ଅଯୋଧ୍ୟା ମାମଲା: ସପ୍ତାହରେ ୩ ଦିନ ନୁହେଁ ୫ ଦିନ ହେବ ଶୁଣାଣି
ନୂଆଦିଲ୍ଳୀ : ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାର ଶୁଣାଣି ଏବେ ସପ୍ତାହକୁ ୩ ଦିନ ବଦଳରେ ୫ ଦିନ ହେବ। ସୁପ୍ରିମକୋର୍ଟ ପୂର୍ବରୁ ସପ୍ତାହକୁ ମାତ୍ର ୩ ଦିନ ଶୁଣାଣି ପାଇଁ କହିଥିଲେ। ମାତ୍ର ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍ ଏସଏ ବୋବଡେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସଏ ନଜିରଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଗୁରୁବାର ଏହି ମାମଲାର ଶୁଣାଣି ସପ୍ତାହକୁ ୫ ଦିନ ହେବ ବୋଲି କହଛନ୍ତି। ସୁପ୍ରିମକୋର୍ଟଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଏବେ ଅଯୋଧ୍ୟା ମାମଲାର ଶୁଣାଣି ୫ଟି କାର୍ଯ୍ୟଦିବସ (ସୋମବାରରୁ ଶୁକ୍ରବାର) ପର୍ଯ୍ୟନ୍ତ ଚାଲିବ।
ଗୁରୁବାର ଶୁଣାଣିର ତୃତୀୟ ଦିନରେ ହିନ୍ଦୁ ପକ୍ଷ ନିଜ ଦଲିଲ ଉପସ୍ଥାପନ କରିଥିଲେ। ସୁପ୍ରମକୋର୍ଟର ସାମ୍ବିଧାନିକ ପୀଠ ପକ୍ଷକାର ରାମ ଲାଲା ବିରାଜମାନଠାରୁ ଜାଣିବାକୁ ଚାହିଁଥିଲେ ଯେ କିପରି ଦେବତାଙ୍କୁ ଜନ୍ମସ୍ଥାନର ଦାବିଦାର ଓ ଜନ୍ମସ୍ଥାନକୁ ଆଇନଗତ ବ୍ୟକ୍ତି ବୋଲି ବଚାର କରାଯିବ। ଏହାର ଉତ୍ତରରେ ରାମ ଲାଲା ବିରାଜମାନଙ୍କ ପକ୍ଷ ରଖୁଥିବା ଅଧିବକ୍ତା ପରାସରନ କହିଥିଲେ ଯେ ହିନ୍ଦୁ ଧର୍ମରେ କୌଣସି ସ୍ଥାନକୁ ଉପାସନା ପାଇଁ ପବିତ୍ର ସ୍ଥାନ ବୋଲି ମାନିବାକୁ ସେଠାରେ ମୂର୍ତ୍ତି ଥିବା ଆବଶ୍ୟକ ନୁହେଁ। ହିନ୍ଦୁବାଦରେ ନଦୀ, ସୂର୍ଯ୍ୟଙ୍କୁ ବି ପୂଜା କରାଯାଇଥାଏ ଏବଂ ଜନ୍ମସ୍ଥାନକୁ ଆଇନଗତ ବ୍ୟକ୍ତି ବୋଲି ବିବେଚନା କରାଯାଇଥାଏ। ଅଯୋଧ୍ୟା ମାମଲାରେ ଭଗବାନ ରାମଙ୍କ ଜନସ୍ଥାନକୁ ଏକ ପକ୍ଷକାର କରାଯାଇଛି। ଉତ୍ତରାଖଣ୍ଡ ହାଇକୋର୍ଟର ଏକ ମାମଲାରେ ପବିତ୍ର ଗଙ୍ଗା ନଦୀକୁ ଆଇନଗତ ବ୍ୟକ୍ତି ବିବେଚନା କରାଯାଇଥିବାର ଉଲ୍ଲେଖ କରି ପୀଠ ମାମଲା ଆଗକୁ ବଢାଇବାକୁ ପରାସରନକୁ କହିଥିଲେ। ଏହା ପୂର୍ବରୁ ହିନ୍ଦୁ ପକ୍ଷଭୁକ୍ତଙ୍କ ମଧ୍ୟରୁ ନିର୍ମୋହୀ ଆଖଡା ମଙ୍ଗଳବାର ନିଜ ଦଲିଲ ରଖିଥିଲା।
ପ୍ରକାଶ ଯେ ୨୦୧୦ ସେପ୍ଟେମ୍ବର ୩୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୨:୧ ମତରେ ୨.୭୭ ଏକର ବିବାଦୀୟ ଜମିକୁ ୩ ପକ୍ଷ ଯଥା ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦେଇଥିଲେ। ଆହ୍ଲାବାଦ ହାଇକୋଟଙ୍କ ନିଷ୍ପତ୍ତିକୁ କୌଣସି ପକ୍ଷ ଗ୍ରହଣ କରିନଥିଲେ ଓ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ୨୦୧୧ ମଇ ୯ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇ ଦେଇଥିଲେ। ୯ ବର୍ଷ ହେଲା ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅଛି।
Comments are closed.