କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଦୋବଲାପାଳ ଛାତ୍ର

 

ତେଲକୋଇ -କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଦୋବଲାପାଳ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ କୁନି ବୈଜ୍ଞାନିକ ଶ୍ରୀମାନ ସ୍ୱାଗତ କୁମାର ପ୍ରଧାନ ପ୍ରାଦେଶିକ ଇନ୍ସପାୟର ବିଜ୍ଞାନ ପ୍ରଦର୍ଶନୀରେ କୃତିତ୍ୱ ଲାଭ କରି ଜାତୀୟ ସ୍ତରର ପ୍ରକଳ୍ପ ପ୍ରଦର୍ଶନୀ ଏବଂ ପ୍ରତିଯୋଗିତାରେ ପ୍ରଦର୍ଶନ କରିବାକୁ ମନୋନୀତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ଏକ ମାତ୍ର ପ୍ରକଳ୍ପ ଏହି ସ୍ତରକୁ ମନୋନୀତ ହୋଇଥିବା ତଥା ରାଜ୍ୟରେ ପଞ୍ଚମ ସ୍ଥାନରେ ରହି ସାରା ଜିଲ୍ଲା ପାଇଁ ସ୍ୱାଗତ ଗୌରବ ଆଣି ଦେଇଛନ୍ତି।

ପ୍ରକଳ୍ପ “ସ୍ମାର୍ଟ ହର୍ବାଲ ମାସ୍କ” ପରି ସମୟୋପଯୋଗୀ ଉପାଦେୟ ବିଷୟବସ୍ତୁ ଚୟନ କରି ତା’ର ନିର୍ମାଣ କୌଶଳ, ଗୁରୁତ୍ୱ ଓ ଅର୍ଥନୈତିକ ଦିଗ କୁ ପ୍ରାଞ୍ଜଳ ଭାବେ ବିଶ୍ଳେଷଣ କରି ସଭିଙ୍କ ପ୍ରିୟଭାଜନ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛନ୍ତି। ଉକ୍ତ ଔଷଧୀୟ ତୁଣ୍ଡି ଧଣିଚିଆ( ଲେମନ ଗ୍ରାସ) ଏବଂ ବେଣା ଚେର ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏଥିରେ ଔଷଧିୟ ଗୁଣ ଥିବା ସହ ସୁଗନ୍ଧିତ ଏବଂ ବିନା ଖର୍ଚ୍ଚ ରେ ପ୍ରସ୍ତୁତ କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି। ଏହି ଛାତ୍ର ଉକ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଚନ୍ଦ୍ରଶେଖର ମହାନ୍ତଙ୍କ ସହାୟତା ଓ ତତ୍ତ୍ୱାବଧାନରେ ଏଭଳି ନିପୁଣତା ପ୍ରତିପାଦନ କରିପାରିଛନ୍ତି । ପ୍ରକାଶ ଥାଉ କି ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବାରିକଙ୍କ ପ୍ରେରଣା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉତ୍ସାହ ଓ ଆଶୀର୍ବାଦ ବିଶେଷ କରି ଏହି ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କ ଆନ୍ତରିକତା ପୂର୍ଣ୍ଣ ସହଯୋଗ ବଳରେ ବଳୀୟାନ ହୋଇ ଏହି କୃତିତ୍ୱ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ସ୍ବାଗତ ପ୍ରକାଶ କରିଛନ୍ତି। ଏହି ପ୍ରତିଭାବାନ ଛାତ୍ର ଜଣକ ଦେଉଳଡିହା ଗ୍ରାମର କୀର୍ତ୍ତନବିହାରୀ ପ୍ରଧାନ ଓ ମାତା ଦମୟନ୍ତୀ ସାହୁଙ୍କ ପୁତ୍ର।

ଏହି ସଫଳତା ପାଇଁ ନିଜ ବିଦ୍ୟାଳୟର ଛାତ୍ର ଛାତ୍ରୀ ଅଭିଭାବକ,ତେଲକୋଇ ଅଞ୍ଚଳର ବୁଦ୍ଧିଜୀବୀ ଏପରିକି କେନ୍ଦୁଝର ଜିଲ୍ଲାର ଅନେକ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ ଶ୍ରୀମାନ ସ୍ୱାଗତ ଅଞ୍ଚଳ ବାସୀ,ଉଚ୍ଚ କର୍ତ୍ତୃପକ୍ଷ ଓ ସମସ୍ତ ଶୁଭେଚ୍ଛୁ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଆଗାମୀ ଜାତୀୟ ସ୍ତରରେ ସଫଳତା ପାଇଁ ସଭିଙ୍କ ଶୁଭାଶିଷ ଲୋଡିଛନ୍ତି। ତାଙ୍କୁ ତାଙ୍କ ବିଦ୍ୟାଳୟରରେ ସମ୍ବର୍ଦ୍ଧିତ କରାଯାଇଛି ।

Comments are closed.