www.samajalive.in
Sunday, December 7, 2025
14.1 C
Bhubaneswar

ଚକା ଗଡ଼ାରେ ବନ୍ଧା ପଡିଛି ଶୈଶବ; ନବମ ଶ୍ରେଣୀରେ ଦିବ୍ୟାଙ୍ଗ ଦଳିତ ଛାତ୍ରଙ୍କ ନାମ

ପାତ୍ରପୁର: ପାତ୍ରପୁର ବ୍ଲକର ଜଣେ ଦଳିତ ଦିବ୍ୟାଙ୍ଗ ଛାତ୍ରଙ୍କର ଚକା ଗଡ଼ାରେ ଶୈଶବ ବନ୍ଧା ପଡିଥବା ବେଳେ ଦୀର୍ଘ ବର୍ଷ ହେଲା ଏହା ନିଶା ପାଲଟିଛି। ଛାତ୍ର ଜଣକ ହେଉଛନ୍ତି ପାତ୍ରପୁର ବ୍ଲକ ମନ୍ଦରଡା ପଞ୍ଚାୟତ ହୁକୁମା ଗ୍ରାମର ଜାଗିଲି ନାଇକଙ୍କ ପୁଅ ରତିକାନ୍ତ ନାଇକ(୧୫)।  ରତିକାନ୍ତକୁ ଦୁଇ ଅକ୍ଷର ପାଠ ପଢ଼ାଇ ଭଲ ମଣିଷଟିଏ କରିବା ପାଇଁ ବାପା ଉଦ୍ୟମ କରିଥିଲେ। ତେବେ ଭାଗ୍ୟ ତାଙ୍କ ସାଥ ଦେଲାନାହିଁ। ଏବେ ରତିକାନ୍ତ ଗ୍ରାମର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ନବନ ଶ୍ରେଣୀର ଛାତ୍ର। ତେବେ ପିଲାବେଳର ରୋଗ ତାଙ୍କୁ ଅଲଗା ରାସ୍ତାରେ ପହଞ୍ଚାଇଛି। ରାତି ପାହିଲେ ଟାୟାର ଧରି ମାଇଲ ମାଇଲ ଗଡାଇ ଯିବା ଏକ ଅଭ୍ୟାସରେ ପରିଣତ ହୋଇଛି। ଜାଗିଲିଙ୍କ ତିନି ପୁଅ ଗୋଟିଏ ଝିଅ ଅଛନ୍ତି। ରତିକାନ୍ତ ତୃତୀୟ ସନ୍ତାନ।

ପିଲାବେଳେ ତାଙ୍କୁ ଜ୍ୱର ହୋଇଥିଲା। ଏହାପରେ ତାଙ୍କୁ ଗ୍ରାମ ନିକଟ ଜଣେ ଘରୋଇ ବଇଦଙ୍କୁ ଦେଖାଇଥିଲେ। ତେବେ ଜ୍ୱର ନ କମିବାରୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ। ତାଙ୍କର ଜ୍ଵର ଭଲ ହେବା ପରେ ଠିକ ଭାବେ ଚାଲିବା କଥା କହିବାରେ ଅସୁବିଧା ଦେଖା ଦେଇଥିଲା। ତେବେ ସେ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଅଧିକା ଚିକିତ୍ସା କରିପାରି ନ ଥିଲେ। ଏହାପରେ ରତିକାନ୍ତ ସାଙ୍ଗ ପିଲାଙ୍କ ଟାୟାର(ଚକା) ଗଡ଼ା ଦେଖି ଗ୍ରାମର ଜଣେ ଲୋକଙ୍କ ଠାରୁ ସାଇକେଲ ଟାୟାର ଆଣି ରାସ୍ତାରେ ଗଡାଇବା ଆରମ୍ଭ କରିଥିଲେ। ଯାହାରି ଫଳରେ ପିଲାଟି ଚାଲିବା ଆଶାରେ ତାକୁ କେହି ବାରଣ କରି ନ ଥିଲେ। ତେବେ ଏ ମଧ୍ୟରେ ଦୀର୍ଘ ଦଶରୁ ଉର୍ଦ୍ଧ୍ବ ବର୍ଷ ହେଲା ପିଲାଟି ଚକା ଗଡ଼ାଇ ଚାଲିଛି। ଏବେ ସାଇକେଲ ଚକା(ଟାୟାର) ବଦଳରେ ମୋଟର ସାଇକେଲ ଚକା ଗଡାଇ ଚାଲିଛି। ରାତି ପାହିଲେ ଟାୟାର ଓ ବାଡ଼ି ଖଣ୍ଡେ ଧରି ଦଶରୁ କୋଡିଏ କିଲୋମିଟର ଚାଲିଯାଉଛନ୍ତି। କେବେ ଫେରୁଛନ୍ତି ତ କେବେ ବାହାରେ ଅଟକି ଯାଉଛନ୍ତି। ପରିବାର ଲୋକମାନେ ଖବର ଜାଣିଲେ ଦୂର ଦୁରାନ୍ତରୁ ତାଙ୍କୁ ଘରକୁ ଆଣୁଛନ୍ତି। ରାସ୍ତାରେ ଚକ ଗଡ଼ାଇବା ବେଳେ ବିଭିନ୍ନ ପ୍ରକାର ଗୀତ ଗାଇ ଚାଲି ଥାଆନ୍ତି। ତାଙ୍କୁ ଦେଖି ଯିଏ ଯାହା ଖାଦ୍ୟ ଦିଅନ୍ତି ସେଥିରେ ଖୁସି ହୁଅନ୍ତି। ତାଙ୍କର ଗୋଟିଏ ହାତ ଏବଂ ଗୋଡ ଠିକ ଭାବେ କାର୍ୟ୍ୟ କରୁନାହିଁ। ଏଥିପାଇଁ ଜାଗିଲି ତାଙ୍କୁ ଦିବ୍ୟାଙ୍ଗ ଭତ୍ତା ପାଇଁ ଆବେଦନ କରିଥିଲେ। ଏପରିକି ପୁଅକୁ ଧରି ବ୍ରହ୍ମପୁର କେନ୍ଦ୍ରକୁ ନିର୍ଦ୍ଧାରିତ ତାରିଖରେ ନେଇଥିଲେ। ତେବେ ସେ ଭତ୍ତା ପାଇବା ପାଇଁ ଯୋଗ୍ୟ ନ ହେବା ଜାଣିବା ପରେ ନିରାଶ ହୋଇ କର୍ମକୁ ଆଦରି ରହିଛନ୍ତି। ରତିକାନ୍ତଙ୍କ ନାମ ଗ୍ରାମ ସ୍କୁଲରେ ରହିଛି। ସର୍ବଶିକ୍ଷା ନିୟମ ଅନୁଯାୟୀ ଶ୍ରେଣୀ ପରେ ଶ୍ରେଣୀ ପାସ କରି ଚଳିତ ବର୍ଷ ନବମ ଶ୍ରେଣୀରେ ନାମ ରହିଛି। ତେବେ ଲେଖା ପଢ଼ା ପାସୋରି ମାସରେ କେବେ କେମିତି ମନ ହେଲେ ସ୍କୁଲକୁ ଯାଇ କିଛି ସମୟ ରହି ଫେରୁଛନ୍ତି। ମାନସିକ ଅନଗ୍ରସର ପିଲାଙ୍କ ପାଇଁ ଉଜ୍ଜ୍ୱଳ ଉଥାନ ଭଳି କାର୍ୟ୍ୟକ୍ରମ ଚାଲିଛି। ତେବେ ଜ୍ଵର ଆକ୍ରାନ୍ତ ପରେ ଏହିଭଳି ଅବସ୍ଥାରେ ପହଞ୍ଚିଥିବା ଜଣେ ଦଳିତ ଛାତ୍ରଙ୍କ ଚିକିତ୍ସା ସହିତ ସହାୟତା ଯୋଗାଇଲେ ହୁଏତ ତାଙ୍କର ଏହି ଅବସ୍ଥାରେ ପରିବର୍ତ୍ତନ ହେବା ସହ ବାପା ମାଆଙ୍କ ଦୁଃଖ ଦୂର ହୋଇପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories