୨ .୪୫ ମିନିଟରେ ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ଶେଷ

0

ମୁମ୍ବଇ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁମ୍ବଇର ବାନ୍ଦ୍ରାଠାରେ ବୁଧବାର ମାତ୍ର ୨ ମିନିଟ୍‍ ୪୫ ସେକେଣ୍ଡ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଶେଷ କରିଛନ୍ତି, ଯାହାକି ଅନେକଙ୍କ ଭୃକୁଞ୍ଚନ ସୃଷ୍ଟି କରିଛି। ରାଜ୍ୟ ତଥା ସହରସ୍ତରୀୟ କଂଗ୍ରେସ ୟୁନିଟ୍‍ ପକ୍ଷରୁ ବାନ୍ଦ୍ରାଠାରେ ସକାଳ ୮ଟା ୩୦ ମିନିଟ୍‍ରେ ଏହି ସମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ଦଳୀୟ କର୍ମୀମାନେ ବାରମ୍ବାର ଏ ବିଷୟରେ ମନେପକାଇ ଦେଇଥିଲେ। ୧୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟର ନେତୃତ୍ୱ ନେବେ କି ବୋଲି ରାହୁଲଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ମାତ୍ର ରାହୁଲ ଏହି ପ୍ରଶ୍ନକୁ ଏଡାଇଯାଇ କ୍ରମାଗତ ଭାବେ ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‍ଏସ୍‍ଏସ୍‍)କୁ ସମାଲୋଚନା କରିଥିଲେ। ପ୍ରାୟ ଦୁଇ ମିନିଟ ପର୍ଯ୍ୟନ୍ତ କଡ଼ା ସମାଲୋଚନା କରିବା ପରେ ଉପସ୍ଥିତ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇ ସେ ହଠାତ୍‍ ସେଠାରୁ ଚାଲିଯାଇଥିଲେ। ଏହି ସମ୍ମିଳନୀରେ ଯୋଗଦେବା ନିମନ୍ତେ ବହୁ ସାମ୍ବାଦିକ ପୂର୍ବାହ୍ଣ ୬ଟାରୁ ନିଜ ଘରୁ ବାହାରି ବାନ୍ଦ୍ରାରେ ପହଞ୍ଚିଥିଲେ। କିନ୍ତୁ ରାହୁଲ ମାତ୍ର ୨ ମିନିଟ୍‍ ୪୫ ସେକେଣ୍ଡରେ ଏହାକୁ ସମାପ୍ତ କରିଦେବା ଘଟଣା ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନାଗପୁରଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ରାହୁଲଙ୍କର ବିଳମ୍ବ ହେଉଥିବାରୁ ସେ ଶୀଘ୍ର ସାମ୍ବାଦିକ ସମ୍ମିଳନୀ ଛାଡି ଚାଲିଯାଇଥିବା ଦଳୀୟ କର୍ମୀମାନେ ପ୍ରକାଶ କରିଛନ୍ତି। ଏହି ଘଟଣା ପାଇଁ ଦଳର ବରିଷ୍ଠ ନେତା ସଞ୍ଜୟ ନିରୁପମ୍‍ ଉପସ୍ଥିତ ସାମ୍ବାଦିକମାନଙ୍କୁ କ୍ଷମା ପ୍ରାର୍ଥନା କରିବା ସହିତ ଏଭଳି ଅବ୍ୟବସ୍ଥା ପାଇଁ ଜନସମ୍ପର୍କ ବିଭାଗକୁ ଦାୟୀ କରିଛନ୍ତି।

Leave A Reply