ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ
ମହାବିଷୁବ ସଂକ୍ରାନ୍ତି ଓଡ଼ିଶାରେ ପଣାସଂକ୍ରାନ୍ତି ଭାବେ ପରିଚିତ। ଓଡ଼ିଆଙ୍କ ପାଇଁ ଏହା ଅତ୍ୟନ୍ତ ପବିତ୍ର ଦିବସ। ଏହି ଦିନ ଓଡ଼ିଆ ପାଞ୍ଜି ଉନ୍ମୋଚିତ ହୁଏ ଏବଂ ଓଡ଼ିଆମାନେ ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରନ୍ତି।
ପ୍ରତିବର୍ଷ ଏପ୍ରିଲ ୧୪ତାରିଖରେ ମହାବିଷୁବ ସଂକ୍ରାନ୍ତି ସାରା ଭାରତରେ ପାଳନ କରାଯାଏ। ମହାବ୍ରହ୍ମଚାରୀ, ଅତୁଳ ବଳଶାଳୀ ଭଗବାନ ହନୁମାନଙ୍କ ଜନ୍ମ ଦିବସ ହୋଇଥିବାରୁ ଏହି ଦିନ ତାଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯିବା ସହ ଭକ୍ତମାନଙ୍କ ଦ୍ବାରା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସେହିପରି ଭଗବାନ ଶିବ, ଶକ୍ତି ଏବଂ ଶାଳଗ୍ରାମଙ୍କୁ ମଧ୍ୟ ପୂଜା କରାଯାଏ। ଓଡ଼ିଶାରେ ଏହି ଦିବସର ଏକ ସ୍ବତନ୍ତ୍ର ମହତ୍ତ୍ବ ରହିଛି। ଏହି ଦିନ ନୂତନ ପାଞ୍ଜିର ଉନ୍ମୋଚନ ସହ ଓଡ଼ିଆ ନବବର୍ଷ ପାଳିତ ହୁଏ। ମହାବିଷୁବ ସଂକ୍ରାନ୍ତି ଓଡ଼ିଶାରେ ପଣାସଂକ୍ରାନ୍ତି ଭାବରେ ମଧ୍ୟ ପରିଚିତ। ଲୋକେ ପ୍ରଭାତରେ ବିଭିନ୍ନ ମନ୍ଦିରକୁ ଯାଇ ଦେବଦେବୀଙ୍କ ନିକଟରେ ପରିବାରର ମଙ୍ଗଳ ଓ ସୌଭାଗ୍ୟ ପ୍ରାର୍ଥନା କରନ୍ତି। ଏହି ଅବସରରେ ଠାକୁରଙ୍କୁ ସ୍ବାଦିଷ୍ଟ ପଣାର ନୈବେଦ୍ୟ ଅର୍ପଣ କରି ନିଜେ ଗ୍ରହଣ କରିବା ସହ ବନ୍ଧୁ, ପଡ଼ୋଶୀ ଏବଂ ଜ୍ଞାତି କୁଟୁମ୍ବଙ୍କୁ ଅର୍ପଣ କରନ୍ତି। ଏଥି ସହିତ ବିଭିନ୍ନ ସ୍ଥାନରେ ନାନାଦି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ପଞ୍ଜାବରେ ପାଳିତ ହେଉଥିବା ‘ବୈଶାଖୀ’, ଆସାମର ‘ବୋହାଗ ବିହୁ’, ପଶ୍ଚିମବଙ୍ଗର ‘ପୋହେଲା ବୈଶାଖ’, ତାମିଲନାଡୁର ‘ପୁଥାଣ୍ଡା’, ଉତ୍ତରାଖଣ୍ଡର ‘ବିଖୋଟି’, କେରଳର ‘ଭିଷୁ’ ପର୍ବ ସହିତ ଓଡ଼ିଆ ପଣାସଂକ୍ରାନ୍ତିର ଯଥେଷ୍ଟ ସାମଞ୍ଜସ୍ୟ ରହିଛି।
ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନାନ୍ତରଣକୁ ସଂକ୍ରାନ୍ତି କୁହାଯାଏ। ୧୨ଟି ରାଶି ଅନୁସାରେ ୧୨ଟି ସଂକ୍ରାନ୍ତି ରହିଛି। ମକର ସଂକ୍ରାନ୍ତିରୁ ସୂର୍ଯ୍ୟ କ୍ରମଶଃ ବିଷୁବରେଖା ଆଡ଼କୁ ଗତି କରନ୍ତି। ତେଣୁ ସୂର୍ଯ୍ୟ ରଶ୍ମି କ୍ରମଶଃ ପ୍ରଖର ହୁଏ। ଯେଉଁ ଦିନ ସୂର୍ଯ୍ୟ ମେଷ ରାଷିରେ ପ୍ରବେଶ କରନ୍ତି ସେଇ ଦିନ ମେଷ ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି କୁହାଯାଏ। ଏହି ଦିନ ସୂର୍ଯ୍ୟ ବିଷୁବ ରେଖାର ଉପରେ ରୁହନ୍ତି। ବିଷୁବ ସଂକ୍ରାନ୍ତିରେ ଦିନ ଓ ରାତି ସମାନ ହୁଏ ଏବଂ ବାୟୁର ଗତି କ୍ରମେ ତୀବ୍ର ହୁଏ। ନଦୀ, ନାଳ ଓ ଜଳାଶୟର ଜଳସ୍ତର ହ୍ରାସ ପାଏ। ତେଣୁ ଜଳାଭାବ ଦେଖାଦିଏ।
‘ଶ୍ରୀ ବ୍ରତ ରାଜଃ’ରେ ଉଲ୍ଲେଖ ଅଛି:
‘ଅଥାନ୍ୟଦପି ବକ୍ଷାମି ସଂକ୍ରାନ୍ତି ଉଦ୍ୟାପନଂମୂନେ
ବିଷୁବେ ଚାୟନେ ଚୈବ ସଂକ୍ରାନ୍ତି ବ୍ରତମାତରେତ।’
ଏହି ଦିନ ଝାମୁବ୍ରତ କରୁଥିବା ପାଟୁଆମାନେ ବ୍ରତ ଉଦଯାପନ କରନ୍ତି। ଏହି ଅବସରରେ ପୁରପଲ୍ଲୀରେ ଆରମ୍ଭ ହୋଇଯାଏ ପାଟୁଆ ନାଚର ଆୟୋଜନ।
ଲୋକକଥା ଅନୁସାରେ ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ଶରଶଯ୍ୟାରେ ମୃତ୍ୟୁକୁ ଅପେକ୍ଷା କରିଥିବାବେଳେ ତାଙ୍କୁ ଶୋଷ ଲାଗିଥିଲା। ଅର୍ଜୁନଙ୍କ ଶରାଘାତରେ ଧରିତ୍ରୀରୁ ନିର୍ଗତ ଜଳଉତ୍ସରେ ସେ ନିଜର ତୃଷା ନିବାରଣ କରିଥିଲେ। ଏହାପରେ ସେ ଯୁଧିଷ୍ଠିରଙ୍କୁ ପାଖକୁ ଡାକି କହିଥିଲେ ଯେ ବିଷୁବ ସଂକ୍ରାନ୍ତିରେ ଯଦି କିଏ ତୃଷାର୍ତ୍ତଙ୍କୁ ଶୀତଳ ଜଳ ପ୍ରଦାନ କରେ ତା’ହେଲେ ସେ ସମ୍ପୂର୍ଣ୍ଣ ପାପମୁକ୍ତ ହେବ। ତେଣୁ ପୂର୍ବେ ଏହି ଦିନ ଲୋକେ ପୁଣ୍ୟ ଅର୍ଜନ ପାଇଁ ଜଳଛତ୍ରର ବ୍ୟବସ୍ଥା କରୁଥିଲେ। ସେହିପରି ଏହି ଦିନ ଶିବଲିଙ୍ଗ, ଶାଳଗ୍ରାମ, ଅଶ୍ବସ୍ତ ଏବଂ ତୁଳସୀକୁ ଜଳ ଅର୍ପଣ କଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ ବିଶ୍ବାସ ରହିଛି। ଓଡ଼ିଆମାନେ ଏହି ଦିନ ନିଜନିଜ ଘରେ ଥିବା ତୁଳସୀ ଚଉରା ଉପରେ ଏକ ଜଳଭର୍ତ୍ତି ମାଟିପାତ୍ର ଝୁଲାଇ ଏହାର ତଳଭାଗରେ ଏକ ଛିଦ୍ର କରିଦିଅନ୍ତି। ଫଳରେ ଜଳ ବିନ୍ଦୁବିନ୍ଦୁ ହୋଇ ତୁଳସୀ ଗଛ ଉପରେ ପଡ଼େ ଏବଂ ମା’ ତୁଳସୀଙ୍କ ଆଶୀର୍ବାଦରୁ ଗୃହସ୍ଥଙ୍କ ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ଏହି ଦିନ ତାରାତାରିଣୀ, ବିରଜା, ଶାରଳା, ପାଟଣା ମଙ୍ଗଳା ପ୍ରଭୃତି ଶକ୍ତିପୀଠଗୁଡ଼ିକରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ ହୁଏ।