ପାକିସ୍ତାନ ସହ ମ୍ୟାଚ ଖେଳିବା ନିଷ୍ପତ୍ତି ସରକାର ନେବେ : ସିକେ ଖାନ୍ନା

0

କଟକ : ବିସିସିଆଇର କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା ରବିବାର କଟକ ଗସ୍ତରେ ଆସି ବାରବାଟୀ ଷ୍ଟାଡ଼ିୟମ ବୁଲି ଦେଖିଥିଲେ। ସେ ନିଜ ଝିଅଙ୍କ ସହ ବାରବାଟୀ ଷ୍ଟାଡ଼ିୟମରେ ପହଞ୍ଚିବା ପରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ତରଫରୁ ସ୍ବାଗତ କରାଯାଇଥିଲା।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଖାନ୍ନା କହିଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ୍‌ ଦଳ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବ କି ନାହିଁ ସେ ସଂପର୍କରେ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ବିସିସିଆଇ ତାହାକୁ ପାଳନ କରିବ। ପୂର୍ବରୁ କ୍ରିକେଟ୍‌ ପ୍ରଶାସକ କମିଟି (ସିଓଏ) ଏ ସଂପର୍କରେ ଘୋଷଣା କରି ସାରିଛି। ବିସିସିଆଇ ଓ ରାଜ୍ୟ ସଂଘମାନଙ୍କର ନିର୍ବାଚନ ଓ ସମ୍ବିଧାନ ବିଷୟରେ କିଛି କହିବାକୁ ସେ ମନା କରି ଦେଇଥିଲେ। ବର୍ତ୍ତମାନ ମାମଲା ବିଚାରାଧୀନ ଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ, ତାହା ପାଳନ କରାଯିବ। କିନ୍ତୁ ବର୍ତ୍ତମାନ ରାଜ୍ୟ ସଂଘ ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବାରୁ ସବୁ ସମସ୍ୟା ଉପରେ ସଂଘମାନେ ସିଓଏକୁ ଲେଖିପାରିବେ ବୋଲି ଖାନ୍ନା କହିଥିଲେ। ଆମିକସ୍‌ କ୍ୟୁରିଙ୍କ ସହିତ ଆଲୋଚନା କରାଯାଇ ଏବ˚ ଆଇନ୍‌ଗତ ଦିଗକୁ ବିଚାର କରାଯାଇ ପାଣ୍ଠି ଯୋଗାଯାଇପାରେ ବୋଲି ସେ ମତ ଦେଇଥିଲେ। ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମରେ ଆଗକୁ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଆୟୋଜନ କରାଯିବାରେ କୌଣସି ସମସ୍ୟା ନ ଥିବା ଖାନ୍ନା ମତ ଦେଇଛନ୍ତି। ଏଠାକୁ ସେ ପ୍ରଥମ ଥର ଆସିଥିଲାବେଳେ ଷ୍ଟାଡିୟମର ପରିବେଶ ଓ ସୁବିଧା ସୁଯୋଗ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ପୂର୍ବରୁ ମଧ୍ୟ ଏଠାରେ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ତେଣୁ ଆଗକୁ ଏଠି ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଆୟୋଜନ କରାଯିବାରେ କୌଣସି ସମସ୍ୟା ହେବ ନାହିଁ। ଆମକୁ ସକରାତ୍ମକ ଭାବେ ଆଗେଇବାକୁ ପଡ଼ିବ ବୋଲି ଖାନ୍ନା କହିଥିଲେ। ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ କୁମାର ନାୟକ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

kalyan agarbati
Leave A Reply