ଯୁଦ୍ଧବିରତି ଉଲ୍ଲଙ୍ଘନ ନେଇ ପାକ୍‍ ଉପଉଚ୍ଚାୟୁକ୍ତଙ୍କୁ ସମନ

0

ନୂଆଦିଲ୍ଲୀ : ପାକିସ୍ତାନର କ୍ରମାଗତ ଯୁଦ୍ଧବିରତି ଉଲ୍ଲଙ୍ଘନ ଯୋଗୁ ଇତିମଧ୍ୟରେ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଭାରତୀୟ ସେନା ପାକିସ୍ତାନକୁ ତା’ର ଉଦ୍ଧତପଣିଆ ପାଇଁ ଉଚିତ୍‍ ଜବାବ ଦେଇ ଆସୁଥିବା ବେଳେ ବୁଧବାର ପାକ୍‍ ଗୁଳିମାଡ଼ରେ ୮ ମାସର ଜଣେ ଶିଶୁଙ୍କ ମୃତ୍ୟୁ ହେବା ଘଟଣା ଭାରତୀୟ ଅଧିକାରୀମାନଙ୍କୁ ଅତିଷ୍ଠ କରିଛି। ପାକିସ୍ତାନ ଉପଉଚ୍ଚାୟୁକ୍ତ ସୟିଦ ହାଇଦର ଶାହଙ୍କୁ ଭାରତ ସରକାର ସମନ ଜାରି କରି ଯୁଦ୍ଧବିରତି ଉଲ୍ଲଙ୍ଘନର ଦୃଢ ପ୍ରତିବାଦ ଜଣାଇଛନ୍ତି। ଜାମ୍ମୁ କାଶ୍ମୀରର ଭୀମ୍ବେର ସେକ୍ଟରରେ ସୋମବାର ପାକିସ୍ତାନ ସୈନ୍ୟଙ୍କ ଗୁଳିମାଡ଼ରେ ଏହି ଶିଶୁ ପ୍ରାଣ ହରାଇଥିଲା। ପାକିସ୍ତାନ ନିରୀହ ସାଧାରଣ ନାଗରିକମାନଙ୍କୁ ଟାର୍ଗେଟ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶାହଙ୍କୁ ଜାରି କରାଯାଇଥିବା ସମନରେ କୁହାଯାଇଛି। ନିୟନ୍ତ୍ରଣ ରେଖା (ଏଲ୍‍ଓସି) ଏବଂ ଅନ୍ତର୍ଜାତୀୟ ସୀମାରେଖା ନିକଟରେ ବାରମ୍ବାର ଯୁଦ୍ଧବିରତି ଉଲ୍ଲଙ୍ଘନ ପୂର୍ବକ କ୍ରମାଗତ ଗୁଳି ଓ ମୋର୍ଟାର ମାଡ଼ର ତୀବ୍ର ପ୍ରତିବାଦ କରାଯାଇଛି। ଆତଙ୍କବାଦୀଙ୍କ ସୀମାପାର ଅନୁପ୍ରବେଶ ରୋକିବା ଲାଗି ମଧ୍ୟ ପାକିସ୍ତାନକୁ ଭାରତ ସତର୍କ କରାଇଛି। ସମନ ମିଳିବା ପରେ ପାକିସ୍ତାନ ଅଧିକାରୀମାନେ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ନିରୀହ ନାଗରିକଙ୍କ ଉପରେ ଆକ୍ରମଣ ତୁରନ୍ତ ରୋକିବାକୁ ସେମାନେ ନିଜ ସେନାକୁ ତାଗିଦ କରିଛନ୍ତି। ଚଳିତବର୍ଷ ଏହି ସୀମାରେଖା ନିକଟରେ ପାକିସ୍ତାନ୧,୦୮୮ରୁ ଊର୍ଦ୍ଧ୍ବ ଥର ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିଛି। ଏହି ଘଟଣାରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୨୭ ଜଣ ଆହତ ହୋଇଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଅନ୍ୟପଟେ ଭାରତୀୟ ସେନା ଚଳିତବର୍ଷ ୫୩ ଜଣ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିବା ବେଳେ ଏଲ୍‍ଓସି ନିକଟରେ ୫ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବାରେ ସମର୍ଥ ହୋଇଛି।

Leave A Reply