www.samajalive.in
Tuesday, December 9, 2025
15.1 C
Bhubaneswar

ସରକାରୀ ସହାୟତା ପ୍ରଦାନ ଦାବିରେ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କ ବିକ୍ଷୋଭ

ପିପିଲି: ପୁରୀ ଜିଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ, ବଳଙ୍ଗା, ପୁରୀସଦର ଓ ନିମାପଡା ଅଞ୍ଚଳରେ ଲକ୍ଷାଧିକ ସଂଖ୍ୟାରେ ବ୍ରଏଲର କୁକୁଡା ମରିଥିବା ବେଳେ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିପଡ଼ିଛି। ଅଜଣା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଗତ ଜୁନ ମାସରୁ ଜିଲାରେ କୁକୁଡା ମଡକ ଆରମ୍ଭ ହୋଇଥିବା ବେଳେ ଜିଲାର ସମସ୍ତ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ ଦାବିରେ ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ, ଓଡିଶା ର ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ସୋମବାର ଦିନ ମଙ୍ଗଳପୁର ବଜାର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ଦାବୀ ପୂରଣ ନହେଲେ ଆସନ୍ତା ୨୦ ତାରିଖରୁ କ୍ଷତିଗ୍ରସ୍ତ କୁକୁଡା ଚାଷୀମାନେ ଜୋରଦାର ଆନ୍ଦୋଳନ ଚଳାଇବା ସହ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ବାର୍ଡ-ଫ୍ଲୁ ପ୍ରଭାବିତ ପୁରୀ ଜିଲାରେ ଗତ ମଇ ଓ ଜୁନ ମାସରୁ ଭୂତାଣୁ ସଂକ୍ରମଣ ଦ୍ୱାରା କୁକୁଡା ମଡକ ଆରମ୍ଭ ହୋଇଥିବା ବେଳେ ପ୍ରାଣୀ ସଂପଦ ବିଭାଗର ଦାୟିତ୍ୱହିନତା ଯୋଗୁଁଁ ଜିଲାରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ, ଓଡିଶା ର ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡା ଗୁରୁତର ଅଭିଯୋଗ କରିଛନ୍ତି। ଫଳରେ ଦେଢ ହଜାରରୁ ଊର୍ଦ୍ଧ୍ବ କୁକୁଡା ଫାର୍ମରେ ଲକ୍ଷାଧିକ କୁକୁଡା ମରିଥିବା ବେଳେ କୁକୁଡା ଚାଷୀମାନେ ସର୍ବସ୍ୱାନ୍ତ ହୋଇଛନ୍ତି। ପିପିଲିର ଆବଲପୁର, ଡେଲାଙ୍ଗର ଗଡ଼ମୋଟରୀ, ସତ୍ୟବାଦୀର ଧୋଜାମୁଣ୍ଡାଇ ଓ ନିମାପଡା ବ୍ଳକର କୋଟକୁସାଙ୍ଗ ଅଞ୍ଚଳରେ ବାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ପ୍ରାଣୀ ସଂପଦ ବିଭାଗର ରାପିଡ୍‌‌ ରେସ୍‌‌ପନ୍ସ ଟିମ୍‌‌ (ଆର୍‌‌ଆର୍‌‌ଟି) ପକ୍ଷରୁ ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ପରିଧି ଅଞ୍ଚଳ ମଧ୍ୟରେ ଥିବା କେତେକ କୁକୁଡା ଫାର୍ମରୁ କୁକୁଡା ମରା ଅଭିଯାନ ହୋଇଥିଲା।

- Advertisement -

ଉକ୍ତ ଅଞ୍ଚଳ ବାହାରେ ଥିବା ଦେଢ ହଜାରରୁ ଊର୍ଦ୍ଧ୍ବ କୁକୁଡା ଫାର୍ମରେ ଦୈନିକ ହଜାର ହଜାର ସଂଖ୍ୟାରେ କୁକୁଡା ମଡକ ହୋଇଥିବା ବେଳେ ଚାଷୀଙ୍କ କୌଣସି ଦାବୀକୁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ନିଜେ ଗାତ ଖୋଳି ମଲା କୁକୁଡାଙ୍କୁ ମାଟିରେ ପୋତିଥିଲେ। ଏବେ ମଧ୍ୟ ସେସବୁ କୁକୁଡା ଫାର୍ମ ସଂକ୍ରମିତ ଓ ଦୁର୍ଗନ୍ଧମୟ ଅବସ୍ଥାରେ ଥିବା ଅଭିଯୋଗ ହୋଇଛି। ତେବେ ଜିଲାର ସମସ୍ତ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ ଦାବିରେ ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ ପକ୍ଷରୁ ସୋମବାର ପୂର୍ବାହ୍ନରେ ଶତାଧିକ ଚାଷୀ ମଙ୍ଗଳପୁର ବଜାର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ମଙ୍ଗଳପୁର ବଜାର ଠାରୁ ପୁରୀ ଅଭିମୁଖେ ଜାତୀୟ ରାଜପଥରେ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ କ୍ଷତିଗ୍ରସ୍ତ ଚାଷୀମାନେ ଯାଉଥିବା ବେଳେ ପେଟ୍ରୋଲ ଟାଙ୍କି ନିକଟରେ ପିପିଲି ତହସିଲଦାର ଦିଲିପ କୁମାର ମାଝୀ, ଏସ୍‌‌ଡିପିଓ ବିରଞ୍ôଚ ନାରାୟଣ ପତି ଓ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ପ୍ରମୁଖ ସେମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ଜୁନ ମାସରୁ କ୍ଷତିଗ୍ରସ୍ତ କୁକୁଡା ଚାଷୀଙ୍କର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା, ୨୦୧୯ ଫଣି’ ବାତ୍ୟା ସମୟରେ ପ୍ରାଣୀ ସଂପଦ ବିକାଶ ବିଭାଗ ଜରିଆରେ ଯେଉଁ ନିୟମ ଆଧାରରେ ସରକାରଙ୍କ ପକ୍ଷରୁ କୁକୁଡା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା, ସେହି ନିୟମାନୁସାରେ ଭୂତାଣୁଜନିତ ରୋଗରେ କ୍ଷତିଗ୍ରସ୍ତ କୁକୁଡାଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବା, ଏହି ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ସମସ୍ତ ସଂକ୍ରମିତ କୁକୁଡାଫାର୍ମ ଗୁଡିକୁ ତାଲିକାଭୁକ୍ତ କରାଯାଇ ବିଶୋଧନ କରାଯିବା ଆଦି ୧୨ ଦଫା ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପିପିଲି ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆସନ୍ତା ୨୦ ତାରିଖରୁ ଜୋରଦାର ଆନ୍ଦୋଳନ କରାଯିବା ସହ ଗଣଧାରଣା ଦିଆଯିବ ବୋଲି ଶ୍ରୀପରିଡା ଚେତାବନୀ ଦେଇଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories