୨୩ରୁ ରାହୁଲଙ୍କ ‘ସମ୍ବିଧାନ ବଞ୍ଚାଅ’ ଅଭିଯାନ

0

ନୂଆଦିଲ୍ଲୀ : ଦଳିତଙ୍କୁ ନେଇ ଚାଲିଥିବା ରାଜନୀତିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଚଳିତ ମାସ ୨୩ ତାରିଖରୁ ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ’ ଅଭିଯାନ ଆରମ୍ଭ କରିବେ। ଏହା ମାଧ୍ୟମରେ ସେ ଦଳିତଙ୍କ ଉପରେ ଆକ୍ରମଣ, ଦଳିତ ଆଇନର ପରିବର୍ତ୍ତନ ଓ ସମ୍ବିଧାନକୁ ବିକୃତ କରିବାର ପ୍ରୟାସର ପ୍ରତିବାଦ ସହ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଡ଼କରଙ୍କ ପ୍ରତିଭୂର୍ତ୍ତି ଭଙ୍ଗାର ପ୍ରତିବାଦ କରିବେ। ଏହି ଅଭିଯାନ ଆରମ୍ଭ କାର୍ଯ୍ୟକ୍ରମରେ ଦଳର ସମସ୍ତ ଦଳିତ ବର୍ଗର ନେତା, ପୂର୍ବତନ ଓ ବର୍ତ୍ତମାନର ଦଳିତ ବର୍ଗର ସାଂସଦ, ଜିଲା ପରିଷଦଠାରୁ ଆରମ୍ଭକରି ସମସ୍ତ ପଞ୍ଚାୟତ ତଥା ପୌର ଅନୁଷ୍ଠାନରେ ପ୍ରତିନିଧିତ୍ୱ କରୁଥିବା ଦଳିତ ବର୍ଗର ଲୋକପ୍ରତିନିଧିମାନେ ଉପସ୍ଥିତ ରହିବେ। ଏହି ସୂଚନା ଦେଇଛନ୍ତି କଂଗ୍ରେସର କାର୍ଯ୍ୟକ୍ରମ ସଂଚାଳକ ତଥା ଦଳର ଅନୁସୂଚିତ ଜାତି ସଂଗଠନ ଅଧ୍ୟକ୍ଷ ନୀତିନ୍‌ ରାଉତ। ବିଜେପି ଶାସନରେ କାହିଁକି ଦଳିତ ଓ ସମ୍ବିଧାନ ଉପରେ ଆକ୍ରମଣ କରାଯାଉଛି ତାହା ସେମାନେ ଲୋକଙ୍କୁ ବୁଝାଇବାକୁ ପ୍ରୟାସ କରିବେ ବୋଲି ନୀତିନ୍‌ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ କଂଗ୍ରେସର ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ସାମିଲ ହେବେ। ଦଳର ଯୁବ, ମହିଳା ଏବଂ ସେବା ଦଳର କାର୍ଯ୍ୟକର୍ତ୍ତାମାନେ ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିବେ। ରାଜ୍ୟଠାରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଏହି ଅଭିଯାନ କାର୍ଯ୍ୟକାରୀ ହେବ ବୋଲି ରାଉତ କହିଛନ୍ତି। ସମ୍ପ୍ରତି ସମ୍ବିଧାନ ଉପରେ ଆକ୍ରମଣ ଜାରି ରହିଛି, ଦଳିତମାନଙ୍କୁ ସେମାନଙ୍କ ନ୍ୟାଜ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି। ଏ ସମ୍ପର୍କିତ ବାର୍ତ୍ତାକୁ ଦଳର ନେତାମାନେ ଲୋକଙ୍କ ନିକଟରେ ପହଞ୍ଚାଇବେ ବୋଲି ସେ କହିଛନ୍ତି। ଦେଶର ମୋଟ ମତଦାତାଙ୍କ ମଧ୍ୟରୁ ୧୭ପ୍ରତିଶତ ଦଳିତ ହୋଇଥିବାବେଳେ ସଂସଦରେ ସେମାନଙ୍କ ପାଇଁ ୮୪ଟି ଆସନ ସଂରକ୍ଷିତ ରହିଛି। ଏହାର ତିନି-ଚତୁର୍ଥାଂଶ ଏକଦା କଂଗ୍ରେସ ହାତରେ ଥିଲାବେଳେ ଏବେ ଅଧାକୁ ଖସିଆସିଛି। ଦଳ ପୂର୍ବ ସଂଖ୍ୟାକୁ ଫେରିବା ଉଦ୍ୟମ କରିବ ବୋଲି ରାଉତ କହିଛନ୍ତି।

Leave A Reply