ରାମନାଗୁଡା : ୬୨ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ରାମନାଗୁଡା ବ୍ଲକ ସଦରସ୍ଥ ଶହୀଦ ଆନନ୍ଦ ମାଣ୍ଡାଙ୍ଗି ନିଜ ଗ୍ରାମ ଢେପାଗୁଡା ଠାରେ ରାମନାଗୁଡା ପୁଲିସ ଫାଣ୍ଡି ପକ୍ଷରୁ ଶହୀଦ ଯବାନ ଆନନ୍ଦ ମାଣ୍ଡାଙ୍ଗିଙ୍କ ବୀରତ୍ବକୁ ମନେ ପକାଇଛି ରାମନାଗୁଡା ମାଟି । ୨୦୦୯ମସିହାରେ ରାୟଗଡ଼ା ପୁଲିସରେ କାର୍ଯ୍ୟରତ ଥିବା ସମୟରେ ନଭେମ୍ବର ୧୦ତାରିଖରେ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଆନନ୍ଦ ମାଣ୍ଡାଙ୍ଗି। ତାଙ୍କ ବୀରତ୍ବ ତଥା ସାହସିକତାକୁ ମନେ ପକାଇ ଅମର ଆତ୍ମାର ସଦଗତି ଓ ସ୍ମୃତିକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇବା ନେଇ ରାମନାଗୁଡା ପୁଲିସ ଫାଣ୍ଡି ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ସ୍ମୃତିସଭା। ରାମନାଗୁଡା ପୁଲିସ ଫାଣ୍ଡି ପକ୍ଷରୁ ଆୟୋଜିତ ନିଜ ଗ୍ରାମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସ୍ମୃତିସଭାରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର, ଅତିରିକ୍ତ ତହସିଲଦାର ଫ୍ରଡିନାଲ ଏକ୍କା, ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନଙ୍କ ସହ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଶହୀଦ ସ୍ମୃତିକୁ ଉଜ୍ଜିବିତ କରିବା ଦିଗରେ ଶହୀଦ ଆନନ୍ଦ ମାଣ୍ଡାଙ୍ଗି ନିଜ ଗ୍ରାମ ରାସ୍ତାକୁ ଶହୀଦ ଆନନ୍ଦ ମାଣ୍ଡାଙ୍ଗି ମାର୍ଗ ନାମରେ ନାମିତ କରିଛି ପ୍ରଶାସନ। ପରେ ଆୟୋଜିତ ସଭାରେ ଶହୀଦ ଆନନ୍ଦଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ଦୀପ ପ୍ରଜଳନ କରାଯାଇଥିଲା। ରାମନାଗୁଡା ପୋଲିସ ପକ୍ଷରୁ ଶହୀଦଙ୍କ ପିତାମାତାଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

ସୂଚନାଯୋଗ୍ୟ ଶହୀଦ ଆନନ୍ଦ ମାଣ୍ଡାଙ୍ଗି ୧୯୮୫ମସିହା ମେ ୩ତାରିଖ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୦୮ମସିହା ଫେବୃଆରୀ ୪ ତାରିଖରେ ପୁଲିସ ବିଭାଗରେ ଏସପିଓ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ୨୦୦୯ମସିହା ନଭେମ୍ବର ୧୦ତାରିଖ ରାତିରେ ପାଣ୍ଡୁତୋଳା ଗ୍ରାମରେ ବିଶ୍ରାମ ନେବା ସମୟରେ ମାଓବାଦୀଙ୍କ ଶିକାର ହୋଇଥିଲେ । ଶହୀଦ ଆନନ୍ଦଙ୍କ ବଳିଦାନ ସ୍ମୃତି ଉଦ୍ଦେଶ୍ୟରେ ପୁଲିସ ବିଭାଗ ପକ୍ଷରୁ ସ୍ମୃତି ଉଦ୍ଦେଶ୍ୟରେ ସଭା ଆୟୋଜନ କରାଯାଇଛି।ସେହିପରି ଶହୀଦଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଜାଗା ଯୋଗାଇଦେବା ପାଇଁ ଅତିରିକ୍ତ ତହସିଲଦାର ଶ୍ରୀ ଏକ୍କା ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମରେ ଶହୀଦ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ବିଡ଼ିଓ ଶ୍ରୀ ଶବର ପ୍ରତିଶ୍ରୁତି ଦେଇଛନ୍ତି । ଏହି ସଭାରେ ଗ୍ରାମବାସୀଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।



