ଜେଏସ ଡବ୍ଲୁ ସର୍ଭେକୁ ନେଇ ମୁଣ୍ଡଟେକିଲା ଆନ୍ଦୋଳନ
ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକର ପୋସ୍କୋ ଆନ୍ଦୋଳନ ପାଇଁ ଚର୍ଚ୍ଚିତ ପଞ୍ଚାୟତ ଢିଙ୍କିଆରେ ପୋସ୍କୋ ପରବର୍ତ୍ତି ଜେଏସ୍ ଡବ୍ଲୁର ସର୍ଭେକୁ ନେଇ ଦିନକୁ ଦିନ ଆନ୍ଦୋଳନ ମୁଣ୍ଡ ଟେକିବାରେ ଲାଗିଛି । ଗତ କିଛି ଦିନ ତଳେ ଜେଏସ୍ ଡବ୍ଲୁର ଜମି ମାପକୁ ନେଇ ଗଣ୍ଡଗୋଳ ହୋଇଥିଲା ବେଳେ ଏବେ ପୁଣି ମଙ୍ଗଳବାର ସକାଳ ୧୦ ଘଟିକାରେ ଏକ ତିନି ଜଣିଆ ଟିମ୍ ପାଟଣା ଦେଇ ଗୋବିନ୍ଦପୁର ଜଙ୍ଗଲରେ ପ୍ରବେଶ କରି ଡ୍ରୋନ୍ କ୍ୟାମେରାରେ ସର୍ଭେ କରୁଥିଲେ । ଏହି କଥା ଗୋବିନ୍ଦପୁରରେ ପ୍ରଚାର ହେବା ମାତ୍ରେ ଗାଁର କିଛି ଲୋକେ ଜଙ୍ଗଲ ଭିତରକୁ ଯାଇ ସେମାନଙ୍କୁ ଖୋଜି ଥିଲେ । ଗାଁ ଲୋକଙ୍କୁ ଦେଖି ସର୍ଭେ ଟିମ୍ ଦୌଡି ପଳାଇ ଯିବାକୁ ଉଦ୍ୟମ କରୁଥିଲା ବେଳେ ସ୍ଥାନୀୟ ଲୋକମାନେ ସେମାନେ ଆସିଥିବା ବୋଲର ଗାଡି ଓଆର୍(୦୫ଏଜି୦୧୭୨)କୁ ଅଟକାଇ ଥିଲେ । ଦୀର୍ଘ ସମୟ ଗାଡି ଅଟକାଇବା ପରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ କର୍ମଚାରୀ କେହି ଗାଡି ପାଖକୁ ଆସି ନଥିଲେ ।
ଖବର ଲେଖା ହେଲା ବେଳକୁ, ଉକ୍ତ ଗାଡି ଓ ଡ୍ରାଇଭର ଅଟକ ରହି ଥିଲା ବେଳେ ଗୋବିନ୍ଦପୁର ଗାଁ ଠାକୁରାଣୀ ମଣ୍ଡପରେ ଗାଁର ମୁରବୀ ଓ ଯୁବକମାନେ ଆଲୋଚନା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଅପେକ୍ଷା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି ନଥିଲା । ଗୋବିନ୍ଦପୁରର ରଂଜନ ବର୍ଦ୍ଧନ, ବାବୁଲି ରାଉତ, ରଞ୍ଜନ ସ୍ୱାଇଁ, ସନାତନ ବର୍ଦ୍ଧନ, ନଟବର ଖଟୁଆ,ବାଇନ ମହାନ୍ତି ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ବିରୋଧ କରିଥିଲେ ।
ସୂଚନା ଯୋଗ୍ୟ, ପୋସ୍କୋ କମ୍ପାନୀ ପାଇଁ ଆଇଡିସିଓ ଦ୍ୱାରା ଗୋବିନ୍ଦପୁରରେ ଜମି ଅଧିଗ୍ରହଣ ହୋଇଥିଲା । ୭୦୦ରୁ ଉର୍ଦ୍ଧ ପାନ ବରଜ ଭଙ୍ଗା ଯାଇଥିଲା । ଏବେ ସୁଧା କିଛି ପାନ ବରଜ ମାଲିକ କ୍ଷତି ପୂରଣ ପାଇ ନାହାନ୍ତି । ପାନ ବରଜ ଶ୍ରମିକମାନଙ୍କୁ ଭତା ପ୍ରଦାନ କରାଯାଇ ନାହିଁ । ଗଛ କଟା ବାକି ରହିଅଛି । ଆହୁରି ଅନେକ ଲୋକଙ୍କ ସାଧାରଣ ମୌଳିକ ସୁବିଧା ବାକି ରହିଛି । ଗୋବିନ୍ଦପୁରର ଜନ ସାଧାରଣଙ୍କ ସମସ୍ୟା ସମାଧାନ ପୂର୍ବକ ଆଲୋଚନା ଜିଲା ପ୍ରଶାସନ କରିବା ପରେ ଜେଏସ୍ ଡବ୍ଲୁ କାର୍ୟ୍ୟ ଆରମ୍ଭ କରିବା ଉଚିତ୍ । ଯଦି ଗ୍ରାମବାସୀଙ୍କ ବିନା ସହମତିରେ କୌଣସି କାର୍ୟ୍ୟ ଆରମ୍ଭ ହୁଏ ଜନ ସାଧାରଣ ତାଙ୍କୁ ତିବ୍ର ବିରୋଧ କରିବେ ଯାହା ଫଳରେ କି କମ୍ପାନୀ ପ୍ରତିଷ୍ଠା ପାଇଁ ବିଭିନ୍ନ ସମସ୍ୟା ଦେଖା ଦେବ । ଏଥି ପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସ୍ଥାୟୀ ସମାଧାନ ଓ ସ୍ଥାନୀୟ ଜନସାଧାରଣଙ୍କ ଦାବି ପୂରଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।