ମଣିଷ ଜୀବନରେ ପ୍ରେରଣାର ବହୁ ଗୁରୁତ୍ୱ ରହିଛି

ସତସଙ୍ଗର ଆଚାର୍ଯ୍ୟଦେବଙ୍କ ବକ୍ତବ୍ୟ ଓ ବ୍ୟକ୍ତିତ୍ୱ ଆଧାରିତ ପୁସ୍ତକ ‘ପ୍ରେରଣା’ ଲୋକର୍ପିତ

ଭୁବନେଶ୍ୱର: ଆଜି ସତସଙ୍ଗର ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ବାଣୀ,ବକ୍ତବ୍ୟ ଓ ବ୍ୟକ୍ତିତ୍ୱ ଆଧାରିତ ପୁସ୍ତକ “ପ୍ରେରଣା”ର ପାଠକାର୍ପଣ କରାଯାଇଛି । ମଣିଷ ଜୀବନରେ ପ୍ରେରଣାର ବହୁ ଗୁରୁତ୍ୱ ରହିଛି । ଯଦି ସେ ସତକର୍ମ ଲାଗି ପ୍ରେରଣା ଲାଭ କରେ ତେବେ ତାର ଜୀବନରେ ଉନ୍ନତି ଲାଭର ପଥ ପରିଷ୍କାର ହୋଇଥାଏ । ଆଉ ଏହି ସକାରାତ୍ମକ ପ୍ରେରଣା ସାଧୁ,ସନ୍ଥ ଓ ଆଚାର୍ଯ୍ୟଙ୍କଠାରୁ ପ୍ରାପ୍ତ ହୋଇଥାଏ ବୋଲି ମତ ରଖିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ।
ରବିବାର ଭୁବନେଶ୍ୱରର ଗୀତଗୋବିନ୍ଦ ସଦନଠାରେ ସୀତାକାନ୍ତ ମହାନ୍ତି ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ‘ପ୍ରେରଣା’ ପୁସ୍ତକରେ ଆଚାର୍ଯ୍ୟଦେବଙ୍କୁ ନେଇ ଅନେକ ଅନୁଭବର କଥା ରହିଛି । ଆଉ ଏହି ଅନୁଭବରୁ ଆସେ ବିଶ୍ୱାସ । ବିଶ୍ୱାସ ହିଁ ସବୁକିଛିର ମୂଳଭିତ୍ତି । ଯଦି ବିଶ୍ୱାସର ସଂକଟ ହୁଏ ତେବେ ସମାଜର ସମସ୍ତ ବିଧିବ୍ୟବସ୍ଥା ଭୁଶୁଡ଼ି ଯାଏ । ଏଥିସହ ସେ ‘ପ୍ରେରଣା’ ଭଳି ଏକ ପୁସ୍ତକ ପ୍ରସ୍ତୁତି କରି ଆଚାର୍ଯ୍ୟଦେବଙ୍କ ବାଣୀ ଓ ଉପଦେଶକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରିଥିବାରୁ ଏହାର ସଂପାଦକ ଧୃତିକାମ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ପଞ୍ଚାନନ କାନୁନଗୋ । ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଜୀବନରେ ସତମାର୍ଗରେ ଚଳିବାକୁ ହେଲେ ଜଣେ ସଦଗୁରୁଙ୍କର ଆବଶ୍ୟକତା ରହିଛି । ତେବେ ତାଙ୍କର ଉପଦେଶ ଓ ବାଣୀକୁ ଗ୍ରହଣ କରିଲେ ଯାଇ ଆମେ ସୁଫଳ ପାଇପାରିବା । ଯଦି ତାହାକୁ ଗ୍ରହଣ ନ କରିବା ତେବେ କିଛି ଲାଭ ହେବନାହିଁ ।

prayash

‘ପ୍ରେରଣା’ ପୁସ୍ତକର ସମୀକ୍ଷା କରି ମୁଖ୍ୟବକ୍ତା ପ୍ରଫେସର ଦାଶ ବେନହୁର କହିଲେ ଏହି ପୁସ୍ତକରେ ଅନେକ ପ୍ରେରଣାଦାୟୀ ଅନୁଭବର କଥା ରହିଛି । ଆଉ ଅନୁଭବୀମାନେ ନିଜ ରଚନା ମାଧ୍ୟମରେ ଅନ୍ୟମାନଙ୍କୁ ଅନୁପ୍ରେରିତ କରିବାର ପ୍ରୟାସ କରିଛନ୍ତି । ଅନେକ ସମୟରେ ଆମେ ଭକ୍ତି ଓ ବିଶ୍ୱାସକୁ ନେଇ ପ୍ରଶ୍ନକରୁ । କିନ୍ତୁ ପ୍ରଶ୍ନମାଧ୍ୟମରେ ଯେଉଁ ଭକ୍ତି ଆସେ ତା’ଠାରୁ ଢ଼େର ଆଗରେ ବିନା ପ୍ରଶ୍ନରେ ଆସିଥିବା ଭକ୍ତି । ମଣିଷ ଯଦି ଆଚାର୍ଯ୍ୟଙ୍କୁ ଅନୁସରଣକରେ ଓ ତାଙ୍କ ମାର୍ଗଦର୍ଶନକୁ ଆଚରଣରେ ଫୁଟାଏ ତେବେ ସୁଫଳ ଲାଭ କରେ । ଏହି ପୁସ୍ତକରେ ଅନେକ ଉପାଦେୟ ପ୍ରସଙ୍ଗ ରହିଛି ଯାହା ପଢ଼ିଲେ ସମସ୍ତଙ୍କୁ ପ୍ରେରଣା ମିଳିବ ।
ଏହି ଅବସରରେ ବର୍ଷୀୟାନ୍ ଉଦ୍ୟାନକୃଷି ବିଶାରଦ ଡ.ଗୋପୀନାଥ ପରିଡ଼ା, ସଂସ୍କୃତ ଭାଷାବିତ୍ ଡ.ରବୀନ୍ଦ୍ରନାଥ ଆଚାର୍ଯ୍ୟ, ଶିକ୍ଷାବିତ୍ ଡ.ବଂଶୀଧର କର, ସଂଗୀତଜ୍ଞ କୃଷ୍ଣଚନ୍ଦ୍ର ରାୟ ଓ ଉଦୀୟମାନ ଉଦ୍ୟୋଗୀ ସିଦ୍ଧାର୍ଥ ରଥଙ୍କୁ ସୀତାକାନ୍ତ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା।
ପାଠକାର୍ପଣ ସମାରୋହରେ ସଭାପତିତ୍ୱ କରି ଡକ୍ଟର ହୃଷୀକେଶ ସେନାପତି ଜୀବନରେ ଆଚାର୍ଯ୍ୟ ଅନୁସରଣର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ ଏବଂ ପ୍ରେରଣା ଭଳି ଏକ ପୁସ୍ତକ ପ୍ରକାଶ କରିଥିବାରୁ ସୀତାକାନ୍ତ ମହାନ୍ତି ଫାଉଣ୍ଡେସନକୁ ଧନ୍ୟବାଦ ଦେଇଥଲେ । ଫାଉଣ୍ଡେସନର ଅଧ୍ୟକ୍ଷ ଧୃତିକାମ ମହାନ୍ତି ସ୍ୱାଗତ ଭାଷଣ ଦେଇ ସତ୍ସଙ୍ଗର ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଓ ସାଥୀସହଯୋଗୀଙ୍କ ପ୍ରାର୍ଥନା ହେତୁ କୋଭିଡ୍ ସହ ଲଢ଼ି କିଭଳି ନୂଆଜୀବନ ଲାଭ କଲେ ତାହା ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ସିଦ୍ଧାର୍ଥ ରଞ୍ଜନ ଧଳ ଅବାହନୀ ସଂଗୀତ ଆଚାର୍ଯ୍ୟ ବନ୍ଦନା ପରିବେଷଣ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଡ.ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଫାଉଣ୍ଡେସନ୍ର ଉପାଧ୍ୟକ୍ଷ କୃତିକାମ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ । ‘ପ୍ରେରଣା’ ପୁସ୍ତକଟି ସୁଧାରାଣୀ ମହାନ୍ତିଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ବେଳେ ଦେବଦାସ ଭୂୟାଁଙ୍କ ଦ୍ୱାରା ଅନଲାଇନରେ ଜ୍ଞାନଜ୍ୟୋତି ଡଟ୍ କମରେ ଉପଲବ୍ଧ ହେଉଛି।

kalyan agarbati

Comments are closed.