ସିବିଆଇ ନିର୍ଦେଶକ ବର୍ମାଙ୍କ ଅଭିଯୋଗ; ଲାଲୁଙ୍କ ବିରୋଧରେ ହାତ ମିଳାଇଥିଲେ ଆସ୍ଥାନା, ସୁଶୀଲ ମୋଦୀ ଓ ପିଏମ୍ଓ
ନୂଆଦିଲ୍ଲୀ : ସିବିଆଇ ଡିଆଇଜି ମନୀଷ କୁମାର ସିହ୍ନାଙ୍କ ପୂର୍ବରୁ ସଂସ୍ଥାର ନିର୍ଦେଶକ ଆଲୋକ ବର୍ମା ରବିବାର ପିଏମ୍ଓ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଆଇଆର୍ସିଟିସି ମାମଲାରେ ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିବିଆଇ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା, ବିହାର ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ହାତ ମିଳାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଲାଲୁ ବିରୋଧୀ ମାମଲାକୁ ବର୍ମା ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ନେଇ ଆସ୍ଥାନା ପୂର୍ବରୁ ଯେଉଁ ଅଭିଯୋଗ କରିଥିଲେ ତାହାକୁ ସେ ଅସ୍ୱୀକାର କରିବା ସହିତ ଲାଲୁଙ୍କ ମାମଲାର ତଦନ୍ତରେ ନେତୃତ୍ୱ ନେଉଥିବା ଆସ୍ଥାନାଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଦର୍ଶାଇଥିଲେ। ଆଇଆରସିଟିସି ମାମଲାରେ ନିୟମିତ ତଦନ୍ତ ନ କରି ପ୍ରାଥମିକ ତଦନ୍ତ କରାଇବାକୁ କାହିଁକି ପ୍ରସ୍ତାବ ଦେଇଥିଲେ ବୋଲି ସିଭିସି ତଦନ୍ତବେଳେ ବର୍ମାଙ୍କୁ ପ୍ରଶ୍ନ କରିଥିଲେ। ବର୍ମା କହିଥିଲେ, ଏହି ମାମଲାରେ ଉପଯୁକ୍ତ ପ୍ରମାଣ ନ ଥିବା ସିବିଆଇର ଉଭୟ ଆଇନ ଅଧିକାରୀ କହିଥିଲେ। ଆର୍ସି ରୁଜୁ କରିବା ପୂର୍ବରୁ ପ୍ରମାଣ ସଂଗ୍ରହ କରିବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେବାରୁ ପ୍ରାଥମିକ ତଦନ୍ତକୁ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଏହି ମାମଲାରେ ଆସ୍ଥାନା ନିୟମିତ ଭାବେ ସୁଶୀଲଙ୍କ ସହିତ ଯୋଗାଯୋଗ କରୁଥିବାବେଳେ ପିଏମଓ ପକ୍ଷରୁ ଏ ସମ୍ପନ୍ଧରେ ସବିଶେଷ ତଥ୍ୟ ରଖାଯାଉଥିଲା। ସେହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଲାଲୁଙ୍କ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗିବା ଏବଂ ନୂତନ ମେଣ୍ଟ ଗଠନ କରାଯିବା ଘଟଣାରୁ ଆସ୍ଥାନ, ସୁଶୀଲ ଓ ପିଏମ୍ଓ ପରସ୍ପର ହାତ ମିଳାଇବାର କାରଣ ଜଣାପଡୁଛି ବୋଲି ବର୍ମା କହିଛନ୍ତି।