ସରିଲା ଓୟୁଏଟି ପରୀକ୍ଷା, ଜୁଲାଇ ପ୍ରଥମ ସପ୍ତାହରେ ଫଳ
ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଓୟୁଏଟି ପ୍ରବେଶିକା ପାଇଁ ୩୫,୮୫୮ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ସେଥିମଧ୍ୟରୁ ୩୪,୮୦୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୯୬.୭୭% ଥିଲା। ୩୦ଟି ଜିଲାର ପାଖାପାଖି ୬୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଓୟୁଏଟି ପ୍ରବେଶିକା ପରୀକ୍ଷା ଫଳ ୨୦ଦିନ ମଧ୍ୟରେ ବାହାରିବ। ଏହାପରେ ମେ’ ୨୨ରୁ ଜୁନ୍ ୧୦ ମଧ୍ୟରେ ଫର୍ମ ‘ବି’ ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ପ୍ରବେଶିକା ପରୀକ୍ଷାରେ ରଖିଥିବା ନମ୍ବର ଓ କ୍ୟାରିୟର ମାର୍କିଂକୁ ମିଶାଇ ଏକ ମେଧାତାଲିକା ପ୍ରସ୍ତୁତ କରାଯିବ। ଓୟୁଏଟି ପ୍ରବେଶିକା ଚୂଡ଼ାନ୍ତ ପରୀକ୍ଷାଫଳ ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଓ ଏହାପରେ କାଉନ୍ସେଲିଂ କରାଯାଇ ନାମଲେଖା ସମ୍ପନ୍ନ ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
+୨ ବିଜ୍ଞାନ ପରୀକ୍ଷାରେ ସର୍ବନିମ୍ନ ୫୦% ନମ୍ବର(ଏସ୍ସି/ଏସ୍ଟି ଏବଂ ଭିନ୍ନକ୍ଷମଙ୍କ ପାଇଁ ୪୦%)କୁ ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ମାନଦଣ୍ଡ ଭାବେ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ବୟସ ୧୭ବର୍ଷ ହୋଇଥିବା ଦରକାର। ମାଟ୍ରିକ ପରୀକ୍ଷାରେ ରଖିଥିବା ମୋଟ ନମ୍ବରରୁ ୨୫%, ଯୁକ୍ତ ଦୁଇ ପରୀକ୍ଷାର ମୋଟ ନମ୍ବରରୁ ୨୫% ଓ ଓୟୁଏଟି ୟୁଜି ପ୍ରବେଶିକା ପରୀକ୍ଷାର ମୋଟ ନମ୍ବରର ୨୫%କୁ ମିଶାଇବା ପରେ ମେଧାତାଲିକା ପ୍ରସ୍ତୁତ ହେବ। ଓୟୁଏଟି ଅଧୀନରେ ଥିବା ୭ଟି କଲେଜରେ ନାମଲେଖାଇବା ପାଇଁ ପ୍ରାୟ ୬୦୮ସିଟ୍ ରହିଛି। ସେଥିମଧ୍ୟରୁ ବିଏସ୍ସି ଏଗ୍ରିକଲ୍ଚର ୨୮୮, ବିଏସ୍ସି ହର୍ଟିକଲ୍ଚର୍ ୪୮, ବିଏସ୍ସି ଫରେଷ୍ଟ୍ରି ୪୮, ବିଭିଏସ୍ସି ଆଣ୍ଡ ଏଏଚ୍ ୮୦, ବିଟେକ୍ ଏଗି୍ରକଲ୍ଚର ଇଞ୍ଜିନିୟରିଂ ୬୪, ବିଏଫ୍ଏସ୍ସି ୪୮ ଏବଂ ବିଏସ୍ସି(କମ୍ୟୁନିଟି ସାଇନ୍ସ)ରେ ୩୨ ସିଟ୍ ରହିଛି। ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀଙ୍କୁ କାଉନ୍ସେଲିଂ ଜରିଆରେ ମନୋନୟନ କରାଯିବ।