ଭାଉଜଙ୍କୁ ହତ୍ୟା ଅଭିଯୋଗ, ୨ ଦିଅର ଓ ଜାଆ କୋର୍ଟ ଚାଲାଣ
ଭୁବନେଶ୍ବର: ପାରିବାରିକ ବିବାଦକୁ କେନ୍ଦ୍ର କରି ସତ୍ୟବାଦୀ ଥାନା ବସନ୍ତପଡା ଗ୍ରାମରେ ଡଲି ପାତ୍ର ନାମକ ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ମୃତ ମହିଳାଙ୍କ ୨ ଦିଅର ଓ ଜାଆଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି ପୁରୀ କୋର୍ଟ ଚାଲାଣ କରାଯାଇଛି।
ଗତ ୧୨ ତାରିଖରେ ପୌତୃକ ସମ୍ପତି ଭାଗ ବଣ୍ଟନକୁ କେନ୍ଦ୍ର କରି ପ୍ରଥମେ କଥା କଟାକଟି ହୋଇଥିଲେ। ପରବର୍ତ୍ତି ସମୟରେ ଏହା ଗଣ୍ଡଗୋଳ ରୂପ ନେଇଥିଲା। ବିଦ୍ୟାଧର ପାତ୍ର, ଲକ୍ଷ୍ମୀଧର ପାତ୍ର ଏଵଂ ଲକ୍ଷ୍ମୀଧରଙ୍କ ପତ୍ନୀ ମମତା ପାତ୍ର ପାତ୍ର ୩ଜଣ ମିଶି ଧର୍ମପଦଙ୍କ ପତ୍ନୀ ଡଲି ପାତ୍ରଙ୍କ ଚୁଟି ଧରି ଟଣାଟଣି କରିଥିଲେ ଏବଂ କାନ୍ଥରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ।
ଡଲି ଗୁରୁତର ଆହତ ସହ ଚେତାଶୂନ୍ୟ ହୋଇ ପଡିବାରୁ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପୁରୀଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଧର୍ମପଦଙ୍କ ଅଭିଯୋଗ ଆଧାରରେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ଵେହେରା ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲେ। ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍କ୍ବାଡ ଗଠନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଅତିରିକ୍ତ ଏସପି ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଓ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟଫିକ ଟିମ ସହ ତଦନ୍ତ କରିଥିଲେ।
Comments are closed.