ବିନା ପଞ୍ଜୀକରଣରେ ସମୁଦ୍ରରେ ମାଛ ମାରୁଛନ୍ତିି ଶତାଧିକ ଟ୍ରଲର, ସରକାର ହରାଉଛନ୍ତି କୋଟିକୋଟି ଟଙ୍କା ରାଜସ୍ବ

ଅସ୍ତରଙ୍ଗ: ପୁରୀ-ଜଗତସିଂହପୁର ଜିଲା ସାମୁଦ୍ରିକ ମତ୍ସ୍ୟ ବିଭାଗର ଅପାରଗତା ଯୋଗୁଁ ଅସ୍ତରଙ୍ଗରୁ ପାରାଦ୍ବୀପ ସାମୁଦ୍ରିକ ଜଳସୀମା ମଧ୍ୟରେ ବିନା ପଞ୍ଜୀକରଣ ଓ ବିନା ଅନୁମତିରେ ଶତାଧିକ ଟ୍ରଲର ଟାପା ଓ ଭୁଟୁଭୁଟିରେ ମାଛ ମାରୁଛନ୍ତି। ଏନେଇ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଛନ୍ତି। ଏଥିଯୋଗୁଁ ପଞ୍ଜିକୃତ ତଥା ଅନୁମତିପ୍ରାପ୍ତ ଟ୍ରଲର ଗୁଡ଼ିକର ମାଛ ଧରାରେ ବାଧା ସୃଷ୍ଟି ହେଉଛି। ଏହାସହିତ ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଶଙ୍କା ବୃଦ୍ଧି ପାଉଛି। ଜଗତସିଂହପୁର ଜିଲାର ପାରାଦ୍ବୀପ ଓ ପୁରୀ ଜିଲା ଅସ୍ତରଙ୍ଗର ମତ୍ସ୍ୟ ଅବତରଣ କେନ୍ଦ୍ର ଅଧୀନରେ ଯଥାକ୍ରମେ ୫୦୦ ଓ ୧୦୦ଟି ଛୋଟ ଓ ବଡ଼ ଟ୍ରଲର ମତ୍ସ୍ୟ ବିଭାଗ ଦ୍ୱାରା ଅନୁମତିପ୍ରାପ୍ତ ହୋଇ ମାଛଧରା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ(ଏମ୍‌ପିଇଡିଏ) ଆଇନ ୧୯୭୨ ଧାରା(୧୧) ଅନୁଯାୟୀ ମାଛ ଧରା ଟ୍ରଲର ସବୁ ଜିଲା ସହକାରୀ ମତ୍ସ୍ୟ ନିର୍ଦେଶକଙ୍କ ଦ୍ବାରା ପଞ୍ଜିକୃତ ହୋଇ ଦେୟ ବାବଦରେ ବଡ଼ ଟ୍ରଲର ୧୦୦୦ ଟଙ୍କା ଓ ଛୋଟ ଟ୍ରଲର ୫୦୦ ଟଙ୍କା ସରକାରଙ୍କୁ ଦେଇଥାନ୍ତି।

ଟ୍ରଲର ପଞ୍ଜିକୃତ ହେବା ପରେ ମାଛ ଧରିବା ପାଇଁ ଅନୁମତିପତ୍ର ହାସଲ କରିବା ନିୟମ ଅନୁଯାୟୀ ବାଧ୍ୟତାମୂଳକ। ଯଦି କୌଣସି ପଞ୍ଜିକୃତ ଟ୍ରଲର ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ମାଛ ଧରିବା ପାଇଁ କିମ୍ବା ଅନ୍ୟ ଅଞ୍ଚଳରେ ରହିବାକୁ ଚାହେଁ ତେବେ ଏଥିପାଇଁ ଏହି ଟ୍ରଲରକୁ ପଞ୍ଜୀକରଣ କରିଥିବା ଭାରପ୍ରାପ୍ତ ଅଧିକାରୀ ଓ ଯେଉଁ ଅଞ୍ଚଳକୁ ଯିବାକୁ ଚାହୁଁଛି ସେହି ଅଞ୍ଚଳର ଦାୟିତ୍ବରେ ଥିବା ଭାରପ୍ରାପ୍ତ ଅଧିକାରୀ, ଉଭୟଙ୍କ ଅନୁମତି ନେଇ ଅଞ୍ଚଳ ପରିବର୍ତ୍ତନ କରିପାରିବେ ବୋଲି ସରକାରଙ୍କ ସ୍ପଷ୍ଟ ନିର୍ଦେଶନାମା ଅଛି। ଏ ସବୁକୁ ଭ୍ରୂକ୍ଷେପ ନ କରି ମାଫିଆ ଅଣପଞ୍ଜିକୃତ ଟ୍ରଲର ଦ୍ୱାରା ରାଜ୍ୟର ୪୮୦ କି.ମି ସାମୁଦ୍ରିକ ଜଳସୀମା ମଧ୍ୟରେ ଅବାଧରେ ମାଛ ମାରୁଛନ୍ତି।

ପ୍ରତି ଜିଲାରେ ପଞ୍ଜିକୃତ ଟ୍ରଲର ପାଇଁ ନିର୍ଦିଷ୍ଟ ମାଛଧରା ସାମୁଦ୍ରିକ ଜଳସୀମା ଏବଂ ନିର୍ଦିଷ୍ଟ ମତ୍ସ୍ୟ ଅବତରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ଜିଲାର କୀର୍ତ୍ତନିଆ, କଷାଫଳ, ଚାନ୍ଦିପୁର, ଭଦ୍ରକ ଜିଲାର ପଢୁଆଁ, ଧାମରା, ଗଞ୍ଜାମ ଜିଲାର ଋଷିକୂଲ୍ୟା, ଗୋପାଳପୁର ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରର ମାଛ ବ୍ୟବସାୟରେ ସମ୍ପୃକ୍ତ ଥିବା ଅଣପଞ୍ଜିକୃତ ଓ ଅଣଅନୁମତିପ୍ରାପ୍ତ ଟ୍ରଲରଗୁଡ଼ିକ ଅବାଧରେ ସେମାନଙ୍କ ଜଳସୀମାକୁ ଅତିକ୍ରମ କରି ପାରାଦ୍ବୀପ ଓ ଅସ୍ତରଙ୍ଗ ମାଛଧରା ଜଳସୀମା ଓ ଅବତରଣ କେନ୍ଦ୍ରକୁ ବ୍ୟବହାର କରୁଛନ୍ତି। ଉଭୟ ଜିଲାର ବିଭାଗୀୟ ପଦାଧିକାରୀଙ୍କ ଦାୟିତ୍ବହୀନତାରୁ ଏପରି ଭାବେ ୪୦୦ରୁ ଊର୍ଦ୍ଧ୍ବ ବେଆଇନ ଟ୍ରଲର କେନ୍ଦ୍ରାପଡ଼ା ଜିଲାର ହଂସୁଆ ମୁହାଣଠାରୁ ଦକ୍ଷିଣରେ ଜଗତସିଂହପୁର ଜିଲାର ଗଡ଼ହରିଶପୁର ଦେଇ ପୁରୀ ଜିଲାର ଚିଲିକା ହ୍ରଦ ମୁହାଣ ପର୍ଯ୍ୟନ୍ତ ସାମୁଦ୍ରିକ ଜଳସୀମା ମଧ୍ୟରେ ମାଛଧରା କାର୍ଯ୍ୟରେ ନିୟୋଜିତ ରହିଛନ୍ତି।

ଏହାଦ୍ବାରା ଅସ୍ତରଙ୍ଗ ଓ ପାରାଦ୍ବୀପରେ ପଞ୍ଜିକୃତ ହୋଇ ବ୍ୟବସାୟ କରୁଥିବା ଟ୍ରଲର ସବୁ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ପଡ଼ୋଶୀ ଦେଶମାନଙ୍କରୁ ଏହି ବେଆଇନ ଟ୍ରଲର ମାଧ୍ୟମରେ ଅନୁପ୍ରବେଶକାରୀ ରାଜ୍ୟରେ ପ୍ରବେଶ ସୁଯୋଗ ନେବା ଆଶଙ୍କା ସୃଷ୍ଟି ହୋଇଛି। ବେଆଇନ ଟ୍ରଲର ଚଳାଚଳ ଯୋଗୁଁ ପ୍ରତିବର୍ଷ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି।

ଏ ସମ୍ପର୍କରେ ପୁରୀ ଜିଲା ସହକାରୀ ସାମୁଦ୍ରିକ ମତ୍ସ୍ୟ ନିର୍ଦେଶକ ରମେଶ ଚନ୍ଦ୍ର ରାଉଳ କହିଛନ୍ତି, ବିନା ପଞ୍ଜୀକରଣ ଓ ବିନା ଅନୁମତିରେ ଟ୍ରଲର ଚଳାଚଳ କରିପାରିବ ନାହିଁ। କେବଳ ଜରୁରୀ ପରିସ୍ଥିତିରେ ରାଜ୍ୟର ଯେକୌଣସି ଜିଲାର ଟ୍ରଲର ଯେକୌଣସି ମତ୍ସ୍ୟ ଅବତରଣ କେନ୍ଦ୍ର ବ୍ୟବହାର କରିପାରିବେ।

Comments are closed.