ପଦ୍ମପୁର ଉପନିର୍ବାଚନ ; ୧୧ ପ୍ରାର୍ଥିପତ୍ର କାଏମ
ଭୁବନେଶ୍ୱର : ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାର ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଶୁକ୍ରବାର ସେମାନଙ୍କ ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ବାଧୀନରୁ ମୋଟ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଯାଞ୍ଚ ସମୟରେ ଦୁଇଜଣ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କୌଣସି କାରଣରୁ ନାକଚ ହୋଇଛି। ୧୧ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ, ବିଜେପିରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ବର୍ଷା ସିଂ ବରିହା, କଂଗ୍ରେସରୁ ସତ୍ୟ ଭୂଷଣ ସାହୁ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ବିଦ୍ୟାଧର ପାଣ୍ଡବ, ଓଡ଼ିଶା ଜନତା ପାର୍ଟିରୁ ମୁକ୍ତେଶ୍ବର ଦାଶ, ସ୍ବାଧୀନ ପ୍ରାର୍ଥୀ ଉଦିତ୍ ବୋନ୍ଦିଆ, ସ୍ବାଧୀନ ପ୍ରାର୍ଥୀ ଗଙ୍ଗାଧର ଶାହା, ସ୍ବାଧୀନ ପ୍ରାର୍ଥୀ ଦେବାର୍ଚ୍ଚନା ନାଏକ, ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ, ସ୍ବାଧୀନ ପ୍ରାର୍ଥିନୀ ରେବତୀ ଗିରି ଏବଂ ସ୍ବାଧୀନ ପ୍ରାର୍ଥୀ ଶେଷଦେବ ସାହୁଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ସ୍ଥାନୀୟ ଚାଷୀ ସଙ୍ଗଠନର ଡାକରାକୁ ନେଇ ପ୍ରଥମ ୭ଦିନରେ ଜଣେ ହେଲେ ବି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ନଥିବା ବେଳେ ଗୁରୁବାର ଶେଷ ଦିନରେ ଦେଖିବାକୁ ମିଳିଥିଲା ଛକାପଞ୍ଝା। ଶେଷ ଦିନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ। ଶୁକ୍ରବାର ୧୧ଟା ସମୟରେ ଏହି ପ୍ରାର୍ଥୀମାନଙ୍କର ନାମାଙ୍କନପତ୍ର ବରଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଯାଞ୍ଚ ହୋଇଥିଲା। ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି।
ଇତିମଧ୍ୟରେ ପଦ୍ମପୁରରେ ପ୍ରଚାର ଆରମ୍ଭ ହୋଇ ଯାଇଛି। ପ୍ରାର୍ଥୀମାନେ ଶକ୍ତି ପ୍ରଦର୍ଶନ କରିବା ସହ ଭୋଟରଙ୍କୁ ମନେଇବାକୁ ଆରମ୍ଭ କରିଛନ୍ତି କସରତ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ ୩୧୯ଟି ବୁଥରେ ମତଦାନ କରାଯିବ। ଏଥିରୁ ୭୪ଟି ଅତି ସମ୍ବେଦନଶୀଳ ଓ ୫୨ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି।
ପଦ୍ମପୁର, ଝାରବନ୍ଧ ଓ ପାଇକମାଳ ବ୍ଲକରେ ମୋଟ ୬ଟି ପିଙ୍କ୍ ବୁଥ କରାଯିବ। ୧୦ଟି ମଡେଲ୍ ବୁଥ୍ ମଧ୍ୟ ସ୍ଥାପନ ହେବ। ଏହି ଉପନିର୍ବାଚନରେ ମୋଟ ୨.୫୫ଲକ୍ଷ ଭୋଟର ନିଜର ମତାଧିକାର ଆସନ୍ତା ଡିସେମ୍ବର ୫ରେ ସାବ୍ୟସ୍ତ କରିବେ ଏବଂ ୮ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯିବ।
Comments are closed.