ଏବେ ବିଦ୍ୟୁତ ବିନା ଚଳିବା ଅସମ୍ଭବ ଭଳି ଲାଗୁଛି, ପ୍ରତିଟି ସମୟରେ ରହିଛି ଅବଶ୍ୟକତା
ଉଜ୍ଜଳ ଭାରତ-ଉଜ୍ଜଳ ଭବିଷ୍ୟତ, ପାୱାର-୨୦୪୭ ପାଳନ

ଫୁଲବାଣୀ,:ଆଜାଦୀକା କା ଅମୃତ ମହୋତ୍ସବ ପାଳନ ଅବସରରେ ସାରା ଭାରତର ପ୍ରତି ଜିଲ୍ଲାର ଦୁଇଗୋଟି ସ୍ଥାନରେ ଉଜ୍ଜଳ ଭାରତ-ଉଜ୍ଜଳ ଭବିଷ୍ୟତ, ପାୱାର-୨୦୪୭ ପାଳନ କରାଯାଉଛି। ଏହି କ୍ରମରେ କନ୍ଧମାଳ ଜିଲାରେ ମଧ୍ୟ ବାଲିଗୁଡ଼ା ଓ ଫୁଲବାଣୀ ଠାରେ ଏହାକୁ ମହାସମାରୋହରେ ପାଳନ କରାଯାଇଛି। ଗୁରୁବାର ଫୁଲବାଣୀ ଗାନ୍ଧୀସ୍ମୃତିଭବନ ଠାରେ ପାଳିତ ବିଭିନ୍ନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଲେ ଯେ, ଏବେ ବିଦ୍ୟୁତ ବିନା ଚଳିବା ଅସମ୍ଭବ ଭଳି ଲାଗୁଛି। ପ୍ରତିଟି ସମୟରେ ଏହାର ଅବଶ୍ୟକତା ରହିଛି।
ତେବେ ଜିଲାବାସୀ ଏହାର ଅବଶ୍ୟକତାକୁ ଦୃଷ୍ଟିରେ ରଖି ଶକ୍ତି ସଞ୍ଚୟ କରିବା ସହିତ ବିଦ୍ୟୁତ କର୍ମଚାରୀମାନଙ୍କ ପ୍ରତି କଠୋର ବ୍ୟବହାର ନ କରିବାକୁ ନିବେଦନ କରିଥିଲେ। ବିଦ୍ୟୁତର ଅପବ୍ୟବହାରକୁ ରୋକିବାକୁ ଗୁରୁତ୍ୱ ଦେଇଥିଲେ ବୋଲି ସମ୍ମାନୀତ ଅତିଥି ଭାବେ ଯୋଗଦେଇ କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ। ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲର ସାଧାରଣ ପରିଚାଳକ ଚିତ୍ତରଞ୍ଜନ ବେହେରା ତାଙ୍କ ପ୍ରାରମ୍ଭିକ ଭାଷଣରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ, ଓପିଟିସିଏଲ, ଟିପିଏସଓଡିଏଲର ମିଳିତ ଉଦ୍ୟମରେ ବିଦ୍ୟୁତ କ୍ଷେତ୍ରରେ ଥିବା ଲୋକଭିମୁଖୀ ଯୋଜନାର ପ୍ରମୁଖ ସଫଳତା ଉପରେ ଆଲୋକପାତ କରିଥିଲେ। ଟିପିଏସଓଡିଏଲ ଉଦ୍ୟମରେ ଦେଶୀ ଯୋଜନାରେ ବାଲିଗୁଡ଼ା, ଫୁଲବାଣୀ ଓ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୧୫ଟି ନୂତନ ଡିଷ୍ଟ୍ରିବୁସନ ସବଷ୍ଟେସନ କରାଯାଇଛି। ଜିଲାରେ ସୌଭାଗ୍ୟ ଯୋଜନା ଓ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଏବଂ ଓଡିଏସଏସପି ଯୋଜନାରେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଅଗେଇ ଚାଲିଛି ବୋଲି ଶ୍ରୀ ବେହେରା କହିଥିଲେ।
ଉକ୍ତ ମହୋତ୍ସବରେ ଫୁଲବାଣୀ , ଘୁ.ଉଦୟଗିରି ବିଧାୟକ ପ୍ରତିନିଧି , ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର, ବ୍ରହ୍ମପୁର ବିଦ୍ୟୁତ ନିରୀକ୍ଷକ ସୁଧିର କୁମାର ମହାପାତ୍ର, ଓପିଟିସିଏଲର ଉପ-ସାଧାରଣ ପରିଚାଳକ ରବି ନାରାୟଣ ଚୌଧୁରି, ଟିପିଏସଓଡିଏଲର ନିର୍ବାହୀ ଯନ୍ତ୍ରୀ ଇଂ.ମନୋଜ ମହାନ୍ତି ପ୍ରମୁଖ ଅତିଥିଭାବେ ଯେଗାଦେଇ ଏହି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ବହୁ ପଦାଧିକାରୀ, ବହୁ ଉପଭୋକ୍ତା, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅନ୍ୟମାନେ ଯୋଗଦେଇଥିଲେ। ଫୁଲବାଣୀ ଏସଡିଓ ଇଂ.କାର୍ତ୍ତିକ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ସରକାରଙ୍କର ଶକ୍ତି ବିଭାଗର ବିଭିନ୍ନ ଯୋଜନାମାନ ପ୍ରଦର୍ଶିତ କରିବା ସହିତ ବିଜୁଳୀର ଅପବ୍ୟବହାର ରୋକିବା, ଭୁଲ୍ ବ୍ୟବହାର ଯୋଗୁଁ ଧନ ଜୀବନ ହାନି ନ ହେବା ସର୍ବୋପରି ଶକ୍ତି ସଂଚୟ କରିବା ଦିଗରେ ସଚେତନତା ସୃଷ୍ଟିହେବା ଭଳି ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା। ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।
Comments are closed.