www.samajalive.in
Monday, December 15, 2025
24.1 C
Bhubaneswar

ବଢ଼ିଲା ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା

ଭୁବନେଶ୍ବର: ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବନ୍ଧୁମିଳନ ନାଁରେ ଯାଜପୁର ଜିଲା ଓଳାଶୁଣୀ ଗୁମ୍ଫାରେ ପୁରୁଖା ବିଜେଡି ନେତା ଏକାଠି ହୋଇଛନ୍ତି। ପ୍ରଭାତ ତ୍ରିପାଠୀଙ୍କ ନିମନ୍ତ୍ରଣରେ ଅମର ପ୍ରସାଦ ଶତପଥୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ରବି ପାଣି, ପ୍ରସନ୍ନ ପାଟ୍ଟଶାଣୀ, ରାମଚନ୍ଦ୍ର ହାଁସଦାଙ୍କ ଭଳି ବରିଷ୍ଠ ନେତା ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଭୋଜିଭାତ ଆଳରେ ନୂଆ ଆଞ୍ଚଳିକ ଦଳ ଗଠନର ଭିତ୍ତି ପଡ଼ିଥିବା କୁହାଯାଉଛି। ଉପସ୍ଥିତ ନେତା ଏହାକୁ ବ୍ୟକ୍ତିଗତ ଭୋଜି ବୋଲି କହି ଏଡ଼ାଇ ଦେଇଥିବାବେଳେ ଏହା ନୂଆ ରାଜନୈତିକ ଗତିବିଧିର ସଙ୍କେତ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଓଡ଼ିଶାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏବେ ସକ୍ରିୟ । ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରିଆସୁଥିବା ବିଜେଡି ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରେ ପ୍ରଥମ କରି ଏକାକୀ ସରକାର ଗଠନ କରିଛି ବିଜେପି। ଏବେ ମୁଖ୍ୟ ବିରୋଧୀ ଦଳ ତଥା ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡିର ସ୍ବର ଯେତିକି ଶାଣିତ ହେବା କଥା, ତାହା ପ୍ରାୟ ପରିଲକ୍ଷିତ ହେଉନି। ରାଜ୍ୟରେ ବିଜେପି ବିରୋଧରେ ଗର୍ଜନ କରୁଥିବା ବିଜେଡିର ସ୍ବର ଦିଲ୍ଲୀରେ ନରମିଯାଉଛି। ଏପରି ସମୟରେ ବିକଳ୍ପ ଆଞ୍ଚଳିକ ଦଳ ଗଠନର ଆବଶ୍ୟକତା ଥିବା ଅଧିକାଂଶ ନେତା ମତ ଦେଉଛନ୍ତି। ଅତୀତରେ ରାଜ୍ୟରେ ବହୁ ଆଞ୍ଚଳିକ ଦଳ ଗଠନ ହୋଇଥିଲେ ବି ସମୟକ୍ରମେ ଏସବୁ ଦଳ ନିଜର ସତ୍ତା ହରାଇଛନ୍ତି। ଆଞ୍ଚଳିକ ଦଳ ଭାବେ ବିଜେଡିକୁ ଯେଉଁ ସଫଳତା ମିଳିଛି, ଅନ୍ୟ କୌଣସି ଦଳ କ୍ଷେତ୍ରରେ ତାହା ସମ୍ଭବ ହୋଇନି। ଏବେ ଆଉ ଏକ ଆଞ୍ଚଳିକ ଦଳ ଗଠନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବିଜେଡି ଗଠନ ବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା କିଛି ବରିଷ୍ଠ ନେତା ନୂଆ ଆଞ୍ଚଳିକ ଦଳ ଗଠନ ସପକ୍ଷରେ ଅଛନ୍ତି। ଯେଉଁମାନେ ବିଭିନ୍ନ କାରଣରୁ ବିଜେଡିଠୁ ଦୂରେଇ ଯାଇଛନ୍ତି କିମ୍ବା ବିଜେଡିରୁ ବିଦା ହୋଇଛନ୍ତି; ସେମାନେ ଅନ୍ୟ ଦଳକୁ ନ ଯାଇ ବିକଳ୍ପ ଆଞ୍ଚଳିକ ଦଳ ଗଢ଼ିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର କିଛି ପ୍ରମୁଖ ନେତା ଓଳାଶୁଣିରେ ଏକାଠି ହୋଇଥିଲେ। ଭବିଷ୍ୟତରେ ରାଜ୍ୟରେ ଆଉ ଏକ ଆଞ୍ଚଳିକ ଦଳ ଜନ୍ମ ନେଇପାରେ ବୋଲି ଚର୍ଚ୍ଚା ହେଉଛି।

- Advertisement -

ଓଳାଶୁଣିରେ ମେଳି ପ୍ରସଙ୍ଗରେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ଓଳାଶୁଣି ହେଉଛି ଏକ ସମନ୍ବୟର ପୀଠ। ରାଜନୈତିକ ବ୍ୟକ୍ତିିବିଶେଷ ଏକାଠି ହେଲେ ବିଭିନ୍ନ ଆଲୋଚନା ହେବା ସ୍ବାଭାବିକ। ରାଜନୀତିରେ କେଉଁ ସମୟରେ କ’ଣ ପରିସ୍ଥିତି ଆସିବ, ତାହା ଦେଖିବାକୁ ପଡ଼ିବ। ବର୍ତ୍ତମାନ ପରିସ୍ଥିତିରେ ସେପରି କିଛି ପ୍ରସ୍ତାବ ନାହିଁ। ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଆଞ୍ଚଳିକ ଦଳ ଯଦି ଠିକ୍ ଭୂମିକା ନିର୍ବାହ ନ କରେ ବିକଳ୍ପ ଆଞ୍ଚଳିକ ଦଳ ଗଠନ ହେବା ସ୍ବାଭାବିକ। ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ଯେ, ସମସ୍ତେ ଏକାଠି ଅଛନ୍ତି। କେହି ପ୍ରକାଶ କରୁନାହାନ୍ତି। ସମୟ ଆସିଲେ ସୂଚନା ଦିଆଯିବ ା ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଗୋଟିଏ ମଞ୍ଚରେ ଏକାଠି ହୋଇ ବହୁ ବରି‌ଷ୍ଠ ନେତା ଏ ବିଷୟରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ଏବେ ବନ୍ଧୁମିଳନ ନାଁରେ ପୁରୁଖା ନେତା ଏକାଠି ହେବା ପରେ ଚର୍ଚ୍ଚା ଆଗକୁ ବଢ଼ିଛି। ଅନ୍ୟପକ୍ଷରେ ପରାଜୟ ପରେ ବି ବିଜେଡିରେ ଅସନ୍ତୋଷ ଥମିବା ନାଁ ନେଉନି। ବହୁ ନେତାଙ୍କ ମଧ୍ୟରେ ମନୋମାଳିନ୍ୟ ରହିଛି। ଏଭଳି ସ୍ଥିତିରେ ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ଏକାଠି କରି ନୂଆ ଦଳ ଗଠନ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ରଖୁଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories