ପ୍ଲାଷ୍ଟିକ ବିନା ଦୁଇ ନିୟୁତ ବର୍ଷ
ଏଇ ମାତ୍ର ପଚିଶିତିରିଶ ବର୍ଷ ଭିତରେ ସମସ୍ତ ପ୍ରାକୃତିକ ଉପକରଣକୁ ପ୍ରତିହତ କରି ପ୍ଲାଷ୍ଟିକ ତା’ର ସାମ୍ରାଜ୍ୟ ଦ୍ରୁତଗତିରେ ବିସ୍ତାର କରିଚାଲିଛି। କଂସା, ପିତଳ ବାସନ, ଖଲି, କଦଳୀପତ୍ର ବଦଳରେ ପ୍ଲାଷ୍ଟିକବାସନ, କାଠ ବଦଳରେ ପ୍ଲାଷ୍ଟିକ୍ ଫର୍ଣ୍ଣିଚର, କନାମୁଣା ବଦଳରେ ପଲିଥିନ ବ୍ୟାଗ୍, ଝୋଟ ବଦଳରେ ପ୍ଲାଷ୍ଟିକ୍ବସ୍ତା। ନଡ଼ିଆକତା ବଦଳରେ ପ୍ଲାଷ୍ଟିକ୍ ଦଉଡ଼ି, ଚମଡ଼ା ବଦଳରେ ପ୍ଲାଷ୍ଟିକଚପଲ, କାଚବୋତଲ ଓ ଟିଣଡବା ବଦଳରେ ପ୍ଲାଷ୍ଟିକ ଡବା ବୋତଲ, ମାଟି ଓ କାଠ ବଦଳରେ ପ୍ଲାଷ୍ଟିକ କଣ୍ଢେଇ, ସିଲ୍କ୍, ସୂତା ବଦଳରେ ସିନ୍ଥେଟିକ୍ ବସ୍ତ୍ର, ନଡ଼ିଆଖଡ଼ିକା ଓ ଫୁଲଝାଡ଼ୁ ବଦଳରେ ପ୍ଲାଷ୍ଟିକଝାଡ଼ୁ, ବାଉଁଶ କୁଲା, ଖଜୁରୀ ବେରୁହାଁ ପଟି ବଦଳରେ ପ୍ଲାଷ୍ଟିକ୍ କୁଲା ଓ ମସିଣା, ଆଉ ଶେଷକୁ ବାକିଥିଲା ପ୍ଲାଷ୍ଟିକ ଚାଉଳ, ଚିନି,ବନ୍ଧାକୋବି ଇତ୍ୟାଦି। ଉଡ଼ାଜାହାଜ ଠାରୁ ଆରମ୍ଭ କରି ସାଇକେଲ ପର୍ଯ୍ୟନ୍ତ କାରଖାନା ଯନ୍ତ୍ରାଂଶଠାରୁ ଆରମ୍ଭକରି ମଣିଷ ଶରୀରରେ ରୋପଣ କରାଯାଉଥିବା ବିଭିନ୍ନ କୃତ୍ରିମ ଯନ୍ତ୍ରାଂଶ, ଘରତିଆରି ଉପକରଣଠାରୁ ଘରେ ବ୍ୟବହୃତ ଅନେକ ଉପକରଣ ପର୍ଯ୍ୟନ୍ତ ସବୁଠାରେ ପ୍ଲାଷ୍ଟିକ୍ର ରାଜତ୍ବ।
ଦୁଇନିୟୁତ (୨,୦୦୦,୦୦୦) ବର୍ଷତଳେ ମଣିଷର ସୃଷ୍ଟି ହୋଇଥିଲା ବୋଲି ଇତିହାସ କହେ; ଅର୍ଥାତ୍ ବିନା ପ୍ଲାଷ୍ଟିକ୍ରେ ମଣିଷ ଦୁଇନିୟୁତ ବର୍ଷ ବଞ୍ଚିଆସିଛି। କାହିଁ କିଛି ଅସୁବିଧା ହୋଇଯାଉନତ! ପ୍ଲାଷ୍ଟିକ ବିନା ମଣିଷ ଜୀବନ ଦୁର୍ବିସହ ହୋଇଯାଇନାହିଁ; ବରଂ ସେଇ ସମୟଗୁଡ଼ିକ ମଣିଷଜାତି ପାଇଁ ଅଧିକ ସ୍ବାସ୍ଥ୍ୟପ୍ରଦ ଓ ପରିବେଶ ଅନୁକୂଳ ରହିଆସିଛି। ପ୍ଲାଷ୍ଟିକ ପୂର୍ବରୁ ସେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ସବୁ ପ୍ରାକୃତିକ ଉପାଦାନ- କାଠ, ମାଟି, ପତ୍ର, ଘାସ, ଚମଡ଼ା, ଧାତୁ ଇତ୍ୟାଦିରୁ ତିଆରିକରିଛି। ସେ ସବୁ ଅଦରକାରୀ ହୋଇଗଲାପରେ ପରିବେଶର କିଛି କ୍ଷତି ନକରି ପୁନର୍ବାର ପଞ୍ଚତତ୍ତ୍ବରେ ମିଶିଯାଇଛି। କିନ୍ତୁ ପ୍ଲାଷ୍ଟିକ ଏଇମାତ୍ର ୧୮୬୦ ମସିହାରେ ପ୍ଲାଷ୍ଟିକର ଉଦ୍ଭାବନ ହୋଇ ଶହେ ବର୍ଷପରେ ୧୯୬୦ ବେଳକୁ ଉଭୟ ଶିଳ୍ପ ଏବଂ ଉପଭୋକ୍ତା ବଜାରରେ ଆଦୃତ ହେଲା। ତେବେ ଏଇ ମାତ୍ର ପଚାଶ ବର୍ଷ ଭିତରେ ପ୍ଲାଷ୍ଟିକ ଜନଜୀବନକୁ ଏମିତି ଅକ୍ତିଆର କରିନେଇଛି ଯେ ମନେ ହେଉଛି, ଯେମିତି ପ୍ଲାଷ୍ଟିକ ବିନା ମଣିଷ ସଭ୍ୟତାର ସ୍ଥିତି ଅସମ୍ଭବ। ଦୁଇନିୟୁତ ବର୍ଷ ଧରି ମଣିଷ ନିଜ ପାଇଁ ଯାହା ଉପକରଣ ବ୍ୟବହାର କରିଥିଲା ତାହା ନାଁ ମଣିଷଜାତିର ନା ଅନ୍ୟକୌଣସି ଜୀବଜନ୍ତୁଙ୍କର କୌଣସି କ୍ଷତି କରିଥିଲା। କିନ୍ତୁ ଏଇ ମାତ୍ର ପଚାଶ ବର୍ଷ ଭିତରେ ଯେତିକି ପ୍ଲାଷ୍ଟିକ ବ୍ୟବହାର କରାଯାଉଛି ତାହା ମଣିଷଜାତି ସହିତ ସମଗ୍ର ଜୀବଜଗତ ପାଇଁ ଭୟଙ୍କର ଭାବେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ମହାକାଶଠାରୁ ମହାସାଗର, ହିମାଳୟର ଅଚ୍ୟୁଗିରିଶୃଙ୍ଗଠାରୁ ନିବିଡ଼ ନିଘଞ୍ଚ ଅରଣ୍ୟ ପର୍ଯ୍ୟନ୍ତ ସର୍ବତ୍ର ଟନ୍ଟନ୍ ଅଦରକାରୀ ପ୍ଲାଷ୍ଟିକ୍ର ପସରା। ଏହାକୁ ମାଟିରେ ବା ପାଣିରେ ପକେଇଲେ ସଢ଼ିନଯାଇ ଜମିରହେ ଏବଂ ମାଟିପାଣିକୁ ବିଷାକ୍ତ କରେ। ପୋଡ଼ିଲେ ସେଥିରୁ ବାହାରୁଥିବା କଳାଧୂଆଁ କ୍ୟାନ୍ସର୍ ରୋଗ ସୃଷ୍ଟିକରେ।
ମହାସାଗରର ତିମି, କଇଁଛ, ପେଟରୁ ସ୍ଥଳଭାଗର ଗାଈ, ଷଣ୍ଢଙ୍କ ପେଟରୁ ଏବଂ ପକ୍ଷୀମାନଙ୍କ ପେଟରୁ କ୍ବିଣ୍ଟାଲକ୍ବିଣ୍ଟାଲ ପ୍ଲାଷ୍ଟିକ ବାହାରୁଛି। ଖୁବ୍ଶୀଘ୍ର ଯଦି ପ୍ଲାଷ୍ଟିକର ବ୍ୟବହାର କଡ଼ାକଡ଼ି ଭାବରେ ବନ୍ଦ କରାନଯାଏ ତେବେ ଏହା କେବଳ ମଣିଷ ଜାତି ନୁହେଁ ସମଗ୍ର ଜୀବଜଗତର ଏବଂ ଭୂମି, ଜଳ, ବାୟୁ ପରି ପ୍ରାକୃତିକ ସମ୍ପଦରର ଧ୍ବଂସର କାରଣ ହେବ। ଯଦି ମାତ୍ର ପଚାଶ ବର୍ଷରେ ଏ ଅବସ୍ଥା, ତେବେ ଧ୍ବଂସହେବାକୁ ଆଉ କେତେଦିନ? ଆମେ ମନେରଖିବା ଉଚିତ ଯେ ଜୀବଜଗତ ପାଇଁ ପୃଥିବୀହିଁ ଏକମାତ୍ର ସ୍ଥାନ। ୟାକୁ ଧ୍ବଂସ କରିନେଲେ ଆଉ ଦ୍ବିତୀୟ ବିକଳ୍ପ ନାହିଁ।
ତେଣୁ, ଏବେ ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ। ମଣିଷ ଯଦି ଦୁଇ ନିୟୁତ ବର୍ଷ ବିନା ପ୍ଲାଷ୍ଟିକରେ ବଞ୍ଚିପାରିଲା, ତେବେ ଆମେ କ’ଣ ଏବେ ପ୍ଲାଷ୍ଟିକ ଛାଡ଼ିଦେଲେ ମରିଯିବାକି? ବରଂ ପ୍ଲାଷ୍ଟିକ୍ ନ ଛାଡ଼ିଲେ ମଣିଷ ଜାତିର ଅକାଳମୃତ୍ୟୁ ସୁନିଶ୍ଚିତ। ସେଥିପାଇଁ ଆମେ ସମସ୍ତେ ମିଳିମିଶି କାମ କରିବାକୁ ପଡ଼ିବ। ପ୍ରଥମେ, ଏଇ ପଚାଶବର୍ଷରେ ଯେତିକି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଚାରିଆଡ଼େ ପଡ଼ିଛି ତା’ଦାଉରୁ କେମିତି ପୃଥିବୀକୁ, ଜୀବଜଗତକୁ ରକ୍ଷାକରିହେବ ତା’ର ଉପାୟ ବାହାର କରିବାକୁ ପଡ଼ିବ। ଏହାକେବଳ ବୈଜ୍ଞାନିକ, ବିଶେଷଜ୍ଞ ବା ସରକାରଙ୍କର କାମ ନୁହେଁ; ଏଥିପାଇଁ ବୁଢ଼ାଠାରୁ ପିଲାପର୍ଯ୍ୟନ୍ତ ସମସ୍ତ ସାଧାରଣ ଲୋକଙ୍କୁ ଗଭୀରଭାବରେ ଚିନ୍ତା କରିବାକୁ ପଡ଼ିବ। କିଏ ଜାଣେ, କଟକରେ ଅନେକ ଶିକ୍ଷିତ, ବୁଦ୍ଧିମାନ ଲୋକ ଥାଉଥାଉ ଅପାଠୁଆ ବୁଢ଼ା ବାଇମୁଣ୍ଡି ମୁଣ୍ଡକୁ କଟକ ସହରକୁ ବନ୍ୟାଦାଉରୁ ରକ୍ଷା କରିବାର ସରଳ ଏବଂ ଠିକ୍ ଉପାୟ ଜୁଟିବା ପରି ଆମ ଭଳି କୌଣସି ସାଧାରଣ ଲୋକ ମୁଣ୍ଡରେ ପ୍ଲାଷ୍ଟିକ ବର୍ଜ୍ୟ ସମସ୍ୟା ସମାଧାନର ଉପାୟ ଜୁଟିପାରେ। ଦ୍ବିତୀୟରେ, ଆମକୁ ଆଜିଠାରୁ ହିଁ ପ୍ଲାଷ୍ଟିକ୍ ବ୍ୟବହାରରେ ଅତ୍ୟନ୍ତ ସଂଯତ ହେବାକୁ ପଡ଼ିବ ଏବଂ ଆମ ପରିବାର, ବନ୍ଧୁକୁଟୁମ୍ବ, ସାଙ୍ଗସାଥୀ, ସାହିପଡ଼ିଶା- ସମସ୍ତଙ୍କୁ ସତର୍କ କରିବାକୁ ହେବ। କେବେହେଲେ ହୋଟେଲ୍ରୁ ପଲିଥିନ୍ ଜରିରେ ଖାଦ୍ୟ ଆଣନ୍ତୁ ନାହିଁ। ଶୁଖିଲା ଖାଦ୍ୟ ପାଇଁ ଦୋକାନୀକୁ କାଗଜଠୁଙ୍ଗା ବା ଖଲିପତ୍ରରେ ଦେବାକୁ କୁହନ୍ତୁ। ତରକାରୀ ପରି ପାଣିଆଜିନିଷ ଆଣିବାକୁ ଥିଲେ ଘରୁ ନିଜର ଷ୍ଟିଲ୍ ଟିଫିନ୍ ନେଇ ଯାଆନ୍ତୁ। ଘରେ କିମ୍ବା ଭୋଜିରେ ସୋଲ, ପ୍ଲାଷ୍ଟିକ୍ ପ୍ଲେଟ, କପ୍, ଗ୍ଲାସ ବ୍ୟବହାର କରନ୍ତୁନାହିଁ। ପ୍ଲାଷ୍ଟିକ୍ ବା ପଲିଥିନ୍ରେ ଗରମ ଖାଦ୍ୟ କ୍ୟାନସର୍ ପରି ଭୟଙ୍କର ରୋଗ ସୃଷ୍ଟିକରେ। ବଜାରକୁ ଗଲାବେଳେ ସବୁବେଳେ ନିଜର ବ୍ୟାଗ୍ ନେଇଯାଆନ୍ତୁ। ଅନେକ ଲୋକ ନିଜର ବ୍ୟାଗ୍ ନେଇଥିଲେ ବି ଶାଗ, ଟମାଟୋ, କଖାରୁ, ଲଙ୍କା ଇତ୍ୟାଦି ପାଇଁ ଦୋକାନୀକୁ ପଲିଥିନ ମାଗନ୍ତି। ସେମାନେ ଯୁକ୍ତି କରନ୍ତି ଯେ ଆଳୁ ଇତ୍ୟାଦି ପରିବା ସହିତ ଉପରୋକ୍ତ ପରିବାଗୁଡ଼ିକ ରଖିଲେ ନଷ୍ଟ ହୋଇଯାଏ। ଏଇ ଅସୁବିଧା ପାଇଁ ପ୍ରଥମେ ଆଳୁପିଆଜ, ଅଦାରସୁଣ, ତା’ପରେ କଞ୍ଚାପରିବା ଓ ଶେଷରେ ଟମାଟୋ ଶାଗ ଇତ୍ୟାଦି କିଣନ୍ତୁ ବା ଏସବୁ ନରମ ପରିବାପାଇଁ ଅନ୍ୟଏକ ବ୍ୟାଗ୍ ବ୍ୟବହାର କରନ୍ତୁ। ନିଜର ପୁରୁଣା ଜିନ୍ ବା କଟନ୍ ପ୍ୟାଣ୍ଟକୁ ନଷ୍ଟ ନକରି ସେଥିରେ ବ୍ୟାଗ୍ ସିଲେଇ କରି ବ୍ୟବହାର କରନ୍ତୁ। ଏହାଦ୍ବାରା ପୁରୁଣା ଜିନିଷଟିର ପୁନର୍ବ୍ୟବହାର ହେବାସହିତ ପ୍ଲାଷ୍ଟିକ ବା ଜରି ବସ୍ତାର ବ୍ୟାଗ୍ରୁ ମୁକ୍ତିମିଳିବ।
ଅଟା, ସୁଜି, ବେସନ ଇତ୍ୟାଦି ତେଜରାତି ଦୋକାନର ଜିନିଷଗୁଡ଼ିକ ପ୍ୟାକେଟରେ ନଆଣି ଖୋଲାରେ ଆଣନ୍ତୁ। ଜିନିଷଗୁଡ଼ିକ କାଗଜଠୁଙ୍ଗାରେ ଦେବାପାଇଁ ଦୋକାନୀକୁ ବାଧ୍ୟକରନ୍ତୁ। ସ୍କୁଲ ଗଲାବେଳେ ପିଲାଙ୍କୁ ଗରମ ଖାଦ୍ୟ ପ୍ଲାଷ୍ଟିକ ଟିଫିନ୍ରେ ଦିଅନ୍ତୁ ନାହିଁ। ଚିପସ୍, ବିସ୍କୁଟ୍, ମିଶ୍ଚର ପରି ପ୍ଲାଷ୍ଟିକ୍ ପ୍ୟାକେଟ୍ରେ ଏବଂ ଦହିବରା, ଆଳୁଦମ, ଗୁପ୍ଚୁପ୍ ବା ଚାଟ୍ ପରି ସୋଲଗିନାରେ ପରଷା ଯାଉଥିବା ଖାଦ୍ୟ ବର୍ଜନ କରନ୍ତୁ। ସର୍ବଦା ସୂତା ବା ସିଲ୍କ ବସ୍ତ୍ର ବ୍ୟବହାର କରନ୍ତୁ। ସିନ୍ଥେଟିକ୍ ବସ୍ତ୍ର ଆଦୌ ବ୍ୟବହାର କରନ୍ତୁ ନାହିଁ। ଏହା କୌଣସି ଋତୁରେ ମଧ୍ୟ ପିନ୍ଧିବା ଆମ ସ୍ବାସ୍ଥ୍ୟ ପ୍ରତି ଉପକାରୀ ନୁହେଁ। ତା’ଛଡ଼ା ପୁରୁଣା ହୋଇଗଲେ ସିନ୍ଥେଟିକ୍ ବସ୍ତ୍ର ଅନ୍ୟ କୋଉ କାମରେ ଲାଗେନାହିଁ କି କୋତରା ହୋଇ ମାଟିରେ ମିଶିଯାଏନାହିଁ। ଚୌକି, ଟେବୁଲ, ପିଢ଼ା, ଷ୍ଟଲ ଇତ୍ୟାଦି ଫର୍ଣ୍ଣିଚର ଯଥାସମ୍ଭବ କାଠରେ ତିଆରି କରନ୍ତୁ।
ପ୍ଲାଷ୍ଟିକ୍ର ବାଲ୍ତି, ମଗ, ବାସନ, କୁଲା, ଝାଡ଼ୁ, ମଶିଣା ଇତ୍ୟାଦି କିଣନ୍ତୁ ନାହିଁ। ପ୍ଲାଷ୍ଟିକ୍ ବୋତଲରେ ପାଣିପିଇବା ଅତ୍ୟନ୍ତ କ୍ଷତିକାରକ ଏବଂ ଅନେକ ମାରାତ୍ମକ ରୋଗର କାରଣ ହୋଇପାରେ। ତେଣୁ ଘରେ ମାଟି, ପିତ୍ତଳ ବା ତମ୍ବା ମାଠିଆରେ ପାଣି ରଖିଦିଅନ୍ତୁ। ବାହାରକୁ ଗଲାବେଳେ ବର୍ତ୍ତମାନ ବଜାରରେ ମିଳୁଥିବା ଷ୍ଟିଲ୍ ବୋତଲରେ ଘରୁ ପାଣି ନେଇଯାଆନ୍ତୁ। ଘରୁ ବାହାରୁଥିବା ଅଦରକାରୀ ପ୍ଲାଷ୍ଟିକ ବା ପଲିଥିନ ଗୁଡ଼ିକୁ କବାଡ଼ି ବାଲାକୁ ଦେଇଦିଅନ୍ତୁ। ସେ ଏସବୁକୁ ପୁନଃଚକ୍ରଣ ବା ରିସାଇକ୍ଲିଂ ଫ୍ୟାକ୍ଟ୍ରିକୁ ପହଞ୍ଚେଇ ଦେବ। ଯଦି କବାଡ଼ିବାଳାର ସୁବିଧାନାହିଁ ତେବେ ପ୍ଲାଷ୍ଟିକ ବା ପଲିଥିନକୁ ଏଣେତେଣେ ନ ଫୋପାଡ଼ି ପଲିଥିନ ଜରିରୁ ପାପୋଛ, ଫୁଲକୁଣ୍ଡ ତିଆରି କରନ୍ତୁ ବା ଗୋଟିଏ ଜାଗାରେ ପୋତନ୍ତୁ। କିନ୍ତୁ ଆଦୌ ପୋଡ଼ନ୍ତୁ ନାହିଁ। କାରଣ ପ୍ଲାଷ୍ଟିକ ଜଳିବାଦ୍ବାରା ସେଥିରୁ ବାହାରୁଥିବା କଳାଧୂଆଁ କେବଳ ଆପଣଙ୍କର ନୁହେଁ, ଆଖପାଖର ଅନ୍ୟାନ୍ୟ ଲୋକ, ଜୀବଜନ୍ତୁ, ଏମତି ମାଆ ପେଟରେ ଥିବା ପିଲାର ମଧ୍ୟ କ୍ୟାନ୍ସର ରୋଗର କାରଣ ହେବ।
ପ୍ଲାଷ୍ଟିକ ବର୍ଜନ କରିବାର କେତେକ ଉପାୟ ମୁଁ ଜଣେଇଲି। ଆପଣ ମଧ୍ୟ ଚିନ୍ତା କରନ୍ତୁ, ନୂଆ ଉପାୟ ଆବିଷ୍କାର କରନ୍ତୁ ଏବଂ ସମସ୍ତଙ୍କୁ ଜଣାନ୍ତୁ। ନିଜ ଅଞ୍ଚଳରେ ପଲିଥିନ୍ର, ପ୍ଲାଷ୍ଟିକର ବ୍ୟବହାରକୁ କଠୋରଭାବେ ବିରୋଧ କରନ୍ତୁ। ଆମେ ସମସ୍ତେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ ନକଲେ ଈଶ୍ବରଙ୍କ ଜୀବଜଗତକୁ ଧ୍ବଂସ ମୁଖରୁ ରକ୍ଷା କରିପାରିବେନି।
ବିଶ୍ବଭାରତୀ
drbiswabharati@gmail.com