ଆଜି ମୁଖ୍ୟମନ୍ତ୍ରୀ କରିବେ ‘ପରୀ ଏକ୍ସପ୍ରେସ୍‌’ର ଆରମ୍ଭ

0

ଭୁବନେଶ୍ୱର: ନାବାଳିକାଙ୍କ ଉପରେ ବଢ଼ୁଥିବା ଯୌନ ନିର୍ୟାତନା ଘଟଣାର ପ୍ରତିକାର ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୁଲିସ ୟୁନିସେଫ୍‌ର ମିଳିତ ଉଦ୍ୟମରେ ଆରମ୍ଭ କରିଥିବା ‘ପରୀ ପାଇଁ କଥା ଟିଏ’ କାର୍ୟ୍ୟକ୍ରମକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ରାଜ୍ୟର ୩୦ଟି ଜିଲାରେ ଜନ ସଚେତନତା ସୃଷ୍ଟି କରିବା ଲାଗି ରାଜ୍ୟ ପୁଲିସ ପକ୍ଷରୁ ୧୫ଟି ପରୀ ଏକ୍ସପ୍ରେସ୍‌ ତିଆରି କରାଯାଇଛି। ସ୍ୱତନ୍ତ୍ର ଭାବେ ନିର୍ମିିତ ଏହି ଭ୍ୟାନ୍‌ ପ୍ରତି ଜିଲାରେ ଏକ ସପ୍ତାହ ଧରି ସାଧାରଣରେ ସଚେତନ ସୃଷ୍ଟି କରିବ। ପରୀ ଏକ୍ସପ୍ରେସ୍‌ର ବାର୍ତ୍ତାକୁ ବ୍ୟାପକ କରିବା ଲାଗି ପ୍ରତି ଜିଲାପାଳ ଓ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଏହି କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବେ। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଏଭଳି ଘଟଣାକୁ ନ ଲୁଚାଇ ଅଭିଯୋଗ କରିବା ଲାଗି ସଚେତନତା ସୃଷ୍ଟି କରିବା ଏବଂ ତ୍ୱରିତ୍‌ ପଦକ୍ଷେପ ନେବା ଏହି ମାମଲାର ଦଣ୍ଡାଦେଶ ହାର ବୃଦ୍ଧି କରିବା ପାଇଁ ବିଶେଷ କରି ସଚେତନତା ଆବଶ୍ୟକ।
କ୍ରମବର୍ଦ୍ଧିଷ୍ଣୁ ନାବାଳିକା ଯୌନ ନିର୍ୟାତନାକୁ ରୋକିବା କ୍ଷେତ୍ରରେ ୟୁନିସେଫ ସହଯୋଗରେ ଓଡ଼ିଶା ପୁଲିସ ଆରମ୍ଭ କରିଥିବା ଏହି କାର୍ୟ୍ୟକ୍ରମ ଦେଶରେ ପ୍ରଥମ ଓ ସ୍ୱତନ୍ତ୍ର ବୋଲି କହିଛନ୍ତି ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ୟୁମି ବେ’। ଯୌନ ନିର୍ୟାତନାର ଶିକାର ହୋଇଥିବା ଜଣେ ନାବାଳିକା ଦକ୍ଷତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ନାବାଳିକାର ମାନସିକ ଓ ଆଭ୍ୟନ୍ତରୀଣ ବିକାଶ ଉପରେ ମଧ୍ୟ ପ୍ରଭାବ ଦେଖାଦେଇଥାଏ। କେନ୍ଦ୍ର ସରକାର ଏହାକୁ ରୋକିବା ଲାଗି ପୋକ୍‌ସୋ ଆଇନ ପ୍ରଣୟନ କରିଥିଲେ। ପରେ ଏହାକୁ ସୁଧାର ଅଣାଯାଇ କଠୋର କରାଯାଇଛି। ତଥାପି ଏହାସତ୍ତ୍ୱେ ଅନେକ ଘଟଣା ଲୋକଲଜ୍ଜାକୁ ନେଇ ଲୁଚି ଯାଉଛି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଲେ ଏଭଳି ଘଟଣା ପଦାକୁ ଆସି ପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏଭଳି ଯୌନ ନିର୍ୟାତନାର ଶିକାର ନାବାଳିକାଙ୍କର ମାନସିକ ଦୁଶ୍ଚିନ୍ତା ଦୂର କରିବା ଲାଗି ସେମାନଙ୍କର ଥଇଥାନ ଓ ପରିବେଶ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ।
ଏହି ଅବସରରେ ‘ପରୀ ପାଇଁ କଥା ଟିଏ’ କାର୍ୟ୍ୟକ୍ରମର ଲୋଗୋକୁ ଉନ୍ମୋଚନ କରାଯାଇଥିଲା। ସେହିପରି ପରୀ ଏକ୍ସପ୍ରେସ୍‌ରେ ସଚେତନତା ଲାଗି ପରିବେଷଣ ହେଉଥିବା ଏକ ସଂଗୀତ ମଧ୍ୟ ଲୋକାର୍ପଣ ହୋଇଥିଲା। ଏହାର ଗୀତ ରଚନା କରିବା ସହିତ ସ୍ୱର ଦେଇଥିଲେ ଛନ୍ଦା ମିଶ୍ର ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଦ୍ୟାଧର। ଏହି ଅବସରରେ ପରୀ ଏକ୍ସପ୍ରେସ୍‌ କାର୍ୟ୍ୟକ୍ରମର ନୋଡାଲ୍‌ ଅଫିସର ଆଇଜି ଅସୀତ ପାଣିଗ୍ରାହୀ, କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଓ ୟୁନିସେଫ୍‌ର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave A Reply