ଦୀପାବଳି ସୁଦ୍ଧା କମିପାରେ ତୈଳ ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ଏହା ବ୍ୟତୀତ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଲାଗୁ ହେଉଥିବା ଶୁଳ୍କ ସରକାର ହ୍ରାସ କରିଛନ୍ତି। ଗତ କିଛିମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି। ଦାମରେ କୌଣସି ହ୍ରାସ କି ବୃଦ୍ଧି ହୋଇନି। ସରକାର ଟିକସ ହ୍ରାସ କରିଥିବାରୁ ମୂଲ୍ୟ ହ୍ରାସ ପାଇ ପାରେ। ଦୀପାବଳି ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୭ ଟଙ୍କା ଯାଏଁ ଶସ୍ତା ହୋଇପାରେ । ଏବେ ଆନ୍ତର୍ଜାତୀକ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୯୦ ଡଲାର ରହିଛି ।

ଏହାପରେ ବ୍ୟାରେଲ ପିଛା ମୂଲ୍ୟ ୮୭ ଡଲାରକୁ ଖସିପାରେ ବୋଲି ଅନୁମାନ କରାଯାଉଛି । ଦୀପାବଳି ସୁଦ୍ଧା ଖାଉଟିଙ୍କୁ ଆଶ୍ୱସ୍ତି ଦେଇ କମ୍ପାନିଗୁଡିକ ତୈଳର ମୂଲ୍ୟରେ ହ୍ରାସ କରିପାରନ୍ତି । ସୋମବାର ସଂଧ୍ୟାରେ ଅନ୍ତର୍ଜାତୀୟ ବାଜରରେ ଅଶୋଧିତ ତୈଳର ମୂଲ୍ୟରେ ଦୁଇ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା। ଅଶୋଧିତ ତୈଳ ମୂଲ୍ୟ ୨.୪୪ ପ୍ରତିଶତ ହ୍ରାସ ସହ ୮୯.୧୨ ଡଲାର ପ୍ରତି ବ୍ୟାରେଲ ବ୍ୟବସାୟ କରୁଥିଲା। ୭ ମାସ ଭିତରେ ଅଶୋଧିତ ତୈଳର ମୂଲ୍ୟରେ ୩୯ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ମାର୍ଚ୍ଚ ମାସରେ କ୍ରୁଡ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୪୭ ଡଲାର ସର୍ବୋଚ୍ଚ ସ୍ତରରେ ଥିଲା ।

ଏବେ ଏହା ୯୦ ଡଲାରରୁ ତଳେ ରହିଛି । ଏହି ସାତ ମାସରେ ଅଶୋଧିତ ତୈଳର ମୂଲ୍ୟରେ ୩୯.୩୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଦୀପାବଳି ସୁଦ୍ଧା ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୫ରୁ ୭ ଟଙ୍କା ହ୍ରାସ ହୋଇପାରେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ହ୍ରାସ ପାଇ ଚାଲିଛି। ସରକାର ଅଶୋଧିତ ତୈଳ ଉପରେ ଟନ ପିଛା ୧୩ହଜାର ୩୦୦ ଟଙ୍କାର କରକୁ ହ୍ରାସ କରି ୧୦ ହଜାର ୫ଶହ ଟଙ୍କା କରିଛନ୍ତି। ଶୁଳ୍କ ହ୍ରାସ ନେଇ ଅର୍ଥ ମନ୍ତ୍ରାଳୟ ଅଧିସୂଚନା ଜାରି କରିଛନ୍ତି। ଏଥିରେ ଡିଜେଲ ରପ୍ତାନୀ ଶୁଳ୍କ ୧୩.୫ରୁ ୧୦ ଟଙ୍କାକୁ ହ୍ରାସ କରିଛନ୍ତି। ସେହି ଅନୁସାରେ ଲିଟର ପିଛା ଇନ୍ଧନ ରପ୍ତାନୀ ୯ଟଙ୍କାରୁ ୫ ଟଙ୍କାକୁ ହ୍ରାସ ହୋଇଛି।

Comments are closed.