ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍
ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ୍ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୬୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୩ବର୍ଷ ୬ମାସ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ୧୬ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବାଲିଗୁଡା ଥାନା ଅନ୍ତର୍ଗତ ବଳିକିଆ ଅଞ୍ଚଳର ତାଲେଶ୍ଵର ମଲିକକୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଫାଷ୍ଟ ଟ୍ରାକ ପୋକ୍ସୋର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ସୂଚନା ଅନୁସାରେ, ପୀଡ଼ିତା ଗତ ୦୬.୦୩.୨୦୨୨ରିଖ ରାତି ୭ଟାବେଳେ ଟିଭି ଦେଖିବାକୁ ଦୋଷୀ ତାଲେଶ୍ଵର ଘରକୁ ଯାଇଥିଲେ। ଅଭିଯୁକ୍ତ ଚକୋଲେଟ୍ ଦେବା ବାହାନାରେ ପୀଡ଼ିତାଙ୍କ ପାଟି ବନ୍ଦ କରି ନେଇ ଯାଇ ବିଲମାଳରେ ଦୁଷ୍କର୍ମ କରିଥିଲା। ପୀଡ଼ିତା ଚେତାଶୂନ୍ୟ ହୋଇ ବିଲମାଳରେ ପଡ଼ିଥିଲା। ସୁନୀଲ ମଲିକ ନାମକ ଜଣେ ବ୍ୟକ୍ତି ଶୌଚ ପାଇଁ ଯିବାବେଳେ ନାବାଳିକା ପଡ଼ିଥିବା ଦେଖି ଖବର ଦେବାରୁ ପୀଡ଼ିତାଙ୍କ ମାଆ ଏବଂ ବଡ଼ ମାଆ ଯାଇ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଘରକୁ ଆଣିଥିଲେ। ଏ ସଂକ୍ରାନ୍ତରେ ତା ୦୭.୦୩.୨୦୨୨ରିଖରେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ମାମଲାକୁ ଥାନା କେସ୍ ନଂ-୫୫/୦୭.୦୩.୨୦୨୨ରେ ରେଜିଷ୍ଟ୍ରେସନ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିଥିଲେ। ଶୁକ୍ରବାର ଏହି ମାମଲାର ବିଚାର କରି ବିଚାରପତି ଉକ୍ତ ରାୟ ପ୍ରକାଶ କରିଛନ୍ତି ଏବଂ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲା ଲିଗାଲ୍ ଏଡ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.