ପିପିଲିରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ

0

ପିପିଲି : ବିଜେପିର ବିଜୟ ସଂକଳ୍ପ ସମାବେଶ ଶନିବାର ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ମେଳଣପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ପାଇଁ ଦୁଇ ମିନିଟ୍‍ ନିରବ ପ୍ରାର୍ଥନା କରାଯିବା ସହ ଦେଶର ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନିଆଯାଇଥିବା ଓ ଭାରତୀୟ ବାୟୁବୀର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ଗତକାଲି ଭାରତକୁ ହସ୍ତାନ୍ତର କରିବା ଘଟଣାରେ ଭାରତୀୟ ବାୟୁସେନାକୁ ବିପୁଳ ସ୍ୱାଗତ ଜଣାଯାଇଥିଲା। ଏଥିସହ ପୁନର୍ବାର ନରେନ୍ଦ୍ର ମୋଦୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରିବା ପାଇଁ ଏହି ସମାବେଶରେ ସମସ୍ତେ ସଂକଳ୍ପ ନେଇଥିଲେ।
ବିଜେପିର ଯୁବନେତା ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି ଓ ଡେଲାଙ୍ଗ ବ୍ଲକ୍‍ର ୨୭୩ଟି ବୁଥ୍‍ର କାର୍ଯ୍ୟକର୍ତ୍ତାମାନେ ହାଟଡେଲାଙ୍ଗ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ଡେଲାଙ୍ଗ ଷ୍ଟେସନବଜାର, ଖେଲାଉର ବଜାର, ଅରିଶଲ ବଜାର, ବାଜପେୟୀ ଛକ, ଦାନୋଗହିର ବଜାର, ପିପିଲି ଅକ୍ଟ୍ରାଇ ଛକ, ଚାନ୍ଦୁଆବଜାର, ପିପିଲି ହାଟଛକ, ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର ପରିକ୍ରମା କରିବା ସହ ସାତଶଙ୍ଖ ମେଳଣ ପଡିଆ ଠାରେ ପହଞ୍ଚିଥିଲେ। ସେଠାରେ ବିଜେପିର ପୁରୀ ଜିଲା ଉପସଭାପତି ଜନ୍ମେଜୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଜିଲା ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ର, ଯୁବନେତା ଆଶ୍ରୀତ ପଟ୍ଟନାୟକ, ବରିଷ୍ଠନେତା ଡାକ୍ତର ନବକିଶୋର ରାଉତ, କୃତିବାସ ମହାପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଗାମୀ ନିର୍ବାଚନରେ ପିପିଲି ନିର୍ବାଚନମଣ୍ଡଳୀରୁ ବିଜେପି ଯୁବନେତା ଆଶ୍ରୀତ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ଏହି ଅବସରରେ ସେଠାରେ ଉପସ୍ଥିତ କାର୍ଯ୍ୟକର୍ତ୍ତା, କର୍ମୀ ଓ ସମର୍ଥକମାନେ ସଂକଳ୍ପ ନେଇଥିଲେ। ଶେଷରେ କେଶବ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମାବେଶରେ ସମସ୍ତ ମଣ୍ଡଳ ସଭାପତି, ବୁଥ୍‍ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ଦଳୀୟ ନେତାମାନେ ଉପସ୍ଥିତ ଥିଲେ।

Leave A Reply