ଗହଣା ଦୋକାନରେ ମୂଷାଙ୍କ ଦୌରାତ୍ମ୍ୟ, ଚୋରି କଲା ହୀରା କାନଫୁଲ

0

ପାଟନା : ବିଦ୍ୟାଦାତା ଗଣପତିଙ୍କ ବାହନ ମୂଷିକ ରାଜଙ୍କ ସହିତ ସମସ୍ତେ ପରିଚିତ। ଆଉ ମୂଷିକ ରାଜଙ୍କ କାରନାମା ବିଷୟରେ ମଧ୍ୟ ସମସ୍ତେ ଅଳ୍ପ ବହୁତ ଜାଣନ୍ତି । କାରଣ ଘରେ ଘରେ ଲୋକେ ମୂଷାଙ୍କ ପାଇଁ  ଅନେକ ସମସ୍ୟାରେ ପଡିଥାନ୍ତି। ଖାଦ୍ୟ ପଦାର୍ଥ ନଷ୍ଟ କରିବା, ପୋଷାକ ପତ୍ର କାଟି ପକାଇବା ମୂ​ଷାଙ୍କ ମୁଖ୍ୟ କାର୍ଯ୍ୟ। ପୁଣି ବିହାରରେ ମୂଷା ନିଜ କାରନାମା ପାଇଁ ବହୁତ ପ୍ରସିଦ୍ଧ। ସେଠାରେ ସେମାନେ କୋଟି କୋଟି ଟଙ୍କାର ମଦ ପିଇ ଦିଅନ୍ତି।

ତେବେ ମୂଷା ଯେ ଚୋରି କରେ, ଏହା ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। କାରଣ ପାଟନାର ଏକ ଗହଣା ଦୋକାନରୁ ହୀରା କାନଫୁଲ ଚୋରି ହୋଇଛି । ଅନେକ ଖୋଜାଖୋଜି ପରେ ଦୋକାନର ମାଲିକ ଯେତେବେଳେ ସିସିଟିଭି ଫୁଟେଜ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସିସିଟିଭି ଫୁଟେଜ ଦେଖିବା ପରେ ଦୋକାନର ମାଲିକ ଜାଣିପାରିଲେ ଯେ ଗୋଟିଏ ବଡ଼ ମୂଷା ଏହାକୁ ଚୋରି କରିଛି। ମୂଷାଟି ଏସି ପାଖରେ ଥିବା କଣା ଦେଇ ଦୋକାନକୁ  ଯା’ଆସ କରେ। ତେବେ ସେଦିନ ଏକ ପ୍ଲାଷ୍ଟିକ ଖୋଳରେ ରଖାଯାଇଥିବା ହୀରା କାନଫୁଲ ନେଇ ପଳାଇଥିଲା । ଏକ ବଡ଼ ମୂଷା ଏହି କାର୍ଯ୍ୟ କରିଥିବା ଗହଣା ଦୋକାନୀ ଜାଣିପାରିଲେ। ଏବେ ସେ ମୂଷାକୁ ଖୋଜୁଛନ୍ତି। ଏଥିପାଇଁ ଯନ୍ତା ବସାଇଛନ୍ତି। ଅଠା ପଟି ମଧ୍ୟ ଲଗାଇଛନ୍ତି। ସେଥିପାଇଁ ଦୀର୍ଘ ୧୫ ଦିନ ହେବ ସେ ଅନେକ ଅର୍ଥ ବ୍ୟୟ କଲେଣି।  କିନ୍ତୁ ବର୍ତ୍ତମାନ ସୁଦ୍ଧା ନା ମୂଷା ମିଳୁଛି ନା ମିଳୁଛି ହୀରା କାନଫୁଲ ।

Leave A Reply