ପିପିଲିରେ ରଥଯାତ୍ରା : ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ପରିବେଶ

ପିପିଲି :ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରାରେ ମଙ୍ଗଳବାର ପୁଣି ଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବ ଭକ୍ତଙ୍କ ଗହଣରେ ଘୋଷଯାତ୍ରା କରିଥିବା ବେଳେ ଏଥିଯୋଗୁଁ ପିପିଲିର ରଥଟଣା ରାସ୍ତା ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନୀରେ କମ୍ପି ଉଠିଥିଲା ।

prayash

ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ମଙ୍ଗଳବାର ସକାଳେ ମହାପ୍ରଭୂ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଭିନ୍ନ ରିିତୀନିତୀ ସଂପନ୍ନ କରାଯିବା ପରେ ପୂର୍ବାହ୍ନ ୧୦ଟା ୧୫ ମିନିଟ୍‍ରେ ପହଣ୍ଡି କରାଯାଇ ଠାକୁର ମାନଙ୍କୁ ରଥାରୁଢ କରାଯାଇଥିଲା। ମନ୍ଦିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଛନା କରାଯାଇଥିବା ବେଳେ ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର ଓ ଚନ୍ଦନ ମହାପାତ୍ର ଠାକୁରଙ୍କ ବିଭିନ୍ନ ସେବାନିତୀ କରିଥିଲେ। ପୂର୍ବତନ ପୌରାଧ୍ୟକ୍ଷ ତଥା ସମାଜସେବୀ ଗୋକୁଳାନନ୍ଦ ମହାନ୍ତି ଠାକୁର ମାନଙ୍କର ଛେରା ପହଁରା କରିବା ପରେ ଅପରାହ୍ନ ସାଢେ ୨ଟାରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ସାଙ୍ଗକୁ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା। ଶ୍ରୀପତିତପାବନ ଦେବଙ୍କ ମନ୍ଦିର ଠାରୁ ମଢିଆଳି ସାହି ସ୍ଥିତ ମା’ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ଅଢେଇ କିଲୋମିଟର ରାଜପଥ ଉପରେ ଶତାଧିକ ଭକ୍ତ ଆନନ୍ଦ ଓ ଉତ୍ସାହର ସହ ରଥକୁ ଟାଣି ନେଇଥିଲେ। ରଥ ଉପରେ ଲକ୍ଷ୍ମୀଧର ମିଶ୍ର ଡାହୁକ ରୁପେ କାର୍ଯ୍ୟ ସଂପାଦନ କରିଥିଲେ ।

ଅପରାହ୍ନ ୫ଟାରେ ମଢିଆଳିସାହି ଗ୍ରାମ୍ୟଛକ ଠାରେ ରଥ ପହଞ୍ଚିବା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ମା’ ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ସଂଲଗ୍ନ ମାଉସୀ ମା’ଙ୍କ ମନ୍ଦିରକୁ ନିଆଯାଇଥିଲା। ପିପିଲି ରଥଯାତ୍ରା ପରିଚାଳନା କମିଟିର ସଭାପତି ଇଂ ରମେଶ ଚନ୍ଦ୍ର ଶତପଥି, ଉପସଭାପତି ବାମଦେବ ମିଶ୍ର, ସଂପାଦକ ପ୍ରଭାତ କୁମାର ମହାପାତ୍ର, ଉପଦେଷ୍ଠା ତଥା ବରିଷ୍ଠ ଆଡ୍ଭୋକେଟ ସୁଧିର ମହାନ୍ତି, ସୁରେନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ମହାପାତ୍ର, ବୃନ୍ଦାବନ ପ୍ରଧାନ, ପ୍ରଭାକର ପଣ୍ଡା, ନନ୍ଦ କିଶୋର ମହାପାତ୍ର, ସମାଜସେବୀ ମନୋଜ ପ୍ରଧାନ, ଶିକ୍ଷାବିତ୍‍ ସଚ୍ଚିଦାନନ୍ଦ ନାୟକ, ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ବବୁଲ ମହାପାତ୍ର, ଉପସଭାପତି ଦେବବ୍ରତ ମହାପାତ୍ର, ସଂପାଦକ ଦେବାଶିଷ ମହାପାତ୍ର, କୋଷାଧ୍ୟକ୍ଷ ରାକେଶ ମହାପାତ୍ର, ସହସଂପାଦକ ବଳଭଦ୍ର ମହାପାତ୍ର, ସନ୍ତୋଷ ମହାପାତ୍ର ପ୍ରମୁଖ ଏହି ରଥଯାତ୍ରାକୁ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପିପିଲି ପୁଲିସ ଉପସ୍ଥିତ ଥିବା ବେଳେ ପିପିଲି କଲେଜର ସମର ଶିକ୍ଷାର୍ଥି ବାହିନୀ, ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦହି ସରବତ ଓ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା।

kalyan agarbati

Comments are closed.