ଶିକ୍ଷକ ବଦଳିକୁ ନେଇ ରାଜସ୍ଥାନର ଦୁଇ ମନ୍ତ୍ରୀ ମୁହାଁମୁହିଁ
ଜୟପୁର : ବିଜେପି ଶାସିତ ରାଜସ୍ଥାନ ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଶିକ୍ଷକ ବଦଳିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ବଂଶୀଧର ବାଜିଆ ଓ ଶିକ୍ଷାମନ୍ତ୍ରୀ ବାସୁଦେବ ଦେବନାନୀଙ୍କ ମଧ୍ୟରେ ଶୁକ୍ରବାର ମୁହାଁମୁହଁ ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଜଣେ ଦଳୀୟ କର୍ମୀଙ୍କ କହିବା ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ବଂଶୀଧର ନିଜ ନିର୍ବାଚନମଣ୍ଡଳୀର କେତେକ ଶିକ୍ଷକଙ୍କ ବଦଳି ଦାବି ନେଇ ଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ। ଶିକ୍ଷକମାନଙ୍କର ବଦଳି କରିବାକୁ ସେ ଶିକ୍ଷାମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ମାତ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିବେଦନକୁ ଶିକ୍ଷାମନ୍ତ୍ରୀ ଅଗ୍ରାହ୍ୟ କରିଦେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏପରି କି ସ୍ୱାସ୍ଥ୍ୟମନ୍ତ୍ରୀ ଗାଳିଗୁଲଜ କରିବା ସହିତ ଶିକ୍ଷାମନ୍ତ୍ରୀଙ୍କୁ ଠେଲିଦେଇଥିଲେ। ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଅଞ୍ଚଳର ୧୭୫ ଶିକ୍ଷକଙ୍କ ବଦଳି ଦାବି କରିଥିଲେ ଯାହାକୁ ଶିକ୍ଷାମନ୍ତ୍ରୀ ଅନୁମୋଦନ କରିଥିଲେ। ପରବର୍ତ୍ତୀ ସମୟରେ ସେ ଆଉ କେତେକ ଶିକ୍ଷକଙ୍କ ବଦଳି ଦାବି କରିବାରୁ ଶିକ୍ଷାମନ୍ତ୍ରୀ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଏହି ପ୍ରସଙ୍ଗରେ ଉଭୟ ମନ୍ତ୍ରୀ କୌଣସି ମତାମତ ଦେବାକୁ ମନା କରିଛନ୍ତି। ବିଜେପି ମିଡିଆ ସେଲ୍ ଇନଚାର୍ଜ ଆନନ୍ଦ ଶର୍ମା ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ଘଟଣା ସ୍ପଷ୍ଟ କରିଛନ୍ତି।