ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଛନ୍ତି। ଯେମିତିକି ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତି ନେଇଛନ୍ତି। ଏହା ସହିତ ବନ୍ଦେ ଭାରତ ଟ୍ରେନ ଭଳି ୪୦ହଜାର ରେଳ ବଗି ତିଆରି କରିବାକୁ ଘୋଷଣା କରାଯାଇଛି। ଏସବୁ ମଧ୍ୟରେ ସରକାରଙ୍କ ଏହି ବଜେଟ୍ ପରେ ରାଜନୈତିକ ଦଳ ମଧ୍ୟରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।
କେନ୍ଦ୍ରମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ ଏହି ବଜେଟକୁ ଐତିହାସିକ କହିଛନ୍ତି। ଭାରତ ବର୍ତ୍ତମାନ ଆଗକୁ ବଢୁଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଭାରତକୁ ବିଶ୍ୱର ବୃହତମ ଅର୍ଥନୀତି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତି ନେଇଛନ୍ତି। ଏହି ଅନୁସାରେ ଅର୍ଥମନ୍ତ୍ରୀଙ୍କ ବଜେଟ ଦେଶର ଅର୍ଥନୈତିକ କ୍ଷେତ୍ରକୁ ମଜବୁତ କରିବ, ଶିଳ୍ପକୁ ଅଗ୍ରଗତି କରିବ ଏବଂ ନୂତନ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି। ଏହି ବଜେଟରେ ଭିତ୍ତିଭୂମିକୂ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।
ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ କହିଛନ୍ତି ଏହି ବଜେଟ ବିକାଶ ପାଇଁ ନୁହେଁ। ଯଦି କୌଣସି ବିକାଶ ଲୋକଙ୍କ ପାଇଁ ନୁହେଁ ତେବେ ଏହା ଅଦରକାରୀ। ଲୋକ ବିରୋଧୀ ବଜେଟର ଏକ ଦଶନ୍ଧି ପୂରଣ କରି ବିଜେପି ସରକାର ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ଯାହା ଆଉ କେବେ ଭାଙ୍ଗିବ ନାହିଁ କାରଣ ବର୍ତ୍ତମାନ ଏକ ସକରାତ୍ମ ସରକାର ଆସିବାର ସମୟ ଆସିଛି। ଏହା ହେଉଛି ବିଜେପିର ବିଦାୟ ବିଜେଟ।
ଏହି ମଧ୍ୟବର୍ତ୍ତୀ ବଜେଟୁ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ‘ଏହି ବଜେଟ ବିକଶିତ ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ବଜେଟର ସବୁଠାରୁ ବଡ ଘୋଷଣା ହେଉଛି ‘ଜୟ ଅନୁସନ୍ଧାନ’ ଯୋଜନା ଯାହା ପାଇଁ ବଜେଟରେ ୧ଲକ୍ଷ କୋଟି ଟଙ୍କା ପାଣ୍ଠି ଘୋଷଣା କରାଯାଇଛି।
ମଧ୍ୟବର୍ତ୍ତୀ ବଜେଟ ସମ୍ପର୍କରେ ଜାତୀୟ ସମ୍ମିଳନୀ ନେତା ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଜୁଲାଇରେ ସମୂର୍ଣ୍ଣ ବଜେଟ ଆସିବ। ଆଶା କରୁଛୁ ଲୋକମାନେ ସେଥିରେ ଉପକୃତ ହେବେ, ପର୍ଯ୍ୟଟନ ବୃଦ୍ଧି ପାଇବ, ଶିଳ୍ପ ମଧ୍ୟ ବୃଦ୍ଧି ପାଇବ ଏବଂ ଦେଶ ଅଗ୍ରଗତି କରିବ।
ଏହି ମଧ୍ୟବର୍ତ୍ତୀ ବଜେଟ୍ ସମ୍ପର୍କରେ କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ପର୍ୟ୍ୟନ୍ତ ରେକର୍ଡ ହୋଇଥିବା ସବୁଠାରୁ କମ୍ ବଜେଟ୍ ଭାଷଣ ମଧ୍ୟରୁ ଏହି ବଜେଟ୍ ଭାଷଣ ଅନ୍ୟତମ। ଏଥିରୁ ଅଧିକାଂଶ ସାମ୍ନାକୁ ଆସିଲା ନାହିଁ । ପୁଞ୍ଜି ବିନିଯୋଗ ଯଥେଷ୍ଟ ହ୍ରାସ ପାଇଛି ବୋଲି ସ୍ୱୀକାର ନକରି ସେ ବିଦେଶୀ ପୁଞ୍ଜି ବିନିଯୋଗ ବିଷୟରେ କହିଥିଲେ। ଏହା ଏକ ନରାଶ୍ୟଜନକ ଭାଷଣ ହେବ।



