‘ଜନ ସମର୍ଥ ପୋର୍ଟାଲ’ର ଲୋକାର୍ପଣ ଆସନ୍ତାକାଲି
ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର(ଆସନ୍ତାକାଲି) ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିବେ । “ଆଜାଦୀ କା ଅମୃତ ମହୋତ୍ସବ” ପାଳନର ଅଂଶବିଶେଷ ସ୍ବରୂପ ଜୁନ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି ।
ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଋଣ ଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ-ଜନ ସମର୍ଥ ପୋର୍ଟାଲର ଉନ୍ମୋଚନ କରିବେ । ପ୍ରଥମ ଥର ପାଇଁ ଏପରି ଏକ ପୋର୍ଟାଲ ଆରମ୍ଭ ହେବାକୁ ଯାଉଛି ଯାହାକି ସିଧାସଳଖ ହିତାଧିକାରୀଙ୍କୁ ଋଣଦାତାଙ୍କ ସହିତ ଯୋଡ଼ିବ। ସରଳ ଓ ସହଜ ଡିଜିଟାଲ ପ୍ରକ୍ରିୟା ମାଧ୍ୟମରେ ସଠିକ ପ୍ରକାରର ସରକାରୀ ଲାଭ ଯୋଗାଇ ଦେବା ସହିତ ବିଭିନ୍ନ କ୍ଷେତ୍ରକୁ ମାର୍ଗଦର୍ଶନ ଓ ପରାମର୍ଶ ଯୋଗାଇ ଦେଇ ସେମାନଙ୍କର ସମାବେଶୀ ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ହେଉଛି ଜନ ସମର୍ଥ ପୋର୍ଟାଲର ଉଦ୍ଦେଶ୍ୟ । ସମସ୍ତ ସରକାରୀ ପ୍ରୋତ୍ସାହନ ଯୋଜନା ପାଇଁ ଏହି ପୋର୍ଟାଲ ଏଣ୍ଡ ଟୁ ଏଣ୍ଡ କଭରେଜ ପ୍ରଦାନ କରିବ ।
ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏକ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ ଯାହାକି ବିଗତ ଆଠ ବର୍ଷ ମଧ୍ୟରେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଯାତ୍ରାକୁ ପ୍ରଦର୍ଶିତ କରିବ । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ୧, ୨, ୫, ୧୦ ଏବଂ ୨୦ ଟଙ୍କିଆ ମୁଦ୍ରାର ସ୍ବତନ୍ତ୍ର ସିରିଜ ଜାରି କରିବେ । ଏହି ସ୍ବତନ୍ତ୍ର ସିରିଜର ମୁଦ୍ରା ବା କଏନରେ ଆଜାଦୀ କା ଅମୃତ ମହୋତ୍ସବର ଲୋଗୋ ରହିବ ଏବଂ ଦୃଷ୍ଟିହୀନ ଲୋକମାନେ ଏହାକୁ ସହଜରେ ଚିହ୍ନଟ କରିପାରିବେ ।
ଏହି କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଦେଶର ୭୫ଟି ସ୍ଥାନରେ ଆୟୋଜନ କରାଯିବ ଏବଂ ପ୍ରତ୍ୟେକ ସ୍ଥାନ ଆଭାସୀ ମାଧ୍ୟମରେ ମୁଖ୍ୟ କାର୍ଯ୍ୟକ୍ରମ ସହ ଯୋଡ଼ି ହେବ ।
Comments are closed.