ପୁଲିସ୍ ଡିଜି ନିଯୁକ୍ତି ନିୟମ ବଦଳିଲା
ନୂଆଦିଲ୍ଲୀ: ଏଣିକି କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ସରକାର ସିଧାସଳଖ ନିଜ ପସନ୍ଦ ମୁତାବକ ପୁଲିସ୍ ମୁଖ୍ୟଙ୍କୁ ନିଯୁକ୍ତ କରିପାରିବେ ନାହିଁ । ଏହି ମର୍ମରେ ଆଜି ସୁପି୍ରମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏମ୍ ଏମ୍ ଖାନ୍ୱିଲକର ଓ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠଙ୍କ ନିର୍ଦେଶ ମୁତାବକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ପୁଲିସ ମହାନିର୍ଦେଶକ କିମ୍ବା ପୁଲିସ ଆୟୁକ୍ତ ପଦବୀ ଲାଗି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ର ଲୋକସେବା ଆୟୋଗଙ୍କ ନିକଟକୁ ପଠାଇବେ । ଯୋଗ୍ୟତା, ଅଭିଜ୍ଞତା ଓ ଅନ୍ୟାନ୍ୟ ମାପଦଣ୍ଡ ଆଧାରରେ ଲୋକସେବା ଆୟୋଗ ସେଥିମଧ୍ୟରୁ ତିନିଜଣ ସର୍ବାଧିକ ଯୋଗ୍ୟ ଅଧିକାରୀଙ୍କ ନାମ ସୁପାରିସ କରିବେ । ସେହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ସରକାର ପୁଲିସ ମୁଖ୍ୟ ଭାବେ ନିଯୁକ୍ତି ଦେବେ । ପୁଲିସ ଡିଜି ଭାବେ ନିଯୁକ୍ତି ପାଇବାକୁ ଥିବା ଅଧିକାରୀଙ୍କ ଆବଶ୍ୟକ ଚାକିରି କାର୍ଯ୍ୟକାଳ ଅବଧି ରହିବା ଆବଶ୍ୟକ ।
ଖଣ୍ଡପୀଠଙ୍କ ଉପରୋକ୍ତ ନିର୍ଦେଶ ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଡିଜିପି ନିଯୁକ୍ତି ପାଇଁ ଥିବା ନିୟମାବଳୀ ଆପେ ଆପେ ଅକାମୀ ହୋଇଯାଇଛି ।