ବାଲେଶ୍ବରରୁ ବାଂଲାଦେଶ ଧାନ ବେପାରୀ ସକ୍ରିୟ

‘ସିତରଙ୍ଗ’ ଆଣିଛି ଚୋରା ଚାଲାଣ ସୁଯୋଗ

ଧାନ କ୍ବିଣ୍ଟାଲ ୧୮୦୦ ଟଙ୍କାରେ କିଣି ୩ ହଜାରରେ ବିକ୍ରି

prayash

ଜଳେଶ୍ବର : ଆଣ୍ଡାମାନ ନିକଟରେ ସୃଷ୍ଟ ବାତ୍ୟା ସିତରଙ୍ଗ ବାଂଲାଦେଶରେ ବ୍ୟାପକ କ୍ଷତି ଘଟାଇଛି। ଫଳରେ ସେଠାରେ ଖାଦ୍ୟ ଶସ୍ୟର ଉତ୍କଟ ଅଭାବ ପୂରଣ ପାଇଁ ଓଡ଼ିଶାର ଉପାନ୍ତ ଅଞ୍ଚଳ ବାଲେଶ୍ବର ଜିଲାର ଭୋଗରାଇ ଓ ଜଳେଶ୍ବର ବ୍ଲକରୁ ବ୍ୟାପକ ଧାନ ଓ ଚାଉଳ ଚୋରାରେ ଚାଲାଣ ହେଉଛି। ସିତରଙ୍ଗ ପ୍ରଭାବରେ ବାଂଲାଦେଶରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ଖାଦ୍ୟ ଶସ୍ୟର ଅଭାବ ଜନିତ ପରିସ୍ଥିତିରୁ ଫାଇଦା ପାଇଁ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଅଞ୍ଚଳର ଚୋରା ବ୍ୟବସାୟୀ ସକ୍ରିୟ ହୋଇ ଉଠିଛନ୍ତି। ପ୍ରତିବର୍ଷ ଓଡ଼ିଶା ଓ ପଶ୍ଚିମବଙ୍ଗର ବ୍ୟବସାୟୀ ଚୋରାରେ ଧାନ ଓ ଚାଉଳ ବାଂଲାଦେଶକୁ ପଠାଇଥାନ୍ତି। କିନ୍ତୁ ଏବେ ଝଡ଼ବତାସ ପରେ ଧାନ ଚାଉଳର ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାରୁ ପଶ୍ଚିମ ବଙ୍ଗକୁ ଲମ୍ବିଥିବା ୬୦ ନମ୍ବର ଜାତୀୟ ରାଜପଥ, ୫୭ ନମ୍ବର ରାଜ୍ୟ ରାଜପଥ, ଆମ୍ବଳିଅଠା, ସୋଲପଟା, ଜଳେଶ୍ବର, ଶୁଗୋ, ନିମପୁର, ଅମର୍ଦା ରୋଡ଼-ସର୍ଦ୍ଦାରବନ୍ଧ-ଖଡ଼ିକା, ଜଳେଶ୍ବର-ଚନ୍ଦନେଶ୍ବର-ଦୀଘା, ରାଜଘାଟ-ରାଇବଣିଆ-ଖଡ଼ିକା-ଖଡ଼ଗପୁର, ଥାନାଛକ-ଚନ୍ଦନପୁର-ପାଣି ପାରୁଲ, ବାଲିଆପାଳ-କମର୍ଦା-ମୋହନପୁର ଇତ୍ୟାଦି ମୁଖ୍ୟ ରାସ୍ତା ଦେଇ ବ୍ୟାପକ ଭାବେ ଧାନ ଚାଉଳ ଚାଲାଣ ହେଉଛି। ସମ୍ପୃକ୍ତ ଅଞ୍ଚଳରେ ଥିବା ଥାନା, ଫାଣ୍ଡି ଓ ପ୍ରଶାସନିକ ଅଧିକାରୀ ନଜାଣିଲା ପରି ରହିଛନ୍ତି। ଅନ୍ୟପକ୍ଷରେ ଉପାନ୍ତ ଅଞ୍ଚଳର ଯୁବକମାନେ ଧାନ ଟ୍ରକରୁ ଦାଦାବଟି ଆଦାୟ କରୁଛନ୍ତି। ଉତ୍ତର ବାଲେଶ୍ବରର ଜଳେଶ୍ବର, ସୁଗୋ, ରାଇବଣିଆ, ହାତୀଗଡ, ବରଡିହା, ଲକ୍ଷ୍ମଣନାଥ, ଓଲମରା, ଅମର୍ଦା ରୋଡ, ଗୁଡ଼ିଖାଲ, ସିଂଲା, ଲଙ୍ଗଳେଶ୍ବର, ବାଲିଆପାଳ, କମର୍ଦା, ବାରମାଇଲ୍, ବାଟଗ୍ରାମ, ଭୋଗରାଇ, ଚନ୍ଦନେଶ୍ବର, ପଶ୍ଚିମବଙ୍ଗର ଖଡ଼ିକା, ନୟାଗ୍ରାମ, ଦାନ୍ତୁନ, ବେଲଦା, ଗୋମୁଣ୍ଡା, ମୋହନପୁର, ଏଗ୍ରା, ବାଲିଚକ୍, କାନ୍ଥଇ, ଦୀଘା, ଅଳଙ୍କାରପୁର, ପାନି ପାରୁଲ୍ ଅଞ୍ଚଳରୁ ଧାନ ଓ ଚାଉଳ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି।
ପଶ୍ଚିମ ବଙ୍ଗର କାନ୍ଥି, ମଇନା, ବର୍ଦ୍ଧମାନ, କାମାରପୁଖୁର, ଖଡଗପୁରର ବଡ଼ ବଡ଼ ବ୍ୟବସାୟୀ ଓ ଚୋରା ବ୍ୟବସାୟୀ ପ୍ରତିଦିନ ବାଲେଶ୍ବର ଜିଲାରୁ ଶହ ଶହ ଟ୍ରକ ଧାନ ଓ ଚାଉଳ ଏଜେଣ୍ଟ ଜରିଆରେ କିଣି ବାଂଲାଦେଶ ପଠାଉଛନ୍ତି। ଶଙ୍କର ଧାନର ମୂଲ୍ୟ ଉପାନ୍ତ ଅଞ୍ଚଳରେ କୁଇଣ୍ଟାଲ ପ୍ରତି ୧୮୦୦ ଟଙ୍କା ଥିଲାବେଳେ ବାଂଲାଦେଶରେ ତିନି ହଜାର ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ମୋଟା ଧାନର ମୂଲ୍ୟ ଉପାନ୍ତ ଅଞ୍ଚଳରେ କୁଇଣ୍ଟାଲ ପ୍ରତି ୧୫୦୦ ଥିବାବେଳେ ବାଂଲାଦେଶରେ ୨୪୦୦ ଟଙ୍କାରେ ବିକ୍ରି ହେଉଛି। ଏବେ ଓଡ଼ିଶାରେ ସରକାରୀ ଭାବେ ସମବାୟ ସମିତି ଓ ପ୍ୟାକ୍ସ ଜରିଆରେ ଧାନ କ୍ରୟ ହେଉନଥିବାରୁ ଚାଷୀମାନେ କମ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ମୋଟା ଚାଉଳର ମୂଲ୍ୟ କୁଇଣ୍ଟାଲ ପ୍ରତି ୩୨୦୦ ଟଙ୍କା ଥିବାବେଳେ ବାଂଲାଦେଶରେ ୪୩୦୦ ଟଙ୍କାରେ ବିକ୍ରି ହେଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେଣୁ ପଶ୍ଚିମବଙ୍ଗ ଓ ଉପାନ୍ତ ଅଞ୍ଚଳର ଚୋରା ବେପାରୀମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି। ସରକାରୀ ମଣ୍ଡିଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଧାନ କିଣା ଯାଉ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେବାସହ ଚାଷୀ ବେଶ କ୍ଷତି ସହୁଛନ୍ତି। ତେଣୁ ଓଡ଼ିଶା ସରକାର ଚାଷୀଙ୍କ ଠାରୁ ପର୍ଯ୍ୟାପ୍ତ ପରିମାଣର ଧାନ କିଣିବା ସହ ଚୋରା ଚାଲାଣ ରୋକିବାକୁ ଦାବି ହେଉଛି।

kalyan agarbati

Comments are closed.