www.samajalive.in
Tuesday, December 9, 2025
16.1 C
Bhubaneswar

ପାଣିରେ ଭାସୁଛି ଧାନ, ପନିପରିବା ନଷ୍ଟ

ଆଠଗଡ : ଆଠଗଡ ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷାରେ ଚାଷବାସ ସମ୍ପୂର୍ଣ୍ଣ ଉଜୁଡି ଯିବାକୁ ବସିଲାଣି । ସପ୍ତାହକ ମଧ୍ଯରେ ଦୁଇଦୁଇଟି ଲଘୁଚାପ ଏବଂ ପ୍ରଭାବରେ ଲଗାଣ ବର୍ଷାରେ ଅମଳକ୍ଷମ ଫସଲ ଓ ପନିପରିବା ଆଖି ଆଗରେ ଉଜୁଡି ଯାଉଥିବାରୁ ଚାଷୀକୂଳ ପାଇଁ ଅସହ୍ଯ ହୋଇପଡିଛି। ଆଠଗଡ ଏକ କୃଷିପ୍ରଧାନ ଅଞ୍ଚଳ ଏବଂ ଏଠାରେ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ଏଠାରେ ନଭେମ୍ବରରୁ ଜାନୁଆରୀ ମଧ୍ଯରେ ଖରିଫ ଧାନ ଅମଳ ହୋଇଥାଏ । ଏବେବି ପ୍ରାୟ ୪୦% ଜମିରେ ଧାନ କଟା ନହୋଇ ରହିଛି । ଆଉ ଏଇ ସମୟରେ ସପ୍ତାହକ ମଧ୍ଯରେ ଦୁଇଟି ପର୍ଯ୍ୟାୟରେ ୪ଦିନ ଲଗାଣ ବର୍ଷା ଫଳରେ ଧାନ ସହିତ ଶୀତଦିନିଆ ପନିପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡିଯିବା ଆଶଙ୍କାରେ ଚାଷୀକୂଳ ବ୍ଯତିବ୍ଯସ୍ତ ହୋଇ ପଡିଛନ୍ତି । କ୍ଷେତରେ କଟା ହୋଇନଥିବା ପାଚିଲା ଧାନ ଏବଂ ଗତ ଦୁଇଦିନ ପୂର୍ବରୁ ତରବରରେ କାଟିଥିବା ଧାନ ବର୍ଷା ଜଳରେ ଭାସୁଥିବା ଦେଖିବାକୁ ମିଳିଛି ।

ଧାନ ଗଛ ପଚିବା ଆରମ୍ଭ କରିଥିବାବେଳେ ଜମିରେ ଓ ଖଳାରେ ପଡିଥିବା ଧାନ ଗଜା ଧରିବାକୁ ବସିଲାଣି। ଆଠଗଡର ଅନେକ ପଞ୍ଚାୟତରେ ପ୍ରଚୁର ପରିମାଣରେ ଶୀତଦିନିଆ ପନିପରିବା ଚାଷ କରାଯିବା ସହ ରାଜ୍ୟର ପ୍ରମୁଖ ସହରକୁ ଚାଲାଣ ହୋଇଥାଏ । ବିଭିନ୍ନ ବ୍ୟାଙ୍କ ଓ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ କରି ଚାଷୀମାନେ ଅକ୍ଳାନ୍ତ ପରିଶ୍ରମ କରି ଫସଲ ଲଗାଇ ବର୍ଷଯାକର ଆହାର ଓ ଖର୍ଚ୍ଚବାର୍ଚ୍ଚ ପାଇଁ ଚାହିଁ ବସିଥିଲେ । ହେଲେ ଅଦିନିଆ ବର୍ଷାରେ ସବୁ ଉଜୁଡି ଯାଉଥିବା ଦେଖି ଋଣ କିପରି ସୁଝିବେ ଓ ପରିବାରର ଖର୍ଚ୍ଚ କିପରି ତୁଲାଇବେ ଏହି ଚିନ୍ତାରେ ଭାଙ୍ଗି ପଡିଛନ୍ତି ଏ ଅଞ୍ଚଳର ଚାଷୀବାପୁଡା । ସରକାର ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ଲାଗି ଘୋଷଣା କରିଥିବାରୁ ଚାଷୀ ସାମାନ୍ଯ ଆଶ୍ବସ୍ତ ହୋଇଥିଲେ ମଧ୍ଯ ସେମାନଙ୍କର ପ୍ରକୃତ କ୍ଷତି ଭରଣା ହୋଇପାରିବନି ବୋଲି ବହୁ କୃଷକ ନେତା ମତବ୍ୟକ୍ତ କରିଛନ୍ତି । ଏଇ ବର୍ଷା ପରେ ପରେ କୃଷି, ଉଦ୍ୟାନ କୃଷି ଓ ରାଜସ୍ବ ବିଭାଗ ତୁରନ୍ତ ମିଳିତ ଭାବେ କ୍ଷୟକ୍ଷତିର ସଠିକ ଆକଳନ କରି କୃଷକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories