ଚର୍ଚ୍ଚାରେ ମୋଦୀଙ୍କ ଭିଜନ ୨୦୩୬: ‘ବଦଳି ପଛରେ ନ ଗୋଡ଼ାଇ ଲୋକଙ୍କ କାମରେ ମନ ଦିଅ’
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରାୟ ୩ ଘଣ୍ଟା ସମୟ ବିତାଇବା ପରେ ନେତୃବୃନ୍ଦଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ବିଭିନ୍ନ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ବିଜେପି ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ଦେବା ସହ ୨୦୩୬ ରୋଡ଼ମ୍ୟାପ୍ ରଖିଛନ୍ତି। ଉଭୟ ସଂଗଠନ ଓ ସରକାରର ଦୀର୍ଘସ୍ଥାୟୀ ପାଇଁ ମୋଦୀଙ୍କ ଭିଜନ ୨୦୩୬ ରାଜ୍ୟ ନେତୃତ୍ବ ପାଇଁ ବଡ଼ ଆହ୍ବାନ ବୋଲି କୁହାଯାଉଛି। ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ଚାଲିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଠଶାଳା। ବିଧାୟକ, ସାଂସଦ, ମନ୍ତ୍ରୀ ଓ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। କାର୍ଯ୍ୟକର୍ତ୍ତା ଓ ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ପରାମର୍ଶ ଦେବା ସହ ଅଭିଯୋଗ ଶୁଣିବାକୁ ସେ କହିଥିଲେ। ବଦଳି ପଛରେ ନ ଗୋଡ଼ାଇ ଲୋକଙ୍କ କାମରେ ମନ ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ।
ଝିଅ-ବୋହୂ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ବାପଘରେ ଝିଅକୁ କେହି କିଛି କୁହନ୍ତି ନାହିଁ। କିନ୍ତୁ ବୋହୂ ହେବା ପରେ ସମସ୍ତଙ୍କ ନଜର ତା’ ଉପରେ ରହେ। ଜିତିବା ପରେ ଏବେ ନିର୍ବାଚନମଣ୍ଡଳୀ ସହ ସମସ୍ତଙ୍କ ଆଖି ତୁମ ଉପରେ। ଆଚରଣ ଆଉ ଉଚ୍ଚାରଣ ଠିକ୍ କର। ଏମିତିକି କେବଳ ଫାଇଲ ଦସ୍ତଖତ ବେଳେ ମୁଁ ପ୍ରଧାନମନ୍ତ୍ରୀ। ବାକି ସମୟ ମୁଁ ନିଜକୁ ଜଣେ କାର୍ଯ୍ୟକର୍ତ୍ତା ଭାବେ ବୋଲି କହିଥିଲେ ମୋଦୀ। ବିଜେପିର ଭିଜନ ୨୦୩୬କୁ ଲୋକଙ୍କ ପାଖରେ ରଖ। ବିଜେପି ୨୦୩୬ ଯାଏଁ କ୍ଷମତାରେ ରହିଲେ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମିରେ କେଉଁ ପରିବର୍ତ୍ତନ ଆଣିବ, ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବା ବିଜେପି ନେତାମାନେ କହିଛନ୍ତି।
ନିଜ ରାଜନୈତିକ ଜୀବନର ଅନେକ ରୋଚକ କଥା କହି ପ୍ରଧାନମନ୍ତ୍ରୀ ମୋଦୀ ନିଜେ ହସିଲେ ଆଉ ବିଧାୟକ ଓ ମନ୍ତ୍ରୀଙ୍କୁ ହସାଇଲେ। ସମସ୍ତଙ୍କ ସ୍ବାସ୍ଥ୍ୟ କଥା ପଚାରି ବୁଝିଥିଲେ। ୬୦ ବର୍ଷରୁ ଅଧିକ କିଏ ଅଛନ୍ତି ? ଗତ ୨ ବର୍ଷରେ କିଏ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ କି ? ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କହି ପ୍ରଧାନମନ୍ତ୍ରୀ କହିଥିଲେ ନିଜ ସ୍ବାସ୍ଥ୍ୟ ଠିକ୍ ରହିଲେ ଲୋକଙ୍କ ସେବା କରି ପାରିବେ। ଏହା ସହ ରାଜନୈତିକ ଜୀବନ ଭିତରେ ଘର ପରିବାର ପ୍ରତି ଅବହେଳା ନକରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ମୋଦୀ। କାହା ଘରେ ବଢ଼ିଲା ଝିଅ ଥିଲେ, ତା’ର ବାହାଘର ଓ ବୃଦ୍ଧ ବାପା-ମା’ଙ୍କ ପ୍ରତି ଯତ୍ନବାନ ହେବାକୁ ସେ ବୁଝାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଭିତ୍ତି କରି ଆଗକୁ ବଢ଼ିବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଯାଇଥିଲେ। ସେଠାରେ ଦଳୀୟ ନେତୃବୃନ୍ଦଙ୍କ ସହ ସମୟ ବିତାଇ ପରେ ରାତ୍ରିଭୋଜନ କରିଥିଲେ।
Comments are closed.