ପରଠାରୁ ସରକାର ଶ୍ରୀମନ୍ଦିର କଥା ବୁଝୁଛନ୍ତି । ଏହା ସହିତ ଭିତର ରତ୍ନଭଣ୍ଡାର ଚାବି ତାଙ୍କ ପାଖରେ ରହେ ନାହିଁ । ଏହି ଚାବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳଙ୍କ ଦାୟିତ୍ୱରେ ରହେ। ବର୍ତ୍ତମାନ ତାଙ୍କ ପାଖରେ କେବଳ ବାହାର ରତ୍ନଭଣ୍ଡାରର ଚାବି ରହୁଥିବା ସେ ପ୍ରକାଶ କରିଛନ୍ତି । ବାହାର ରତ୍ନଭଣ୍ଡାର ମଧ୍ୟରୁ କେବଳ ଗୋଟିଏ ଭଣ୍ଡାରର ଚାବି ତାଙ୍କ ପାଖରେ ରହିଥାଏ ଏବଂ ବାହାର ଭଣ୍ଡାର ଖୋଲିଲା ବେଳେ ଗଜପତିଙ୍କ ପ୍ରତିନିଧୀ ଉପସ୍ଥିତ ରୁହନ୍ତି ବୋଲି ଦିବ୍ୟ ସିଂହ ଦେବ କହିଛନ୍ତି । ସେ କେବଳ ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରନ୍ତି ପରେ ବୈଠକରେ ନିଆଯାଉଥିବା ନିଷ୍ପତ୍ତିରେ ଦସ୍ତଖତ କରନ୍ତି ଏବଂ ତାଙ୍କ ଭୂମିକା ଜଣେ ସାଧାରଣ ସଦସ୍ୟଙ୍କ ଭଳି ହୋଇଥିବା ନେଇ ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଜୁନ ୪,୨୦୧୮ରେ ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାର ବିଭାଗୀୟ ତଦନ୍ତ କମିଶନ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ଚାବି ରହସ୍ୟ ଜନକ ଭାବେ ହଜିଯିବା ଘଟଣାର ତଦନ୍ତ କରି ୩ ମାସରେ  ରିପୋର୍ଟ ଦେବାକୁ କୁହାଯାଇଛି । ହେଲେ ୧୩ ଜୁନ୍‌ , ବୁଧବାରରେ  ରତ୍ନ ଭଣ୍ଡାରର ଚାବି ମିଳିଥିବା କଥା ଜିଲାପାଳ ସୂଚନା ଦେଇଛନ୍ତି ।

Leave A Reply