ଉଠିଲା ପୋଟଳ ଓ ପାରାଭାଡ଼ି
ପୁରୀ : ନିର୍ମାଣାଧୀନ ରଥରେ ରବିବାର ପୋଟଳ ଓ ପାରାଭାଡ଼ି ସଂଯୋଗ କରାଯାଇଛି। ସିଂହାସନ ନିର୍ମାଣ ପାଇଁ ଜଗତକୃଷ୍ଣ ସେଣି ପକାଯାଇଛି। ତିନିରଥର ପ୍ରଭା ନିର୍ମାଣ ଶେଷ ହୋଇଛି । ଦୁଆରବେଢ଼ା ଉଠିବାକୁ ପ୍ରସ୍ତୁତି ଚାଲିଛି। ପଟାରେ କଣ୍ଟା ବାଡ଼ାଯାଉଛି। କତରା ଲଗାଯାଇଛି। ରୂପକାର ସେବକ ରଥ ଅଶ୍ୱମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ରଥରେ ରଙ୍ଗ କରାଯାଉଛି। ଏହାଛଡ଼ା ପାର୍ଶ୍ବ ଦେବଦେବୀ, କଳସ, ହଂସପଟା, କନ୍ୟାପଟା, ନାଟଗୋଡ଼, ସଖୀ, ଶିଖରଡମ୍ବରୁ, ଓଲଟସୁଆରେ ରଙ୍ଗ କାମ ଚାଲିଛି । ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାପରେ ସିଂହାସନ କାମ କରାଯିବା ସହ ଦୁଆରବେଢ଼ା ଲଗାଯିବ। ରଥ ଉପରେ କଳସ ଓ ଖପୁରି ସଂଯୋଗ କରାଯିବ। ଜୁଲାଇ ୧୪ରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ତାହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ ସମେତ ଶ୍ରୀଜୀଉଙ୍କ ସେବାପୂଜା ପାଇଁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ ତ୍ୱରାନ୍ୱିତ ହୋଇଛି। ଦରଜି ସେବକମାନେ ଶ୍ରୀଜୀଉଙ୍କ ଲାଗିଲୁଗା ପ୍ରସ୍ତୁତ କରୁଛନ୍ତି। ଖୁବ୍ଶୀଘ୍ର ରଥକନା ସିଲାଇ କରାଯିବ। ଓଝା ସେବକଙ୍କ ଦ୍ୱାରା ଅସ୍ଥାୟୀ କମାରଶାଳରେ କଣ୍ଟାକବ୍ଜା ନିର୍ମାଣ କରାଯାଉଛି।