ବିପଦ ସଙ୍କେତ ତଳକୁ ଖସୁନି ଜଳସ୍ତର, ବଢୁଛି ଚିନ୍ତା

ପିପିଲି:ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ବିପଦ ସଂକେତ ତଳକୁ ଖସୁନି। ମୁଣ୍ଡଳୀରେ ବନ୍ୟାଜଳ ପ୍ରବାହିତ ହ୍ରାସ ପାଉଥିଲେ ମଧ୍ୟ ଉଭୟ ନଦୀରେ ବନ୍ୟାଜଳ ଏବେ ମଧ୍ୟ ବିପଦ ସଂକେତ ଠାରୁ ଢେର ଉର୍ଦ୍ଧରେ ପ୍ରବାହିତ ହେଉଛି । ଫଳରେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୟା ନଦୀର କଣ୍ଟି କାଜରୁ ନିର୍ଗତ ବନ୍ୟାଜଳ ୬ଦିନ କାଳ ପିପିଲି-ଜଟଣୀ ରାସ୍ତା ଉପରେ ପ୍ରବାହିତ ହେଉଥିବା କାରଣରୁ ଉକ୍ତ ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି । ଦୟାନଦୀର ବନ୍ୟାରେ ପିପିଲି, ଡେଲାଙ୍ଗ ଓ କଣାସ ବ୍ଳକର ହଜାର ହଜାର ଏକର ଚାଷ ଜମିର ଫସଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଧାନ, ପନିପରିବା ଠାରୁ ଆରମ୍ଭ କରି କୁକୁଡା, ମାଛ ଓ ଛତୁଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀଙ୍କର ବର୍ଷକର ଆହାର ଉଜୁଡି ଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳର ଦିନ ମଜୁରିଆ ଓ କୃଷକମାନେ ଏବେ ହାତ ବାନ୍ଧି ବସିଥିବା ବେଳେ ଆଶା ଓ ଆଶଙ୍କା ମଧ୍ୟରେ ବିପନ୍ନମାନେ କାଳ କାଟୁଛନ୍ତି।

ହରିପୁର ଠାରେ ଭାର୍ଗବୀ ନଦୀର ବିପଦ ସଙ୍କେତ ୧୨.୦୯୫ ମିଟର ରହିଥିବା ବେଳେ ରବିବାର ସଂନ୍ଧ୍ୟା ୬ଟା ସୁଦ୍ଧା ସେଠାରେ ୧୨.୭ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଦୟାନଦୀର କଣ୍ଟି ଠାରେ ବିପଦ ସଙ୍କେତ ୧୦.୨୫ମିଟର ରହିଥିବା ବେଳେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ସେଠାରେ ୧୦.୯୫ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ୧୧.୬୯ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ୧୨ଘଣ୍ଟା କାଳ ଉଭୟ ନଦୀରେ ବନ୍ୟାଜଳ ସ୍ଥିର ରହିବା ପରେ ରବିବାର ପୂର୍ବାହ୍ନ ୯ଟାରୁ ଏହା ପ୍ରତି ୩ଘଣ୍ଟାରେ ଅଧଇଞ୍ଚ ହ୍ରାସ ପାଉଥିବା ସଂପର୍କରେ କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମାଧବ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି । ଉଭୟ ନଦୀରେ ବନ୍ୟାଜଳ ପୂର୍ଣ୍ଣମାତ୍ରାରେ ପ୍ରବାହିତ ହେଉଥିବା ଯୋଗୁଁ ନଦୀବନ୍ଧ ପ୍ରତି ବିପଦ ରହିଛି । ଜଳସଂପଦ ବିଭାଗ ଓ ପ୍ରଶାସନ ପକ୍ଷରୁ ନଦୀବନ୍ଧ ଉପରେ ୨୪ଘଣ୍ଟିଆ ସତର୍କ ଦୃଷ୍ଟି ରଖାଯାଇଛି । ବିଗତ ବର୍ଷ ମାନଙ୍କରେ ଉଭୟ ନଦୀରେ ୨ରୁ ୩ଦିନ ମଧ୍ୟରେ ଜଳସ୍ତର ହ୍ରାସ ପାଉଥିବା ବେଳେ ଚଳିତ ବର୍ଷ ୬ଦିନ କାଳ ଏହା ବିପଦ ସଂକେତ ଉପରେ ପ୍ରବାହିତ ହେବା ଓ ଏତେଦିନ କାଳ ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ଜଳଘେରରେ ରହିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଦୟାର ବନ୍ୟାଜଳ କାକୁଡିଆ ଠାରେ ଗଙ୍ଗୁଆନଦୀରେ ଓଲଟା ପ୍ରବାହିତ ହେବା କାରଣରୁ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗ୍ରାମ ସଂପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି। ସେଠାରେ ପ୍ରଶାସନ ପକ୍ଷରୁ ଏକ ଡଙ୍ଗା ଯୋଗାଇ ଦିଆଯାଇଛି। ପୋପରଙ୍ଗରୁ ପାଚଲପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏବେ ୬ଫୁଟ୍‍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି କଣ୍ଟି ପଞ୍ଚାୟତର ଦଳିତସାହି ସମେତ ୬ଟି ଗ୍ରାମ ଏବେ ଜଳବନ୍ଦୀ ହୋଇ ରହିଛି। ଦୟା ବନ୍ୟାରେ ୧୪ଟି ଗ୍ରାମ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥିବା ବେଳେ ବିପନ୍ନମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି। ବନ୍ୟା ଘେରରେ ଥିବା ଅଧିକାଂଶ ଗ୍ରାମର ବିପନ୍ନମାନେ ଦୀର୍ଘ ୬ଦିନ କାଳ ସେମାନଙ୍କ ପିଲା, ଛୁଆ, ଗୋରୁ, ଗାଇଙ୍କୁ ଧରି ଆଶ୍ରୟସ୍ଥଳରେ ଅଛନ୍ତି । ମାଧିପୁର କାଜରୁ ପ୍ରବାହିତ ଜଳସ୍ତର କମି ଯାଇଥିବା ସୂଚନା ମିଳିଛି। ଦୟାନଦୀର ବନ୍ୟାଜଳ ଶହଶହ ହେକ୍ଟର ଚାଷଜମିକୁ ଜଳମଗ୍ନ କରିଥିବା ବେଳେ ଧାନ ଓ ପନିପରିବା ଚାଷ ସଂପୂର୍ଣ୍ଣ ଉଜୁଡି ଯାଇଛି। ଏଥିଯୋଗୁଁ କୁକୁଡାଚାଷ, ମାଛଚାଷ ଓ ଛତୁଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ ଥଣ୍ଡା, କାଶ, ଜ୍ୱର ଓ ଝାଡା ଭଳି ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି।

Comments are closed.