୪୮ ଘଣ୍ଟାରେ ସାରା ରାଜ୍ୟ ଛୁଇଁବ

0

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଗତକାଲି ଓଡ଼ିଶା ଛୁଇଁବା ପରେ ଆଜି ଆଭ୍ୟନ୍ତରୀଣ ଅଞ୍ଚଳକୁ ଅଗ୍ରସର ହୋଇଛି। ଶନିବାର ୧୦ଟି ଜିଲା ମୌସୁମି ବର୍ଷାରେ ଭିଜିଛି। ଆଗାମୀ ୪୮ ଘଣ୍ଟା ଭିତରେ ଏହା ସାରା ରାଜ୍ୟକୁ ଛୁଇଁବାର ସମ୍ଭାବନା ରହିଛି। ଗତକାଲି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି ଜିଲାରେ ମୌସୁମି ପହଞ୍ଚି ଥିଲା। ଶନିବାର ରାୟଗଡ଼ା ଜିଲାର ଅଧିକାଂଶ ଅଞ୍ଚଳ ଓ କଳାହାଣ୍ଡି, କନ୍ଧମାଳ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀର କିଛି ଅଂଶରେ ମୌସୁମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ବାଂଲାଦେଶ ନିକଟବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ୬୦ କିମିରୁ ଅଧିକ ରହିପାରେ। ତେଣୁ ଆଗାମୀ ୭୨ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାର କେତେକ ଜିଲାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।

ଗତ ୨୪ ଘଣ୍ଟା ମଧ୍ୟରେ ନିମାପଡ଼ାରେ ୮ ସେମି, ଚନ୍ଦନପୁର ଓ ସୋରଡ଼ାରେ ୭ ସେମି ଲେଖାଏଁ ବର୍ଷା ହୋଇଛି। ପୁରୁଷୋତ୍ତମପୁର ଓ ଆସ୍କାରେ ୬ ସେମି ଲେଖାଏଁ ବର୍ଷା ହୋଇଛି। ବଡ଼ଗାଓଁ, କରଞ୍ଜିଆ, ଗୁଡାରୀ, ଘଟଗାଁ, ଛତ୍ରପୁର, ଯୁଯୁମାରା, ନର୍ଲା, ଆର୍‍ ଉଦୟଗିରି, ମୋହନା, ବାଙ୍ଗିରିପୋଷିରେ ୫ ସେମିରୁ ଅଧିକ ବର୍ଷା ହୋଇଛି। ଖଇରାମାଳ, କାଶୀନଗର, କୋଟାଗଡ଼, ସାଲେଭଟ୍ଟା, ଆଖୁଆପଦା, ସ୍ୱାମପାଟଣା, ଚାନ୍ଦବାଲି, ଗୋପାଳପୁର, ବରଗଡ଼, ମହେନ୍ଦ୍ରଗଡ଼, ବୀରମହାରାଜପୁର, ନୟାଗଡ଼ରେ ୩ ସେମିରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି। ଏହାବ୍ୟତୀତ ସୋନପୁର, ପାରଳାଖେମୁଣ୍ଡି, ଜି ଉଦୟଗିରି, ଜୟପାଟଣା, ବାମରା, ମୁନିଗୁଡା, କେସିଙ୍ଗା, ଟାଙ୍ଗୀ, ବୌଦ୍ଧଗଡ଼, ଦାରିଙ୍ଗବାଡ଼ି, ଆନନ୍ଦପୁର, ବାଲେଶ୍ୱର, ଗୋବିନ୍ଦପୁର, ଝୁମ୍ପୁରାରେ ୨ ସେମିରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ଶନିବାର ଅପରାହ୍ଣ ସୁଦ୍ଧା ବାଲେଶ୍ୱରରେ ୧୩, ସୋନପୁରରେ ୭, ମାଲକାନଗିରିରେ ୨ ମିଲିମିଟର ଲେଖାଏଁ ବର୍ଷା ହୋଇଛି। ସେହିପରି ଚାନ୍ଦବାଲି ଓ କେନ୍ଦୁଝରଗଡ଼ରେ ମଧ୍ୟ ବର୍ଷା ହୋଇଛି। ବର୍ଷା ଯୋଗୁଁ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି।

Leave A Reply