ଦିଲ୍ଲୀ ପୁଲିସର ଦମନଲୀଳାକୁ କଂଗ୍ରେସର ଦୃଢ଼ ନିନ୍ଦା
ଆସନ୍ତାକାଲି ପିସିସି ତରଫରୁ ରାଜ ଭବନ ସମ୍ମୁଖରେ ବିକ୍ଷୋଭ, ୧୭ରେ ଜିଲ୍ଲା ସଦର ମହକୁମାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର : କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସର ଦମନଲୀଳା ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ବୁଧବାର ଏକ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୃଢ଼ ନିନ୍ଦା କରୁଛି । ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥି ବୋଲି ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ଯେଉଁଭଳି ଭାବରେ ୨୪ ଆକବର ରୋଡ଼, ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଏବଂ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ କାର୍ଯ୍ୟକର୍ତା ଓ କର୍ମୀମାନଙ୍କୁ କାର୍ଯ୍ୟାଳୟ ଭିତରକୁ ନ ଛାଡ଼ିବା ଏହା ସ୍ୱାଧୀନ ଭାରତ ବର୍ଷରେ କେବେ ଦେଖାଯାଇନଥିଲା । କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରି ଦିଲ୍ଲୀ ପୁଲିସ୍, କର୍ମକର୍ତାମାନଙ୍କୁ କାର୍ଯ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ କରିବାକୁ ଦେଲା ନାହିଁ ଏବଂ ଯେଉଁମାନେ ପ୍ରତିବାଦ କଲେ ସେମାନଙ୍କ ଉପରେ ଲାଠିମାଡ଼ କଲା। କାହା ନିର୍ଦ୍ଦେଶରେ ପୁଲିସ ଏଭଳି କାମ କରୁଛି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି । ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଏବଂ ବର୍ତମାନ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲଗାତାର ୩ ଦିନ ଧରି ଇଡ଼ି ପଚରାଉଚରା ପାଇଁ ଡାକୁଛନ୍ତି, ଯେଉଁଥିରେ ମନି ଲଣ୍ଡରିଙ୍ଗ ହୋଇଥିବାର ସାମାନ୍ୟତମ ଯଥାର୍ଥତା ନାହିଁ । କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଜନମାନସରେ ନିନ୍ଦିତ କରିବା ପାଇଁ ଏକଛତ୍ରବାଦୀ ନରେନ୍ଦ୍ର ମୋଦୀଙ୍କ ବିଜେପି ସରକାର ସିବିଆଇ, ଆଇଟି ଓ ଇଡ଼ି ଆଦି ସଂସ୍ଥାକୁ ହାତ ବାରିଶ୍ କରି ବିରୋଧି ବିଶେଷ କରି କଂଗ୍ରେସର ନେତାମାନଙ୍କୁ ଶିକାର କରୁଛନ୍ତି । କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି । ଦୀଲ୍ଲି ପୁଲିସ୍ର ଆଜିର ବର୍ବରତା ପ୍ରତିବାଦରେ ଆସନ୍ତାକାଲି (ଗୁରୁବାର) ପିସିସି ତରଫରୁ ରାଜ ଭବନ ସମ୍ମୁଖରେ ଓ ଆସନ୍ତା ୧୭ ତାରିଖରେ ସମସ୍ତ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଦର ମହକୁମାରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବାର ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ପ୍ରଦେଶ କଂଗ୍ରେସର ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର, କହିଛନ୍ତି ଯେ ଦେଶର ଦୁର୍ଭାଗ୍ୟ ଯେଉଁ ଦଳ ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିଲେ, ନାଥୁରାମ ଗଡ଼୍ସେ ଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ଓ ଦୀର୍ଘ ୫୨ ବର୍ଷ ଧରି ଜାତୀୟ ପତାକା ନଉଡ଼ାଇ କଳା ପତାକା ଉଡ଼ାଉଥିଲେ ସେମାନେ ଏବେ ଦେଶର ଶାସନକର୍ତ୍ତା ହୋଇଛନ୍ତି । ବର୍ତମାନର ପ୍ରଧାନମନ୍ତ୍ରୀ କଂଗ୍ରେସ ମୁକ୍ତ ଭାରତ ବର୍ଷର ସ୍ୱପ୍ନ ଦେଖିଥିଲେ, ତାହା କାର୍ଯ୍ୟକାରୀ କରିବା ପାଇଁ ଯେପରି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ପନ୍ଥା ଅନୁସରଣ କରୁଛନ୍ତି ତାହା ତାଙ୍କ ସରକାରର ଅକାଳ ପତନକୁ ଡାକିଆଣିବ ବୋଲି ଚେତାବନୀ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ଦାଶରଥି ଗମାଙ୍ଗୋ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ, ଯୁଦ୍ଧିଷ୍ଟିର ଜେନା, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ କଂଗ୍ରେସ ନେତା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ସୁରେଶ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି, ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.