ମୁମ୍ବାଇ: ଅକ୍ଷୟ କୁମାର-ମାନୁଷୀ ଛିଲ୍ଲର ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ର ଟ୍ରେଲର ସୋମବାର ରିଲିଜ୍ ହୋଇଛି। ଟ୍ରେଲରରେ ଅକ୍ଷୟଙ୍କ ପୃଥ୍ବୀରାଜ ଚୌହାନ ଭୂମିକାରେ ଦମଦାର ଅଭିନୟ ଦେଖିବାକୁ ମିଳିଛି। ସେହିପରି ପୂର୍ବତନ ବିଶ୍ବ ସୁନ୍ଦରୀ ମାନୁଷୀ ଛିଲ୍ଲର ରାଜକୁମାରୀ ସଂୟୋଗିତା ଭୂମିକାରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଏଥିରେ ସମ୍ରାଟ ପୃଥ୍ବୀରାଜ ଚୌହାନ ଓ ରାଜକୁମାରୀ ସଂୟୋଗିତାଙ୍କ ପ୍ରେମ କାହାଣୀ ସାଙ୍ଗକୁ ୧୧୯୧ ଓ ୧୧୯୨ରେ ପୃଥ୍ବୀରାଜ ଚୌହାନ ଓ ମହମ୍ମଦ ଘୋରୀଙ୍କ ମଧ୍ୟରେ ହୋଇଥିବା ତରାଇନ ଯୁଦ୍ଧର ଝଲକ୍ ମଧ୍ୟ ଦେଖିବାକୁ ମିଳିଛି।
ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲରଙ୍କ ବ୍ୟତୀତ ଟ୍ରେଲରରେ ଅଭିନେତା ସୋନୁ ସୁଦ୍ କବି ଚନ୍ଦବରଦାଇ ଭୂମିକାରେ ନଜର ଆସିଛନ୍ତି। ସେହିପରି ସଞ୍ଜୟ ଦତ୍ତ କାକା କାହ୍ନା ଚରିତ୍ରରେ ଅବତ୍ତୀର୍ଣ୍ଣ। ଏଥିସହ ଆଶୁତୋଷ ରାଣା ଜୟଚନ୍ଦ ଓ ମାନବ ବିଜ୍ ମହମ୍ମଦ ଘୋରୀ ଭୂମିକାରେ ଅଭିନୟ କରିଛନ୍ତି। ଡ. ଚନ୍ଦ୍ରପ୍ରକାଶ ଦ୍ବିବେଦୀଙ୍କ ଦ୍ବାରା ନିର୍ଦେଶିତ ‘ପୃଥ୍ବୀରାଜ’ ଜୁନ୍ ୩ ତାରିଖରେ ପ୍ରେକ୍ଷାଳୟକୁ ଆସିବ।



