ସରକାରୀ ଅର୍ଥ ଆତ୍ମସାତ, ଶିକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ

ଫୁଲବାଣୀ: ସରକାରୀ ଅନୁଦାନ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜଣେ ଶିକ୍ଷକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି। ଜୋରିମାନା ଅନାଦାୟ ଅଭିଯୁକ୍ତଙ୍କୁ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଶିକ୍ଷକ ହେଲେ ବାଲିଗୁଡା ବ୍ଲକ ଡୁକୁଲାମିଲା ନୂତନ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ଶିକ୍ଷକ ବିଭୁନନ୍ଦନ କେଶରୀ ନାୟକ।

ମାମଲାର ବିବରଣୀ ପ୍ରକାରେ, ୨୦୧୭ରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ୩ ଲକ୍ଷ ଟଙ୍କାର ଅନୁଦାନ ଅର୍ଥକୁ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ବିଭୁନନ୍ଦନ କୌଣସି କାମ ନକରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ପରେ ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରି ତାଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରିଥିଲା। ଆଜି ଏହି ମାମଲାର ଶୁଣାଣି କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାର ଅନ୍ୟ ଅଭିଯୁକ୍ତ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି କିଟୁସୁ ମଲ୍ଲିକଙ୍କୁ ଅଦାଲତ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ତତ୍କାଳୀନ ଭିଜିଲାନ୍ସ ଇନ୍ସପେକ୍ଟର ରାଜୀବ କୁମାର ବେହେରା ମାମଲାର ତଦନ୍ତ କରିଥିଲେ। ସ୍ବତନ୍ତ୍ର ପିପି ଭି.ଭି. ରାମଦାସ ଅଦାଲତରେ ମାମଲା ପରିଚାଳନା କରିଥିଲେ।

Comments are closed.