ରଥଯାତ୍ରା ପାଇଁ ଜାତୀୟ ରାଜପଥରେ ସେବା କାର୍ଯ୍ୟ
ପିପିଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ପାଇଁ ପୁରୀ ଲୋକାରଣ୍ୟ ହୋଇଥିବା ବେଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଗାଡି ମୋଟର ଭିଡ ଲାଗି ରହିଥିଲା। ସୋମବାର ସକାଳଠାରୁ ଏହି ଜାତୀୟ ରାଜପଥରେ ହଜାର ହଜାର ସଂଖ୍ୟାରେ ଦୁଇ ଚକିଆଠାରୁ ଆରମ୍ଭ କରି ୪ ଚକିଆ ଗାଡି ଓ ବସ୍ ଆଦି ପୁରୀ ଅଭିମୁଖେ ଯାଇଥିବା ପରିଲକ୍ଷିତ ହୋଇଥିଲା। ବିଶେଷ କରି ସୋମବାର ରାତିରୁ ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଏହି ରାସ୍ତାରେ ପ୍ରବଳ ସଂଖ୍ୟାରେ ଗାଡିମୋଟର ପୁରୀ ଅଭିମୁଖେ ଯାଇଥିବା ବେଳେ ଅପରାହ୍ନ ୫ଟା ପରଠାରୁ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଗାଡିର ଲମ୍ବା ଧାଡି ଲାଗିଥିବା ପରିଲକ୍ଷିତ ହୋଇଥିଲା। ପୁରୀକୁ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଜାତୀୟ ରାଜପଥରେ ବିଭିନ୍ନ ସେବା କାର୍ଯ୍ୟ କରାଯାଇଥିବା ପରିଲକ୍ଷିତ ହୋଇଥିଲା। ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ରନ୍ଧା ଖାଦ୍ୟଠାରୁ ଆରମ୍ଭ କରି ଦହି ସରବତ ଓ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା। ସେବା ହିଁ ଜୀବନର ଲକ୍ଷ୍ୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପିପିଲି ବାଇପାସ ରାସ୍ତାର ନୂଆଶାସନ ଗ୍ରାମ୍ୟଛକ ନିକଟରେ ସେବା କେନ୍ଦ୍ର କରାଯାଇ ପୁରୀ ଅଭିମୁଖେ ଯାଉଥିବା ୩ହଜାରରୁ ଊର୍ଦ୍ଧ୍ବ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେହିପରି ତେଇସିପୁର ନିକଟରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ କଂଗ୍ରେସ ଦଳ ପକ୍ଷରୁ ଦହି ସରବତ ଓ ଥଣ୍ଡା ପାନୀୟ ବୋତଲ ବିତରଣ କରାଯାଇଥିବା ବେଳେ ସ୍ୱପ୍ନେଶ୍ୱର ସଂଗୀତ କଳାପୀଠ, ମୋଟର ଚାଳକ ସଂଘ, ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ, ଗ୍ଲୋବାଲ ସଂଗଠନ ୨୨୨, ମା’ ଉତ୍ତରେଶ୍ୱରୀ ଯୁବ ପରିଷଦ, ନୂଆଶାସନ ଜାଗେଶ୍ୱରୀ କ୍ଲବ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଦହି ସରବତ ଓ ଥଣ୍ଡା ପାନୀୟ ବୋତଲ ଆଦି ବିତରଣ କରାଯାଇଥିଲା।
Comments are closed.