ବିଜେବି ମହାବିଦ୍ୟାଳୟର ସାମ୍ବାଦିକତା ବିଭାଗରେ ଜାତୀୟ ପ୍ରେସ୍ ଦିବସ ପାଳିତ
ଭୁବନେଶ୍ୱର : ଗଣତନ୍ତ୍ରରେ ଏକ ଚାପମୁକ୍ତ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ବିଭିନ୍ନ ଚାପରୁ ନିଜକୁ ମୁକ୍ତରଖି ନିର୍ଭିକଭାବେ ସତ୍ୟ ସମ୍ବାଦ ପରିବେଷଣ କରିବାର କଳା ଗଣମାଧ୍ୟମ ଗୁଡିକ ଶିକ୍ଷା କରିବା ସହ ସାମ୍ବାଦିକମାନଙ୍କୁ ସେଦିଗରେ ଉତ୍ସାହିତ କରିବା ଉଚିତ ବୋଲି ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ଶନିବାର ବି.ଜେ.ବି. ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ଅନୁଷ୍ଠିତ ଏକ କର୍ମଶାଳାରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଛନ୍ତି। କର୍ମଶାଳାରେ ଅଧ୍ୟକ୍ଷତା କରି ବିଭାଗର ସଂଯୋଜକ ଡ. ମଧୁସୁଦନ ମିଶ୍ର କହିଥିଲେ ଯେ, ପ୍ରବଳ ଚାପ ମଧ୍ୟରେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ସାମ୍ବାଦିକମାନଙ୍କର କର୍ତ୍ତବ୍ୟ। ଏଥିପାଇଁ ସେମାନେ ନିଜକୁ ସତର୍କ ରଖିବା ସହ ସଂଗୃହିତ ସୂଚନାର ବିଭିନ୍ନ ଦିଗପ୍ରତି ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ। ଏହି ଅବସରରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ମୂଖ୍ୟ ଡ.ନଳୀନ୍ ପାତ୍ର ଭାରତର ସମ୍ବିଧାନ ଓ ସାମ୍ବାଦିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଡ.ପାତ୍ର କହିଥିଲେ ଯେ, ସାମ୍ବାଦିକଙ୍କ ଅଧିକାରକୁ ରକ୍ଷା କରୁଥିବା ସମ୍ବିଧାନ ପ୍ରଦତ ଅଧିକାର ଗୁଡିକର ଅପବ୍ୟବହାର ରୋକାଯିବା ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ଏହା ସମସ୍ତଙ୍କର କର୍ତ୍ତବ୍ୟ। ଅନ୍ୟର ଅଧିକାରକୁ ସମ୍ମାନ ଦ୍ୱାରାହିଁ ନିଜର ଅଧିକାର ବୃଦ୍ଧି ପାଇଥାଏ ଏବଂ ଏହା ସମ୍ବିଧାନର ମୂଳମନ୍ତ୍ର ବୋଲି ସେ କହିଥିଲେ। ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ ଜାତୀୟ ପ୍ରେସ୍ ଦିବସପାଳନର ମହତ୍ୱ ଏବଂ ସେ ଦିଗରେ ଛାତ୍ରଛାତ୍ରୀଙ୍କର ଭୁମୀକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସାମ୍ବାଦିକ ଛାତ୍ରଛାତ୍ରୀମାନେ ସତ୍ୟକୁ ଏବଂ ସମ୍ବିଧାନକୁ ସମ୍ମାନ ପାଇଁ ଶପଥ ନେଇଥିଲେ।
Comments are closed.