ଜଳପଥ ସୁରକ୍ଷା ଢିଲା: ଅଧାରୁ ଅଧିକ ବୋଟ୍ ଚାଲୁନି, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅସୁରକ୍ଷିତ
ଭୁବନେଶ୍ବର: ମୁମ୍ବଇରେ ଆତଙ୍କବାଦୀ ଆକ୍ରମଣ ପରେ ସରକାର ଉପକୂଳ ସୁରକ୍ଷା ପାଇଁ ୧୮ଟି ଥାନା ପାଇଁ ଅନୁମୋଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୧୩ଟି ଉପକୂଳ ଥାନା ପ୍ରତିଷ୍ଠା ହୋଇଥିଲା। ଗୋଟିଏ ଥାନାରେ ଶହେ ପାଖାପାଖି କର୍ମଚାରୀ ରହିବାକୁ ନିଷ୍ପତ୍ତି ହୋଇଥିଲା। ନିଯୁକ୍ତ କର୍ମଚାରୀଙ୍କ ମଧ୍ୟରେ ୬୦ ଅବସରପ୍ରାପ୍ତ ନୌସେନାର କର୍ମଚାରୀ ୪୦ ଜଣ ରାଜ୍ୟ ସରକାରଙ୍କର ପୁଲିସ କର୍ମଚାରୀ ରହିବେ ଏବଂ ସେମାନଙ୍କ ମଧ୍ୟରେ ଜଣେ ଆରକ୍ଷୀ ନିରୀକ୍ଷକ(ଇନ୍ସପେକ୍ଟର) ରହିବେ ବୋଲି ସ୍ଥିର ହୋଇଥିଲା। ସ୍ବତନ୍ତ୍ର ଇଣ୍ଟରସେପ୍ଟର ବୋଟ୍ ସହିତ କୋଷ୍ଟ ଗାର୍ଡ ସହଯୋଗରେ ମେରାଇନ ପୁଲିସ ମିଳିତ ଭାବରେ ଉପକୂଳ ଜଗିବେ। ଏହି ସ୍ବତନ୍ତ୍ର ବୋଟ୍ ପ୍ରତିଦିନ ପାଟ୍ରୋଲିଂ କରିବ। ଉଭୟ ସ୍ଥଳ ଓ ଜଳଭାଗରେ ପୁଲିସ କାମ କରିବ। ମେରାଇନ ଥାନା ହେଲା। ବୋଟ ମଧ୍ୟ ଆସିଲା। ଆଶ୍ଚର୍ଯ୍ୟର କଥା ଏବେ ବୋଟ୍ ଖତ ଖାଉଛି। ତାହା ସହିତ ଥାନାରେ କର୍ମଚାରୀଙ୍କ ଅଭାବ ରହିଛି। ରାଜ୍ୟର ୪୮୭ କି.ମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟରେ ଥିବା ୧୮ଟି ସାମୁଦ୍ରିକ ଥାନାରୁ ୯ଟି ଥାନାରେ ପାଟ୍ରୋଲିଂ ପାଇଁ ବୋଟ୍ ନଥିବା ଜଣାପଡ଼ିଛି। ଯେଉଁ କେତୋଟି ବୋଟ୍ ଅଛି, ତାହା ସମୁଦ୍ର ଭିତରକୁ ଯିବା ଅବସ୍ଥାରେ ନାହିଁ। ଅନୁପ୍ରବେଶକାରୀ ଅବାଧରେ ସମୁଦ୍ର ବାଟ ଦେଇ ପ୍ରବେଶ କରୁଛନ୍ତି। ଓଡ଼ିଶା ସୀମାକୁ ଲାଗିଥିବା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବର ଜିଲା ବଳରାମଗଡ଼ି, ଭଦ୍ରକର ଧାମରା, କେନ୍ଦ୍ରାପଡ଼ାର ଜମ୍ବୁ, ଜଗତ୍ସିଂହପୁରର ପାରାଦ୍ବୀପ ଓ ଗଞ୍ଜାମ ଜିଲାର ଆର୍ଯ୍ୟପଲ୍ଲୀରେ ସାମୁଦ୍ରିକ ଥାନା ସ୍ଥାପନ ହୋଇଥିଲା।
ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଥାନାରେ ଜଣେ ଇନ୍ସପେକ୍ଟରଙ୍କୁ ମିଶାଇ ୮୧ ଜଣ ଲେଖାଏଁ ପୁଲିସ କର୍ମଚାରୀ ପଦ ସୃଷ୍ଟି କରାଯାଇଥିଲା। ୫ଟି ୫ ଟନ୍ ଫାଷ୍ଟ ଇଣ୍ଟର୍ସେପ୍ଟର ବୋଟ୍ (ଏଫ୍ଆଇବି) ନିୟୋଜିତ ହୋଇଥିଲା। ୫ଟି ଥାନାକୁ ୩ଟି କରି ୧୫ଟି ବୋଟ୍ ଯୋଗାଇ ଦିଆଯାଇଥିଲା। ଯାହା ସମୁଦ୍ର ଲହଡିକୁ ସାମନା କରିବାକୁ ଅକ୍ଷମ ଥିଲା। ଆର୍ଯ୍ୟପଲ୍ଲୀ ଥାନାର ଦୁଇଟି ବୋଟ୍ ବାତ୍ୟା ଫାଇଲିନ୍ରେ ନଷ୍ଟ ହୋଇଥିଲା। ୨୦୧୪ରେ ପୁଲିସ ବିଭାଗର ସମୁଦ୍ରତଟ ସୁରକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏ ସଂକ୍ରାନ୍ତରେ ଚିଠି ଲେଖାଯାଇଥିଲା।
ଦ୍ବିତୀୟ ପର୍ଯ୍ୟାୟରେ ୧୩ଟି ଥାନା ପାଇଁ ନୂଆ ବୋଟ୍ ଦେବାବେଳେ ବୋଟ୍ଗୁଡ଼ିକ ଯେଭଳି ଲହଡ଼ିକୁ ସାମନା କରିପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଥିବା ବୋଟ୍ ଏବେ ସମୁଦ୍ରତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିବା ଏଥିରୁ ଅନୁମେୟ ହୋଇଛି। ମୁଖ୍ୟତଃ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ ବାଲେଶ୍ବର ଭଳି ଜିଲାର ସମୁଦ୍ରତଟବର୍ତ୍ତୀ ଅଞ୍ଚଳ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଗଳାବାଟ ହୋଇଥିବା ବେଳେ ସେହି ବାଟରେ ବେଆଇନ କାରବାର ଅଧିକ ସହଜ ହେଉଥିବା କୁହାଯାଉଛି। ସୋନପୁର, ଚନ୍ଦ୍ରଭାଗା, ପେଣ୍ଠକଟା, ବନ୍ଦର, ଜଟାଧାରୀ, ତନ୍ତିଆପାଳ, କଷାଫଳ, ଚୂଡ଼ାମଣି, ତଳସାରି ସାମୁଦ୍ରିକ ଥାନାରେ ବୋଟ୍ ଆଦୌ ନଥିବା ସୂଚନା ରହିଛି।
ଅବୈଧ ଅସ୍ତ୍ରଶସ୍ତ୍ର ଆମଦାନୀ ଓ ରପ୍ତାନିକୁ ରୋକିବା, ସାମୁଦ୍ରିକ ପଥ ଦେଇ ନିଷିଦ୍ଧ ସାମାଗ୍ରୀର ବେଆଇନ କାରବାର୍ ଓ ଦେଶଦ୍ରୋହୀଙ୍କ ଅନୁପ୍ରବେଶ ଉପରେ ରୋକ୍ ଲଗାଇବା ଲାଗି ସାମୁଦ୍ରିକ ଥାନା ପ୍ରତିଷ୍ଠା ମୂଳଲକ୍ଷ୍ୟ ଥିଲା। ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଏବେ ଅସୁରକ୍ଷିତ ହୋଇଛି। ଖୋଲାମେଲା ପଡ଼ିଛି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଫଳରେ ଜଳପଥ ଦେଇ ଆତଙ୍କବାଦୀଙ୍କ ପ୍ରବେଶ ଆଶଙ୍କା ଦେଖାଦେଇଛି। ସମସ୍ତ ସାମୁଦ୍ରିକ ଥାନାରେ ଡଜନେ ଲେଖାଏଁ ପଦବୀ ଖାଲି ପଡ଼ିଛି। ଅଧାରୁ ଅଧିକ ଥାନାରେ ବୋଟ୍ ଚାଲୁନି।
ଏହି ଥାନାକୁ ସରକାରଙ୍କ ଉପେକ୍ଷା ଚିନ୍ତାର କାରଣ ପାଲଟିଛି। ଯାହାଫଳରେ ଅନୁପ୍ରବେଶକରୀଙ୍କ ଅବାଧ ପ୍ରବେଶକୁ ରୋକିବା କଷ୍ଟକର ହୋଇଛି। ସମୁଦ୍ରରେ ବେଆଇନ ଟ୍ରଲର୍ ଚଳାଚଳ ଦିନକୁ ଦିନ ବୃଦ୍ଧି ପାଉଛି। ବାହାର ରାଜ୍ୟର ଟ୍ରଲର୍ ଓଡ଼ିଶା ସମୁଦ୍ରର ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ଖସି ଯାଉଛନ୍ତି। ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏସବୁ ଦୃଷ୍ଟିରୁ ଜଳପଥ ସୁରକ୍ଷା କଡ଼ାକଡ଼ି କରାଯିବା ଜରୁରୀ ହୋଇପଡ଼ିଛି।
Comments are closed.