ନୂଆଦିଲ୍ଲୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଶହେ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଲୋକସଭାରେ ଆଜି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡ଼ି ସାଂସଦ ପିନାକୀ ମିଶ୍ର ମୁହାଁମୁହିଁ ହୋଇଛନ୍ତି। ଶୂନ୍ୟକାଳରେ ଉଭୟ ଅପରାଜିତା ଏବଂ ପିନାକୀଙ୍କ କଥା କଟାକଟି ଗୃହ ମଧ୍ୟରେ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା। ଭୂବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିନା ଅନୁମତିରେ ଜଗନ୍ନାଥ ମନ୍ଦିର ନିଷେଧାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଦର୍ଶାଇଥିଲେ ଯେ ଏଏମଏଏସଆର ଆଇନ ୧୯୫୮ ଅନୁଯାୟୀ ଶହେ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ ହୋଇପାରିବ ନାହିଁ ଏବଂ ତା’ ପରେ ଦୁଇଶହ ମିଟର ପରିଧି ମଧ୍ୟରେ ନିର୍ମାଣ ଲାଗି ଜାତୀୟ ସ୍ମାରକୀ କର୍ତ୍ତୁପକ୍ଷଙ୍କ ଅନୁମତି ଆବଶ୍ୟକ। ଆଶ୍ଚର୍ଯ୍ୟର କଥା ଯେ ଜାତୀୟ ସ୍ମାରକୀ କର୍ତ୍ତୁପକ୍ଷ ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାଙ୍କ ବିନା ଅନୁମତିରେ ଓଡ଼ିଶା ସରକାର ନିଷେଧାଞ୍ଚଳ ଏବଂ ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ଭଙ୍ଗା ଭଙ୍ଗି ଏବଂ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ମନ୍ଦିରକୁ କ୍ଷତି ପହଞ୍ଚାଉଥିବା ଏହି ବେଆଇନ ଭାବେ ଚାଲିଥିବା ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ ଲାଗି ସାଂସଦ ଷଡ଼ଙ୍ଗୀ ଦାବୀ କରିଥିଲେ। ଜଗନ୍ନାଥ ମନ୍ଦିର ଚତୁପାର୍ଶ୍ବରେ ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟରେ ଗଠିତ ପରାମର୍ଶଦାତା କମିଟିରେ ଆଶ୍ଚର୍ଯ୍ୟଜନକ ଭାବେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା (ଏଏସଆଇ)କୁ ସଦସ୍ୟ ଭାବେ ରଖା ଯାଇନଥିଲା। ବିନା ଏଏସଆଇରେ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କିଭଳି ସମ୍ଭବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଥିଲେ। ସେହିଭଳି ଇମ୍ପାକ୍ଟ ଆସେସମେଣ୍ଟ ଷ୍ଟଡ଼ି ଏବଂ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ ମଧ୍ୟ ହୋଇନାହିଁ। ଜାତୀୟ ସ୍ମାରକୀ କର୍ତ୍ତପକ୍ଷଙ୍କ ଅନୁମତି ନିହାତି ଆବଶ୍ୟକ ଦର୍ଶାଇ ଚାଲୁ ଅବୈଧ କାମକୁ ତୁରନ୍ତ ବନ୍ଦ କରିବାକୁ ସେ ଦାବୀ କରିଥିଲେ।
ଗୃହରେ ଉପସ୍ଥିତ ପୁରୀ ସାଂସଦ ପିନାକୀ ମିଶ୍ର ବିଜେପି ସାଂସଦ ଅପରାଜିତାଙ୍କୁ କଟାକ୍ଷ କରି କହିଥିଲେ ଯେ ମ୍ୟାଡ଼ମ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଅସତ୍ୟ। ପୁରୀରେ ଯେଉଁ କାମ ହେଉଛି ସେଥିରେ ଜାତୀୟ ସ୍ମାରକୀ କର୍ତ୍ତୁପକ୍ଷଙ୍କ ଏନଓସି ରହିଛି ଏବଂ ଏଏସଆଇ ସାମିଲ ଅଛି। କୌଣସି ଖନନ କାର୍ଯ୍ୟ ହେଉନାହିଁ କେବଳ ଚାରିଟି ଶୌଚାଳୟ ନିର୍ମାଣ ହୋଉଛି। ସେଥିରେ ପୁରୁଷ ଭକ୍ତଙ୍କ ଲାଗି ଦୁଇଟି ଏବଂ ମହିଳା ଭକ୍ତଙ୍କ ଲାଗି ଦୁଇଟି ଶୌଚାଳୟ ଉଦ୍ଧିଷ୍ଟ। ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରରେ ନିୟମ ଅନୁଯାୟୀ କାମ ହୁଏ। ଆଜି ପର୍ଯ୍ୟନ୍ତ କୌଣସି ନିୟମ ଉଲ୍ଲଙ୍ଘନ ହୋଇନାହିଁ। ସେଥିପାଇଁ ରାଜ୍ୟବାସୀ ବିଗତ ୨୨ ବର୍ଷ ଧରି କ୍ରମାଗତ ଭାବେ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନରେ ବିଜୟୀ କରାଉଛନ୍ତି। ନବୀନଙ୍କ ପ୍ରତି ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶିବାଦ ରହିଛି ବୋଲି ସାଂସଦ ପିନାକୀ ଟିପ୍ପଣୀ କରିଥିଲେ। ସାଂସଦ ମହୋଦୟା ନିଜ ସଂସଦୀୟ କ୍ଷେତ୍ରରେ ଅବସ୍ଥିତ ଲିଙ୍ଗରାଜ ମନ୍ଦିରରେ କିଛି କାମ କରାନ୍ତୁ, ଭଲ କାମକୁ ନ ଅଟକାନ୍ତୁ। ପିନାକୀଙ୍କ ଉତ୍ତର ପରେ ଗୃହ କମିଟି ଗଠନ କରିବାକୁ ଭୂବନେଶ୍ୱର ସାଂସଦ ଦାବୀ କରିଥିଲେ। ପ୍ରତିଉତ୍ତରରେ ଗୃହ କମିଟି ଗଠନ ସରିଛି ବୋଲି ପିନାକୀ କହିଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ଚର୍ତୁଃପାର୍ଶ୍ବରେ ନିର୍ମାଣ ପ୍ରସଙ୍ଗ : ଲୋକସଭାରେ ଅପରାଜିତା-ପିନାକୀ ମୁହାଁମୁହିଁ
Popular Categories



