ଭବାନୀପାଟଣା : କଳାହାଣ୍ଡି ଲୋକସଭା ଆସନରେ ମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କ ପ୍ରଚାର ଶୈଳୀ ଭୋଟରଙ୍କୁ ଆକର୍ଷିତ କରୁଛି। କଳାହାଣ୍ଡି ଲୋକସଭା ଆସନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଡଃ ଧର୍ମାନନ୍ଦ ଗହିର । ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ସମାପ୍ତ ପରେ ୨୦୦୯ ମସିହାରେ କାନପୁର ଆଇଆଇଟିରୁ ଗଣିତରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ୨୦୧୦ ରୁ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରେ ଗଣିତ ବିଭାଗରେ ଅଧ୍ୟାପନା କଲେ। ୧୨ ବର୍ଷର ଅଧ୍ୟାପନା ପରେ ଏବେ ଗାଁକୁ ଆସି ସ୍ଥାନୀୟ ଅଞ୍ଚଳର ସମସ୍ୟାର ଆଶୁ ସମାଧାନ ଦିଗରେ ସେ କାର୍ଯ୍ୟ କରୁଛନ୍ତି। ଚଳିତ ନିର୍ବାଚନରେ ଡଃ ଗହୀର ସ୍ଵାଧୀନ ପ୍ରାର୍ଥୀ ଭାବେ ସ୍କେଟିଙ୍ଗରେ ବୁଲି ବୁଲି ପ୍ରଚାର କରୁଛନ୍ତି।
“ସମାଜ” ସହିତ ଆଲୋଚନା ବେଳେ ଚାଷ, ଚାଷୀ ଏବଂ ରୋଜଗାରକୁ ସେ ପ୍ରାଧାନ୍ୟ ଦିଅନ୍ତି ବୋଲି କହିଛନ୍ତି । କଳାହାଣ୍ଡିରେ ଉନ୍ନତମାନର କପା ଉତ୍ପାଦନ ହେଉଥିଲେ ବି ଉତ୍ପାଦିତ କପାକୁ ସୁରତ ପଠା ଯାଉଛି। ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ମଧ୍ୟ ରୋଜଗାର ପାଇଁ ସୁରତ ଯାଉଛନ୍ତି। ଏଣୁ ଯୁବଶକ୍ତିର ସଦ ବିନିଯୋଗ, ଗରିବଙ୍କ ନାନାବିଧ ଉନ୍ନତିକୁ ସେ ଗୁରୁତ୍ଵ ଦେଉଥିବା କୁହନ୍ତି। ସ୍କେଟିଙ୍ଗକୁ ଯାତାୟାତର ଅନ୍ୟତମ ଉତ୍ତମ ସାଧନ ବୋଲି ଡଃ ଗହିର କୁହନ୍ତି। ପରିବେଶ ସନ୍ତୁଳନ ସହିତ ଅଳ୍ପ ଖର୍ଚ୍ଚରେ ଯାତାୟାତ କରିହେବ। ଭୁବନେଶ୍ୱରରୁ କଟକ, ଜୁନାଗଡ଼ରୁ ଭବାନିପାଟଣା ଯାଏଁ ରାଜ୍ୟର ସବୁ ସହରରେ ସ୍କେଟିଂକୁ ସେ ପ୍ରମୋଟ କରୁଛନ୍ତି। ଅନ୍ୟପକ୍ଷରେ ଶିକ୍ଷିତ ଲୋକ ନିର୍ବାଚିତ ହେଲେ ସରକାରୀ ଖସଡ଼ା ଠିକ୍ ଭାବେ ପ୍ରସ୍ତୁତ ହେବ। ଲୋକଙ୍କ ଆବଶ୍ୟକ ଆଧାରରେ ଯୋଜନା ପ୍ରସ୍ତୁତ ହେଲେ ତାହା ଲୋକଙ୍କ କାମରେ ଆସିବ ବୋଲି ଡଃ ଗହିର କହିଛନ୍ତି।



