www.samajalive.in
Monday, December 15, 2025
15.1 C
Bhubaneswar

ପାଠପଢ଼ା ଆରମ୍ଭ ହେଲାଣି ,+୨ରେ ଖାଲି ପଡ଼ିଛି ୧ ଲକ୍ଷ ୩୩ ହଜାର ଆସନ

ଭୁବନେଶ୍ବର, : ଦୁଇମାସ ହେଲା +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେଲାଣି। ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ଜୁନିୟର କଲେଜ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଆସନ ପୂରଣ ହୋଇପାରିଲାନି। ବିଗତ ବର୍ଷଗୁଡ଼ିକ ପରି ୨୦୨୪-୨୫ ଶିକ୍ଷାବର୍ଷରେ ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଛି। ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଆସନ ଖାଲି ପଡ଼ିଛି। ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବି ବହୁ ସିଟ୍ ଖାଲି ପଡ଼ିବାରୁ ତୃତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିଷ୍ପତ୍ତି ନେଇଛି। ପ୍ରତିବର୍ଷ ରାଜ୍ୟରେ +୨ କଲେଜ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆସନ ପୂରଣ ନହେବା ଚିନ୍ତାର ବିଷୟ ହୋଇଛି।

ସାମ୍ସ ପୋର୍ଟାଲରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୩୭୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ୍ ୫,୫୯,୬୪୫ ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ୪,୨୬,୧୫୬ ସିଟ୍‌ରେ ନାମଲେଖା ସରିଛି। ବାକି ୧,୩୩, ୪୮୯ ଆସନ ଖାଲି ପଡ଼ିଛି। ଖାଲିଥିବା ଆସନ ମଧ୍ୟରେ କଳାରେ ୪୪, ୧୪୩, ବିଜ୍ଞାନରେ ୬୫, ୭୧୯, ବାଣିଜ୍ୟରେ ୧୫,୫୪୮, ସଂସ୍କୃତରେ ୩,୫୦୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୫୭୭ ଆସନ ରହିଛି। ଲକ୍ଷାଧିକ ଆସନ ଖାଲି ପଡ଼ିଥିବାରୁ ପୁଣି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ୨୦୨୪-୨୫ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ଆସନରେ

- Advertisement -

ଇ-ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟ ମାର୍ଗଦର୍ଶିକା ଜାରି କରିଛି। ପୂଜା ଛୁଟି ପରେ ଅକ୍ଟୋବର ୨୨ରୁ ନଭେମ୍ବର ୧୩ ମଧ୍ୟରେ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବ। ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ଆସନ୍ତା ୨୨ ତାରିଖ ପୂର୍ବାହ୍ଣ ୧୧ଟାରେ ସାମ୍ସ ୱେବ୍‌ସାଇଟ୍‌ରେ କମନ୍‌ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ୨୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିହେବ। ନଭେମ୍ବର ୧ ତାରିଖ ଦିନ ସାଢ଼େ ୨ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ନଭେମ୍ବର ୨ରୁ ୫ ତାରିଖ ମଧ୍ୟରେ ନାମ ଲେଖାଇବେ। ସେହିପରି ନଭେମ୍ବର ୧୧ରୁ ୧୩ ତାରିଖ ମଧ୍ୟରେ ୱେଟିଂ ଲିଷ୍ଟ୍‌ରୁ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନାମ ଲେଖାଇ ପାରିନଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ଯୋଗ୍ୟ ହେବେ। ଏହାସହ ପୂର୍ବରୁ ମନୋନୀତ ହୋଇ ନାମ ଲେଖାଇନଥିବା ଏବଂ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନାମଲେଖା ନିମନ୍ତେ ମନୋନୀତ ହୋଇନଥିବା ଛାତ୍ରଛାତ୍ରୀଙ୍କୁ ଏହି ପର୍ଯ୍ୟାୟରେ ସୁଯୋଗ ମିଳିବ।
ସୂଚନାଯୋଗ୍ୟ ଯେ, ୨୦୨୩-୨୪ ଶିକ୍ଷାବର୍ଷରେ ୨ ହଜାର ୨୧୬ଟି ଯୁକ୍ତଦୁଇ କଲେଜ ରହିଥିବାବେଳେ ସିଟ ସଂଖ୍ୟା ରହିଥିଲା ୫ ଲକ୍ଷ ୨୪ ହଜାର ୪୧୪। ସେଥିମଧ୍ୟରୁ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ ସଂସ୍କୃତରେ ମୋଟ ୪ ଲକ୍ଷ ୧୩ହଜାର ୬୮୦ଟି ସିଟ୍ ପୂରଣ ହୋଇଥିଲା। ୧ ଲକ୍ଷ ୧୦ ହଜାର ୭୩୪ ସିଟ୍ ବଳକା ରହିଥିଲା। ସେହିପରି ୨୦୨୨-୨୩ ଶିକ୍ଷାବର୍ଷରେ ମୋଟ ଯୁକ୍ତଦୁଇ କଲେଜ ସଂଖ୍ୟା ୨ ହଜାର ୬୮ ରହିଥିବାବେଳେ ୫ ଲକ୍ଷ ୯ ହଜାର ୬୫୬ ସିଟ୍ ରହିଥିଲା। ସେଥିମଧ୍ୟରୁ ୩ ଲକ୍ଷ ୬୬ ହଜାର ୯୨୪ ଟି ସିଟ୍ ପୂରଣ ହୋଇଥିଲା। ୧ ଲକ୍ଷ ୪୨ ହଜାର ୭୩୨ ସିଟ୍ ବଳକା ରହିଥିଲା। ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ଯୁକ୍ତଦୁଇ କଲେଜ ବଢ଼ିବା ସହିତ ବିଭିନ୍ନ ବିଭାଗରେ ସିଟ୍‌ ବୃଦ୍ଧି ଘଟୁଛି। ହେଲେ ପୂରଣ ହୋଇପାରୁନି। ମାଟ୍ରିକ୍ ଉତ୍ତୀର୍ଣ୍ଣ ହେବା ପରେ ଅଧିକାଂଶ ପିଲା ଆଇଟିଆଇ କିମ୍ବା ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ ହେଉଛନ୍ତି। ତା’ ଛଡ଼ା କେତେକ ପିଲା ଘର ପାଖରେ +୨ କଲେଜ ନଥିବାରୁ ପାଠପଢ଼ା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରୁଥିଲେ ହେଁ ରାଜ୍ୟରେ +୨ରେ ଲକ୍ଷାଧିକ ସିଟ୍ ପୂରଣ ହୋଇପାରୁନି।
+୨ରେ ଖାଲି ପଡ଼ିଛି…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories