ଭାଷା ଭଗୀରଥ କ୍ଷମାସାଗର

ଝାରସୁଗୁଡ଼ା :  ପୁରାଣ ଅନୁସାରେ ଭଗୀରଥ ମାଁ ଗଙ୍ଗାଙ୍କୁ ତପସ୍ୟାରେ ସନ୍ତୁଷ୍ଟ କରିବା ପରେ ଧରାବତରଣ କରାଇଥିଲେ। ଯାହାଫଳରେ ଗାଙ୍ଗେୟ ଅଞ୍ଚଳ ସମେତ ସମଗ୍ର ଭାରତ ଭୂମି ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ହୋଇଥିଲା। ଏମିତି ଜଣେ ଓଡ଼ିଆ ଭାଷାର ଭଗୀରଥ ହେଉଛନ୍ତି ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପଞ୍ଚଗାଁ ନିକଟସ୍ଥ ଝାରୁପଡ଼ା ଗ୍ରାମର କ୍ଷମାସାଗର ଭୋଇ । ୭୧ ବର୍ଷ ବୟସ୍କ ଶ୍ରୀ ଭୋଇ ଗତ ୨୦ବର୍ଷରୁ ଅଧିକ ହେଲାଣି ଛତିଶଗଡ଼ରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାରରେ ବ୍ରତୀ ଅଛନ୍ତି । ତାଙ୍କର କ୍ରମାଗତ ପ୍ରୟାସ ଫଳରେ ଛତିଶଗଡ଼ର ୮ଟି ବ୍ଲକରେ ୧୫୨ଟି ଭାଗବତ ଟୁଙ୍ଗି ପ୍ରତିଷ୍ଠା ହୋଇଥିବା ବେଳେ ଅତି କମ୍‌ରେ ୧୯୦ଟି ବିଦ୍ୟାଳୟ​‌େ​‌ର ଓଡ଼ିଆ ଶିକ୍ଷାଦାନ ହେଉଛି।
ହୀରାକୁଦ ବୁଡ଼ି ଅଞ୍ଚଳରେ ୧୯୫୧ ମସିହା​‌ ମାର୍ଚ୍ଚ ୨ ତାରିଖରେ କ୍ଷମାସାଗରଙ୍କ ଜନ୍ମ । ତାଙ୍କ ଜନ୍ମ ସମୟରେ ହିଁ ହୀରାକୁଦ ବନ୍ଧ ଖନନ କାର୍ୟ୍ୟ ଚାଲୁଥିବା ବେଳେ ୧୯୫୭ ମସିହାରେ ପରିବାର ସହିତ ତାଙ୍କୁ ବିସ୍ଥାପିତ ହେବାକୁ ପଡ଼ିଲା । ଫଳରେ ତାଙ୍କ ପରିବାର ଝାରସୁଗୁଡ଼ା ଜିଲା ପଞ୍ଚଗାଁ ନିକଟ ଝାରୁପଡ଼ାକୁ ସ୍ଥାନାନ୍ତର ହୋଇଥିଲେ । ତେବେ ଛତିଶଗଡ଼ ରାୟଗଡ଼ ଜିଲାର ବନୋରା ଡୁମେରପାଲିରେ ତାଙ୍କୁ ଭାଇଭାଗ ମିଳିବାରୁ ୧୯୭୪ ମସିହାରେ ସେଠାରେ ରହି ଆସୁଛନ୍ତି । ଶ୍ରୀ ଭୋଇ ଛତିଶଗଡ଼ରେ ଭାଷା ପ୍ରସାରରେ ଲାଗିଥିବା ଚତୁର୍ଭୁଜ ପଣ୍ଡା ଓ ରାମକୁମାର ଅଗ୍ରୱାଲଙ୍କ ପ୍ରେରଣାରେ ୨୦୦୧ ମସିହାରୁ ଛତିଶଗଡ଼ ଅଞ୍ଚଳରେ ଭାଷାର ପ୍ରସାର କାମ ଆରମ୍ଭ କରିଛନ୍ତି । ରାୟଗଡ଼ ଜିଲାର ଅଧିକାଂଶ ଅଞ୍ଚଳ ଓଡ଼ିଶା ସୀମାକୁ ଲାଗି ରହିଥିବା ହେତୁ ଏଠାର ଓଡ଼ିଆ ଭାଷାରେ ପ୍ରାୟତଃ ବାର୍ତ୍ତାଳାପ ହୁଏ ଓ ବହୁ ସଂଖ୍ୟକ ଓଡ଼ିଆ ଲୋକ ବସବାସ କରନ୍ତି । ହେଲେ କୌଣସି ବିକଳ୍ପ ନ ଥିବା ହେତୁ ଓଡ଼ିଆମାନେ ମଧ୍ୟ ଓଡ଼ିଆ ଗୀତିନାଟ୍ୟକୁ ହିନ୍ଦୀ ଭାଷାନ୍ତର କରି ଗାଁ ଗାଁରେ ପରିବେଷଣ କରୁଥିବା ଦେଖି କ୍ଷମାସାଗର ବହୁ ବ୍ୟଥିତ ହୋଇଥିଲେ । ସେବେଠାରୁ ସେ ଛତିଶଗଡରେ ରହୁଥିବା ଓଡ଼ିଆଙ୍କୁ ଓଡ଼ିଆ ଲେଖିବା ଓ ପଢ଼ିବା ଶିକ୍ଷାଦେବା ଆରମ୍ଭ କରିଥିଲେ । ବର୍ତ୍ତମାନ ଛତିଶଗଡ଼ର ବେଲେରିଆଠାରେ ନିଜସ୍ୱ ଉଦ୍ୟମରେ ସତ୍ୟମ ଆଶ୍ରମ ଓଡ଼ିଆ ତପୋଭୂମି ସ୍ଥାପନ କରି ଲକ୍ଷ୍ମୀଦେବୀ ପାଠାଗାର ସ୍ଥାପନ କରିଛନ୍ତି । ସେଠାରେ ଗୋପବନ୍ଧୁ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରିଛନ୍ତି ।
ଛତିଶଗଡ଼ର ରାୟଗଡ଼ ଜିଲାର ବରମକେଲା, ପୁସୋର, ଜାଞ୍ଜଗିର ଚାଁପା ଜିଲାର ଦଭୋରା, ବିଳାସପୁର ଜିଲାର ବିଳାସପୁର, ମହାସମୁନ୍ଦ ଜିଲାର ବସନା, ସରେଇପାଲି, ଜୋସୋର, ସୁରଗୁଜା, ପଥୋରା ଅଞ୍ଚଳରେ ଶତକଡ଼ା ୪୦ରୁ ୫୦ ଭାଗ ଓଡ଼ିଆ ଲୋକ ବସବାସ କରୁଥିବା ବେଳେ ଏହି ଅଞ୍ଚଳରେ ୧୯୦ଟି ସ୍କୁଲରେ କ୍ଷମାସାଗରଙ୍କ ପ୍ରଚେଷ୍ଟାରେ ଓଡ଼ିଆ ପାଠ ପଢ଼ାଯାଉଛି । କ୍ଷମାସାଗର ଭୋଇ ପ୍ରଥମେ ଛତିଶଗଡର କେତୋଟି ଗ୍ରାମରେ ଓଡ଼ିଆ ପଢ଼େଇବା ଆରମ୍ଭ କରିଥିଲେ । ପରେ ଛତିଶଗଡ଼ର ବୋହୂ ହୋଇଥିବା ଓଡ଼ିଆ​‌ ଝିଅମାନଙ୍କୁ ସେ ଭାଷା ଜ୍ଞାନ ଶିଖାଇବା କାମରେ ନିୟୋଜିତ କରିଥିଲେ । କ୍ଷମାସାଗରଙ୍କ ପ୍ରୟାସକୁ ଦେଖି ୨୦୦୩ ମସିହାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଛତିଶଗଡ଼ରେ ଓଡ଼ିଆ ଶିକ୍ଷକ ଯୋଗାଇ ଦିଆଯାଇଥିଲା । ଛତିଶଗଡ଼ରେ ନିଜସ୍ୱ ଉଦ୍ୟମରେ ଓଡ଼ିଆ ବର୍ଣ୍ଣବୋଧ ପୁସ୍ତକ ପ୍ରକାଶିତ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବିତରଣ କରନ୍ତି । ଏହି ଓଡ଼ିଆ ଭାଷାଭାଷୀ ଲୋକଙ୍କର ଓଡ଼ିଆ ଶିଖିବାର ଆଗ୍ରହ ଦେଖି ଛତିଶଗଡ଼ ସରକାର ମଧ୍ୟ ହିନ୍ଦୀ-ଓଡ଼ିଆ ଦ୍ୱିଭାଷୀ ବହି ଛପାଇ ସ୍କୁଲ ଗୁଡ଼ିକରେ ବିତରଣ କରୁଛନ୍ତି । ହେଲେ ମାତୃଭାଷାରେ ପ୍ରାଥମିକ ଶିକ୍ଷାପ୍ରାପ୍ତ କରିବାର ସମସ୍ତଙ୍କ ସାମ୍ବିଧାନିକ ଏବଂ ମୌଳିକ ଅଧିକାର ଅଟେ । ତେଣୁ ଛତିଶଗଡ଼ରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଶା ପଢାଉଥିବା ଶିକ୍ଷକମାନଙ୍କୁ ଛତିଶଗଡ଼ ସରକାର ସରକାରୀ ଶିକ୍ଷକ ଭାବରେ ଗ୍ରହଣ କରି ଦରମା ପ୍ରଦାନ କରନ୍ତୁ; ଏବଂ ଛତିଶଗଡ଼ରେ ରହୁଥିବା ଓଡ଼ିଆଙ୍କ ନିଜ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା କରନ୍ତୁ ବୋଲି କ୍ଷମାସାଗର ଦାବି କରିଛନ୍ତି।
ତାଙ୍କ ପ୍ରଚେଷ୍ଟା ଫଳରେ ଛତିଶଗଡ଼ର ୮ଟି ଜିଲାରେ ୧୫୨ଟି ଭାଗବତ ଟୁଙ୍ଗି ସେ ପ୍ରତିଷ୍ଠା କରାଯାଇଛି । ଭାବଗତ ଟୁଙ୍ଗି ପ୍ରଚାର ସମିତି, ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ କରାଯାଇଥିବା ଏହି ଅଭିଯାନ ଫଳରେ ଏବେ ବିଚ୍ଛିନ୍ନାଞ୍ଚଳର ପ୍ରତ୍ୟେକ ଗାଁ ଭାଗବତର ସୁଧାମୟ ବାଣୀରେ ପବିତ୍ର ହେଉଛି । ସେ ଉଭୟ ଛତିଶଗଡ଼ ଓ ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକରେ ହାରମିନିୟମ ମାଷ୍ଟର ତଥା ଜଣେ ସୁସାହିତ୍ୟକ ଭାବରେ ପରିଚିତ । ତାଙ୍କ ପ୍ରୟାସର ସହଯୋଗିତା ସ୍ବରୂପ ବାଳକୃଷ୍ଣ ଦାସ ସଂଗୀତ ପ୍ରତିଷ୍ଠାନର ସହଯୋଗରେ ଛତିଶଗଡରେ ରହୁଥିବା ଓଡିଆ କଳାକାରମାନଙ୍କୁ ଓଡ଼ିଶୀ ନୃତ୍ୟଗୀତର ଶିକ୍ଷା ପ୍ରଦାନ କରାଯାଉଛି ।
କ୍ଷମାସାଗର ମୁକ୍ତ କଣ୍ଠରେ ପ୍ରକାଶ କରନ୍ତି ତାଙ୍କ ପରିଚିତି ଓ ପ୍ରୟାସର ସଫଳତା ଦିଗରେ ‘ସମାଜ’ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତାଙ୍କ ପ୍ରୟାସ, ସଂଘର୍ଷକୁ ସମ୍ମାନ ଜଣାଇ ୨୦ରୁ ଅଧିକ ସଂଗଠନ ତାଙ୍କୁ ସମ୍ମାନ ଜଣାଇଛନ୍ତି । ସେ ନିଜକୁ ଜଣେ ପରିବ୍ରାଜକ କହନ୍ତି । ଲଖନପୁର ବ୍ଲକର ମୂଳବାସିନ୍ଦା ଶ୍ରୀ ଭୋଇ ୭୧ବର୍ଷ ବୟସରେ ବି ଛତିଶଗଡ଼ର ଗାଁ ଗାଁରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବ୍ରତୀ ଅଛନ୍ତି । ଯେଉଁଠି ରାତ୍ରି ହୁଏ ସେଇଠି ଶୟନ କରେ ବୋଲି ସେ କହନ୍ତି । ଶିକ୍ଷାଗତ ଯୋଗ୍ୟତା ଅତି କମ୍ ହୋଇଥିଲେ ସୁଦ୍ଧା ଭାଷା, ଯୋଗ, ଆଧ୍ୟାତ୍ମିକ ସାଧନା, ଦର୍ଶନ ଆଦିରେ ତାଙ୍କର ଗଭୀରତା ଓ ପ୍ରଗଳ୍ଭତା ଲୋକଙ୍କୁ ବାନ୍ଧି ରଖେ । ମୋଟାମୋଟି ଭାବେ କହିବାକୁ ଗଲେ ​‌େ​‌ସ ଭାଷା ଭଗୀରଥ ରୂପେ ଅଣଓଡ଼ିଆ ବିଚ୍ଛିନ୍ନାଞ୍ଚଳରେ ଭାଷାର ପ୍ରସାର ପାଇଁ ଯେଉଁ ପ୍ରଚାର କରୁଛନ୍ତି ତାହା ଅତୁଳନୀୟ।

kalyan agarbati

Comments are closed.