ମହାପର୍ବତ ରଜ ମହୋତ୍ସବ ଉଦଯାପିତ
ବାଙ୍କୀ : ଢଁସର ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ଯୁବ ଗୋଷ୍ଠୀଙ୍କ ସହାୟତାରେ ସ୍ଥାନୀୟ ମହାପର୍ବତିଆଣୀ ପୀଠରେ ଜୁନ୍ ୧୪ ତାରିଖ ପହିଲି ରଜରେ ଆରମ୍ଭ ହୋଇଥିବା ମହାପର୍ବତ ରଜ ମହୋତ୍ସବ-୨୦୨୨ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ପାରମ୍ପରିକ ରଜ ପାଳନ ଅବସରରେ ଢଁସର ପଞ୍ଚାୟତର କଳା, ସାହିତ୍ୟ, ଲୋକକଳା ଓ ପାରମ୍ପରିକ ରଜ ପରମ୍ପରାକୁ ଉଦଜୀବିତ କରିବା ପାଇଁ ୩ ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ, ପୁଚି, ରଜ ଦୋଳି, ଶ୍ରୀମତି କମ୍ ନୁହନ୍ତି, ଆମ ଓଡିଆ ଝିଅ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାପର୍ବତ ରଜ ମହୋତ୍ସବର ସଭାପତି ସନ୍ତୋଷ କୁମାର ଜେନା,ସମ୍ପାଦକ ପ୍ରତିରଂଜନ ପଣ୍ଡାଙ୍କ ସଂଚାଳନରେ ଅନୁଷ୍ଠିତ ଉଦ୍ଦ୍ୟାପନୀ ସଭାରେ ସୁରେଶ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବରେ ପ୍ରବକ୍ତା ଡଃ ଗଣେଶ୍ୱର ସ୍ୱାଇଁ ଓ ସମ୍ମାନିତ ଅତିଥି ଭାବରେ ଡମପଡା ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ଏହି ଗ୍ରାମର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ବ୍ଲକ ମତ୍ସ୍ୟ ଅଧିକାରୀ ନବକିଶୋର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗ୍ରାମାଞ୍ଚଳରେ ରଜ ପରମ୍ପରାକୁ ମହାପର୍ବତ ପାଦଦେଶରେ ଗ୍ରାମୀଣ ପରିବେଶରେ ବର୍ଣ୍ଣାଢ୍ୟ ରୂପ ରଙ୍ଗରେ ସଜ୍ଜିତ କରି ପ୍ରଥମ ବର୍ଷ ପାଇଁ ଆନନ୍ଦର ମାହୋଲ୍ ରଜପ୍ରେମୀଙ୍କ ମଧ୍ୟରେ ପ୍ରସାରିତ କରିଥିବାରୁ ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ । ଏବଂ ରଜ ଉତ୍ସବ ସମ୍ପର୍କରେ ଓଡିଆ ଜନ ଜୀବନର ନିବିଡ ସମ୍ପର୍କ ଓ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉତ୍ସବରେ ଆୟୋଜନ କରାଯାଇଥିବା ବହୁ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିବା ସହିତ କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିବା ଗ୍ରାମର ବହୁ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୈାକନ ଦିଆଯାଇ ରଜ ଉତ୍ସବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଭିନ୍ନ ଦିନରେ ଚଳଚିତ୍ର ଓ ସିରିଏଲ୍ ତାରକାଙ୍କ ଆକର୍ଷଣ ଥିଲା ବେଳେ ଶେଷ ଦିନରେ ଓଡିଆ ଝିଅ କମ୍ ନୁହେଁ, ଆମ ଶ୍ରୀମତି କମ୍ ନୁହନ୍ତି ଓ ବର ଘରକୁ କନ୍ୟା ଯିବା ସମୟର କାନ୍ଦଣା ବେଶ୍ ଆକର୍ଷଣ ହୋଇଥିଲା।
Comments are closed.