ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟ ଉଚ୍ଚ ବନ୍ୟାଜଳ, ପାଟଣାରେ ବୈତରଣୀ ପୋଲ ଛୁଇଁଲା

ପାଟଣା: ବାତ୍ୟା ୟାସ ପ୍ରଭାବରେ କେନ୍ଦୁଝର ଜିଲ୍ଲାର ରେକର୍ଡ ପରିମାଣର ବର୍ଷା ହୋଇଥିବା ବେଳେ ମାତ୍ର ୧୨ ଘଣ୍ଟା ଅବିଶ୍ରାନ୍ତ ବର୍ଷାରେ ପାଟଣା ବ୍ଲକ ର ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି ଯାହା ଫଳରେ ମୁମ୍ବାଇ – କୋଲକାତା ରାସ୍ତାରେ ସାଧାରଣ ଗମନାଗମନ ଠପ ପଡ଼ିଯାଇଛି। ଅନ୍ୟୁନ ୩ ଦିନ ବର୍ଷା ହେଲେ ତୁରୁମୁଙ୍ଗା ବୈତରଣୀ ଉପରେ ପାଣି ଚାଲୁଥିବା ବେଳେ ଗୋଟିଏ ଦିନରେ ଏପରି ପରିସ୍ଥିତି ଉପୁଜିଛି। ଯାହାଫଳରେ ୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ହଜାରେରୁ ଅଧିକ ଯାନବାହାନ ଅଟକି ରହିଛି। ଏଠାରେ ନୂଆ ସେତୁ ନିର୍ମାଣ କାମ ଚାଲିଥିବା ବେଳେ ପୁରୁଣା ସେତୁ ଉପରେ ପାଣି ଚାଲିଛି।

ଖବର ପାଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ, ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ଓ ତୁରୁମୁଙ୍ଗା ଥାନାଧିକାରୀ ବୈଦ୍ୟନାଥ ସାହୁ ତୁରୁମୁଙ୍ଗା ବୈତରଣୀ ସେତୁ କୁ ଯାଇ ସ୍ଥିତି ପରଖିଛନ୍ତି। କୌଣସି ଧନ ଜୀବନ ହାନି ଯେପରି ନଘଟେ ସେଥିପ୍ରତି ସ୍ଥାନୀୟ ପୋଲିସ ସଜାଗ ରହିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି । ଅଚାନକ ବନ୍ୟା ଆସିବା ଫଳରେ ବାଲି ମାଫିଆ ମାନଙ୍କ ଡଙ୍ଗା ଓ ମୋଟର ଭାସିଯାଇଛି। ସେହିପରି ପାଟଣା ବୈତରଣୀ ପୋଲ ନିକଟରେ ବନ୍ୟା ଜଳ ବିପଦ ସଂକେତ ପାର କରି ପୋଲ ରେ ପିଟି ହେବା ସହ ନଦୀ ତଟ ପରମେଶ୍ବର ମନ୍ଦିର ପରିସରକୁ ପଶିଯାଇଥିବା ରୁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଓ ବର୍ଷା ଯୋଗୁଁ ପାଟଣା ବ୍ଲକ ଅଞ୍ଚଳରେ ଆଜି ସୁଦ୍ଧା ୧୦୦ ଟି ଘର ଆଂଶିକ ଭାଙ୍ଗିଥିବା ଜଣାପଡିଛି। ସେହିପରି ପାଟଣା – କେନ୍ଦୁଝର ରାସ୍ତା ଭିମାପଡା ପୁରୁଣାପୋଲ, ଟାଙ୍ଗରପଡା ଅସ୍ଥାୟୀ ରାସ୍ତା, ପାଟଣା – ଢେଙ୍କିକୋଟ ରାସ୍ତାର ଶିମୁଳିନାଳ ଅସ୍ଥାୟୀ ରାସ୍ତା, ଢେଙ୍କିକୋଟ – ଡୁମୁରିଆ ରାସ୍ତାର କେତାଙ୍ଗ ଗ୍ରାମ ନିକଟସ୍ଥ ସୀତାପୋଲ, ଜହ୍ନେଇନାଳ ପୋଲ ଉପରେ ସନ୍ଧ୍ୟା ଯାଏଁ ପାଣି ଚାଲିଥିବା ସୂଚନା ମିଳିଛି।

Comments are closed.