ଭକ୍ତଙ୍କ କୋଠଭୋଗରୁ ଶ୍ରୀଜୀଉ ବଞ୍ଚିତ !
– ୬ ବର୍ଷ ହେଲା ଅମୃତମଣୋହି ଦାନ ଯୋଜନା ବନ୍ଦ
– ବର୍ଷକୁ ୧୦କୋଟି ଟଙ୍କା ହରାଉଛି ମନ୍ଦିର ପ୍ରଶାସନ
– ୩୫ବର୍ଷରେ ହୁଣ୍ଡିରୁ ମିଳିଛି ୬୦କୋଟି ଟଙ୍କା
ପୁରୀ : ଭକତ ଭାବରେ ବନ୍ଧା କାଳିଆ ଠାକୁର। ଶ୍ରଦ୍ଧା ଓ ସମର୍ପଣ ପ୍ରକଟ କରେ ଭକ୍ତ। ଷାଠିଏ ପଉଟି କୋଠଭୋଗଖିଆ ବୋଲାଉଥିବା ଶ୍ରୀଜୀଉଙ୍କୁ ଭକ୍ତ ତା’ର ଦାନପତ୍ର ଜରିଆରେ ଅତୀତରେ ବାଢିଦେଉଥିଲା ନୈବେଦ୍ୟ। ଶ୍ରୀଜୀଉଙ୍କୁ କୋଠଭୋଗ ସମର୍ପଣ ପରେ ଏହାକୁ ଆନନ୍ଦରେ ସେବନ କରୁଥିଲେ ନିୟମିତ ଶହ ଶହ ଭକ୍ତ। ବିଭିନ୍ନ ଆଶ୍ରମରେ ମାଗଣାରେ ହେଉଥିଲା ବଣ୍ଟନ। ସମର୍ପିତ ମୁଠାଏ ଅବଢା ପାଇଁ ଭକ୍ତ ଗଦ୍ଗଦ୍ ହୋଇଉଠୁଥିଲା। ଭଗବାନ କିଛି ଗ୍ରହଣ କରନ୍ତିନାହିଁ; ମାତ୍ର କୋଠଭୋଗ ଲାଗି ଦାନଦେଇ ଭକ୍ତ ହେଉଥିଲା ଆନନ୍ଦିତ ଓ ନିଜକୁ ମଣୁଥିଲା କୃତାର୍ଥ। ଶ୍ରୀମନ୍ଦିର ଦୈନିକ କୋଠଭୋଗ ଲାଗି ସରକାରଙ୍କୁ ଦେବାକୁ ପଡୁନଥିଲା କୌଣସି ଅର୍ଥ। ଏଇଥିପାଇଁ ୧୯୮୬ ମସିହାରୁ ଆରମ୍ଭ ହୋଇଥିଲା ଅମୃତମଣୋହି ଦାନଯୋଜନା। କ୍ଷୋଭର କଥା; କିଛି ସେବକଙ୍କ ବ୍ୟାବସାୟିକ ଫାଇଦା ଲାଗି ବନ୍ଦ ହୋଇଯାଇଛି ଏହି ବ୍ୟବସ୍ଥା। ଫଳରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବର୍ଷକୁ ହରାଉଛି ପ୍ରାୟ ୧୦କୋଟି ଟଙ୍କାର ରାଜସ୍ୱ। ଅନ୍ୟପଟେ ଶ୍ରୀଜୀଉଙ୍କ କୋଠଭୋଗ ପରିଚାଳନା ନେଇ ମଧ୍ୟ ଆର୍ଥିକ ସଂକଟ ଦେଖାଦେଇଛି। କାହିଁକି ଓ କାହାସ୍ୱାର୍ଥରେ ଏଭଳି ଏକ ସ୍ୱାବଲମ୍ବୀ ଭୋଗ ଯୋଜନାକୁ ଶ୍ରୀମନ୍ଦିରରେ ବନ୍ଦ କରିଦିଆଗଲା?
୧୯୮୬ ମସିହାରେ ରାଜ୍ୟ ସରକାର ଅମୃତମଣୋହି ଦାନଯୋଜନା ପ୍ରଚଳନ କରିଥିଲେ। ମହାପ୍ରଭୁଙ୍କ ଦୈନନ୍ଦିନ କୋଠଭୋଗକୁ ସ୍ୱାବଲମ୍ବୀ କରିବା ଥିଲା ଏହାର ଉଦେଶ୍ୟ। ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କ ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନଧୂପ, ସନ୍ଧ୍ୟାଧୂପ ଏବଂ ବଡ଼ସିଂହାର ଭୋଗ ପାଇଁ ଦାନ ଯୋଜନାରେ ଅର୍ଥ ଜମା କରୁଥିଲେ। ସେମାନଙ୍କ ପ୍ରଦତ୍ତ ଅର୍ଥ ବ୍ୟାଙ୍କରେ ରଖାଯାଇ ସେଥିରୁ ମିଳୁଥିବା ସୁଧରେ ପ୍ରଭୁଙ୍କ କୋଠଭୋଗ ସମ୍ପନ୍ନ ହେଉଥିଲା। ପିତାମାତାଙ୍କ ଶ୍ରାଦ୍ଧବାର୍ଷିକୀ, ପିଲାଙ୍କ ଜନ୍ମଦିନ ଏବଂ ବିବାହବାର୍ଷିକୀ ତିଥିରେ ଶ୍ରୀଜୀଉଙ୍କୁ କୋଠଭୋଗ ଅର୍ପଣ ପାଇଁ ଭକ୍ତମାନେ ଅର୍ଥ ଦାନ କରୁଥିଲେ। ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ନୈବେଦ୍ୟ ମଧ୍ୟରୁ ସଂପୃକ୍ତ ତିଥିରେ ଦାତାଙ୍କୁ ମନ୍ଦିର ପ୍ରଶାସନ ମହାପ୍ରସାଦ ପ୍ରଦାନ କରୁଥିଲା।
ଦାନଅର୍ଥରେ ଶ୍ରୀଜୀଉଙ୍କୁ କୋଠଭୋଗ କରାଯାଇ ଅନ୍ନମହାପ୍ରସାଦ ବ୍ରାହ୍ମଣଙ୍କ ସମେତ କୁଷ୍ଠାଶ୍ରମ ଓ ଅନାଥାଶ୍ରମରେ ବିତରଣ ପାଇଁ ଶତାଧିକ ଭକ୍ତ ଦାନପତ୍ରରେ ସ୍ୱୀକୃତି ଦେଉଥିଲେ। ଅମୃତମଣୋହି ଦାନଯୋଜନା ଯୋଗୁଁ ଶ୍ରୀଜୀଉଙ୍କ କୋଠଭୋଗ ସ୍ୱାବଲମ୍ବୀ ହୋଇଥିଲା। ଏହି ଯୋଜନା ପ୍ରତି ଭକ୍ତଙ୍କ ଆଗ୍ରହ ବୃଦ୍ଧି ପାଉଥିବା ଦେଖି କେତେକ ସେବକ ତାହାକୁ ବିରୋଧ କରିଥିଲେ। ଦାନଯୋଜନା ଉଚ୍ଛେଦ ପାଇଁ ସେମାନେ ଦାବି କରିଥିଲେ। ସେମାନଙ୍କ ସପକ୍ଷରେ କେତେକ ରାଜନେତା ଯୁକ୍ତି ବି ବାଢି ଯୋଜନା ବନ୍ଦ ସପକ୍ଷରେ କହିଥିଲେ। ମୁଷ୍ଟିମେୟ ସେବକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର ଓ ଭକ୍ତଙ୍କ ସାମୂହିକ ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଇଛି। ୨୦୧୨ ମସିହାଠାରୁ ରାଜ୍ୟ ସରକାର ଅମୃତମଣୋହି ଦାନଯୋଜନା ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ବର୍ଷକୁ ଅଳ୍ପ କିଛି ଅର୍ଥ ଅନୁଦାନ ଭାବେ ପ୍ରଦାନ କରୁଛନ୍ତି। ଯେତିକି ମିଳୁଛି ତାହା କୋଠଭୋଗ ନୀତି ସମ୍ପନ୍ନ ପାଇଁ ଯଥେଷ୍ଟ ହେଉନାହିଁ। ଅମୃତମଣୋହି ଦାନଯୋଜନା ଉଚ୍ଛେଦ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୋଠଭୋଗ ଦାନ ଓ ନୈବେଦ୍ୟରୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ବଞ୍ଚିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଯୋଜନାରେ ପୂର୍ବରୁ ମିଳିଥିବା ୪କୋଟି ୫ଲକ୍ଷ ୪୩ହଜାର ୪୭୫ଟଙ୍କା ବର୍ତ୍ତମାନ ବ୍ୟାଙ୍କ ଜମାଖାତାରେ ଗଚ୍ଛିତ ରହିଛି। କୋଠଭୋଗ ଅର୍ଥ ଭରଣା ପାଇଁ ମନ୍ଦିର ପ୍ରଶାସନ ପ୍ରତିବର୍ଷ ସରକାରଙ୍କ ଅନୁଦାନକୁ ଅପେକ୍ଷା କରୁଛି।
ସେହିପରି ୧୯୮୩ ମସିହାରେ ଶ୍ରୀମନ୍ଦିରରେ ହୁଣ୍ଡିବାକ୍ସ ପ୍ରତିଷ୍ଠା କରାଯାଇଥିଲା। ତାହାକୁ ମଧ୍ୟ କେତେକ ସେବକ ବିରୋଧ କରିଥିଲେ। ବିବାଦ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଶ୍ରୀମନ୍ଦିର ଭିତରେ ମନ୍ଦିର ପ୍ରଶାସନ ବ୍ୟତୀତ କୌଣସି ସେବକଙ୍କ ଦାନ ଓ ଦକ୍ଷିଣା ନେବାର ଅଧିକାର ନଥିବା ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ନିର୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ହୁଣ୍ଡିବାକ୍ସରୁ ଏପର୍ଯ୍ୟନ୍ତ ଅର୍ଥାତ୍ ୩୫ ବର୍ଷ ମଧ୍ୟରେ ମିଳିଛି ୬୦କୋଟି ୫୬ଲକ୍ଷ ୯୯ହଜାର ୩୦୧ଟଙ୍କା ଏବଂ ପ୍ରାୟ ୨୦କି.ଗ୍ରା ସୁନା। ଏହାଛଡ଼ା ଶ୍ରୀମନ୍ଦିରର ୭ଟି ସ୍ଥାନରେ ଦାନବାକ୍ସ ଏବଂ ଭେଟବାକ୍ସ ରଖାଯାଇଛି। କିନ୍ତୁ କେତେକ ସେବକ ନିଯୋଗ ମନ୍ଦିର ଭିତର ବେଢାରେ ଅନ୍ନଦାନ ଆଟିକା ଭୋଗ ନାମରେ ଭକ୍ତଙ୍କଠାରୁ ଅର୍ଥ ଆଦାୟ କରୁଥିବାରୁ ହୁଣ୍ଡି, ଦାନବାକ୍ସ ଓ ଭେଟବାକ୍ସ ଗୁଡ଼ିକରେ ଆଶା ଅନୁଯାୟୀ ଦାନ ପଡୁନାହିଁ। ସେବକଙ୍କ ଦାନଦକ୍ଷିଣା ଆଦାୟ ଉପରେ ଶୁକ୍ରବାର ମାନବ୍ୟର ସୁପ୍ରିମକୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଏହାପରେ ହୁଣ୍ଡିଦାନ ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇଛି। ତେଣୁ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଅଧିକ ହୁଣ୍ଡିବାକ୍ସ ରଖାଯିବା ସହ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ଏବଂ ଅମୃତମଣୋହି ଦାନଯୋଜନା ପୁନଃପ୍ରଚଳନ କରାଯିବାକୁ ଦାବି ହେଉଛି।
ଅନ୍ୟପକ୍ଷରେ ଅମୃତମଣୋହି ଦାନ ଯୋଜନା ଉଚ୍ଛେଦ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ମତାମତ ଲୋଡ଼ାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।